ଜବରଦଖଲରେ ଜାତୀୟ ରାଜପଥ : ଧଳା ଗାର ଡେଇଁ ମଝି ରାସ୍ତାରେ ବେପାର, ଯାଆସ ପାଇଁ ହଇରାଣ ହେଉଛନ୍ତି ଲୋକ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ଆଳରେ ବଡ଼ଦାଣ୍ଡକୁ ଜବରଦଖଲ କରିବାକୁ ପ୍ରୋତ୍ସାହନ ଦେବାରେ ଲାଗିଛି ଜିଲ୍ଲା ପ୍ରଶାସନ। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ଭକ୍ତ ଓ ପର୍ଯ୍ୟଟକଙ୍କ ଉପରେ। ସବୁଠୁ ଅଧିକ ସମସ୍ୟା ଦେଖାଦେଇଛି ବଡ଼ଶଙ୍ଖ ଛକଠାରେ। ଉଠା ଦୋକାନୀମାନେ ଧଳା ଗାର ଡେଇଁ ମଝି ରାସ୍ତାରେ ବେପାର କରୁଥିବାରୁ ମେଡିକାଲ ଛକରୁ ବସଷ୍ଟାଣ୍ଡକୁ ଯିବାକୁ ହେଲେ ଭକ୍ତ ଓ ପର୍ଯ୍ୟଟକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏ ନେଇ ଦଲାଲି ବି ଆରମ୍ଭ ହୋଇଯାଇଥିବା ଅଭିଯୋଗ ହୋଇଛି। କିଛି ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ଏଠାରୁ ଚାନ୍ଦା ଆଦାୟ କରି ଜବରଦଖଲର ମାର୍ଗ ପ୍ରଶସ୍ତ କରୁଥିବା ଅଭିଯୋଗ ଉଠିଛି। ସେପଟେ ପୌରସଂସ୍ଥା ଏଥିରେ ରୋକ୍ ଲଗାଇବା ବଦଳରେ ଇଜାରା ବାବଦକୁ ରସିଦ୍ କାଟି ଚୁପ୍ ବସିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି।

ବଡ଼ଶଙ୍ଖ ପରିବା ମାର୍କେଟ୍ ପୁରୀ ସହରର ପ୍ରମୁଖ ପରିବା ମାର୍କେଟ୍ ଭାବେ ଜଣାଶୁଣା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀ ଓ ବ୍ୟବସାୟୀମାନେ ଟ୍ରେନରେ ଅବା ଗାଡ଼ି କରି ଏଠାକୁ ପନିପରିବା ଆଣି ବିକ୍ରି କରିଥାନ୍ତି। ସଜ ପନିପରିବା ପାଇଁ ଦୈନିକ ସକାଳେ ଓ ସଂଧ୍ୟାରେ ଏଠାରେ ଭିଡ଼ ଲାଗେ। ଏହି ବ୍ୟବସାୟୀଙ୍କ ପାଇଁ ବଡ଼ଦାଣ୍ଡରେ ସୀମା ନିର୍ଦ୍ଧାରଣ କରାଯାଇଛି। ୩୧୬ ନମ୍ବର ଜାତୀୟ ରାଜପଥର ଏହି ରାସ୍ତାକୁ ବ୍ୟା‌ରିକେଡ୍ ପକାଇ ଦୁଇଭାଗରେ ବିଭକ୍ତ କରାଯାଇଛି। ବ୍ୟାରିକେଡର ପାର୍ଶ୍ବରେ ବି ଯା’ଆସ ପାଇଁ ସୀମା ନିର୍ଦ୍ଧାରଣ କରାଯାଇଛି। ଏଥିପାଇଁ ଧଳା ଗାର(ଚିହ୍ନ) ବି ଟଣାଯାଇଛି। ଏହି ଗାର ପଛକୁ ରହି ବ୍ୟବସାୟୀମାନେ ବେପାର କରିବାର ନିୟମ ଲାଗୁ କରାଯାଇଛି। କିନ୍ତୁ ଏହି ଧଳାଗାର ଡେଇଁ ବେପାରିମାନେ ମେଡିକାଲ ଛକରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବେପାର ପସରା ଖୋଲି ସର୍ବସାଧାରଣଙ୍କ ଯାତାୟାତ ରାସ୍ତା ଅବରୋଧ କରିଛନ୍ତି।

ଶହ ଶହ ସଂଖ୍ୟାରେ ଠେଲାଗାଡ଼ି ବେପାରି ଆଗକୁ ଆଗକୁ ମାଡ଼ିବାରେ ଲାଗିଛନ୍ତି। କିଏ ବରା, ଘୁଗୁନି ବିକ୍ରି କରୁଛି ତ’ କିଏ ଗୁପଚୁପ, ଚାଟ୍ ଆଦି ବିକ୍ରି କରୁଛନ୍ତି। କେହି କେହି କଦଳୀ, ଛତୁ, ଫଳ ଆଦି ବିକ୍ରି କରୁଛନ୍ତି। ଉଠା ଦୋକାନୀମାନେ ଏବେ ବଡ଼ଶଙ୍ଖକୁ ନିଜ କବଜାକୁ ନେବାରେ ଲାଗି ପଡ଼ିଛନ୍ତି। ଯେହେତୁ ଶ୍ରୀମନ୍ଦିର ଆଡ଼ୁ ଠେଲା ଗାଡ଼ି, ଉଠା ଦୋକାନୀମାନଙ୍କୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି, ବଡ଼ଶଙ୍ଖରେ ନିଜର ଜାଗା ଦଖଲ ପାଇଁ ଏମାନେ ପ୍ରତିଯୋଗିତା ଆରମ୍ଭ କରି ଦେଇଛନ୍ତି। ଏମାନେ ରାସ୍ତା ମଝି ସୀମାକୁ ଆସି ବେପାର କରୁଥିବାରୁ ସ୍ଥାନାଭାବ ସାଙ୍ଗକୁ ଯାତାୟାତରେ ଘୋର ଅସୁବିଧା ଦେଖାଦେଇଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ପାଇଁ ସହରବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର