ମନୋଜ ରାଉଳ
ବାଲେଶ୍ୱର: ଦୃଢ଼ ଆତ୍ମବିଶ୍ବାସ, ଇଚ୍ଛାଶକ୍ତି ଓ ଅଦ୍ୟମ ଚେଷ୍ଟା ବଳରେ ସବୁ କିଛି ସମ୍ଭବ। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛନ୍ତି ବାଲେଶ୍ବର ସହର ଚାନ୍ଦମାରୀପଡ଼ିଆ ଅଞ୍ଚଳର ପ୍ରତିଭା ଆଚାର୍ଯ୍ୟ। ଦିନେ ୫୦ ହଜାର ଟଙ୍କା ପୁଞ୍ଜିରେ ଏକ ଦୋକାନ କରିଥିଲେ, ଆଜି ତାଙ୍କର ବାର୍ଷିକ ଆୟ ୫ କୋଟିରୁ ଅଧିକ। ଜଣେ ସଫଳ ମହିଳା ବ୍ୟବସାୟୀ ଭାବେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ୬୦ରୁ ଅଧିକ ଶିକ୍ଷିତ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ମଧ୍ୟ ସୃଷ୍ଟି କରିପାରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ମାଣତ୍ରୀ ଅଞ୍ଚଳର ଏକ ନିପଟ ମଫସଲ ଗାଁ ପଟିସାହିର ଗିରିଜା ଶଙ୍କର ଆଚାର୍ଯ୍ୟଙ୍କ ପତ୍ନୀ ହେଉଛନ୍ତି ପ୍ରତିଭା। ୧୯୮୯ ମସିହାରେ ବାଲେଶ୍ବର କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ଭାବେ ନିଯୁକ୍ତି ପାଇଥିଲେ। ବୃତ୍ତିଗତ ସମସ୍ୟା କାରଣରୁ ମାତ୍ର ଦେଢ଼ବର୍ଷ ମଧ୍ୟରେ ପ୍ରତିଭା ଚାକିରି ଛାଡ଼ି ଦେଇଥିଲେ। ତେବେ ଘରେ ନ ବସି ନିଜେ କିପରି ଆତ୍ମନିର୍ଭର ହୋଇପାରିବେ ଏବଂ ଅନ୍ୟମାନଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବେ, ସେ ନେଇ ଆରମ୍ଭ କଲେ ପ୍ରୟାସ। ଭଡ଼ା ଘରେ ରହି ସହଦେବଖୁଣ୍ଟା ବସ୍ଷ୍ଟାଣ୍ଡ ନିକଟରେ ୫୦ ହଜାର ଟଙ୍କାରେ ଏକ ଲେଡିଜ୍ ଗାର୍ମେଣ୍ଟସ୍ ଖୋଲିଲେ। ଏହି ଦୋକାନ ସହରର ପ୍ରଥମ ମହିଳା ଲୁଗା ଦୋକାନ ଭାବେ ମଧ୍ୟ ପ୍ରସିଦ୍ଧିଲାଭ କରିଥିଲା। ଏହାର କିଛିବର୍ଷ ପରେ ପ୍ରତିଭା ହୋଲ୍ସେଲିଂ ବ୍ୟବସାୟ ଆରମ୍ଭ କଲେ। ବିଭିନ୍ନ କମ୍ପାନିର ଖାଇବା ତେଲ, ମସଲା ଏବଂ ତେଜରାତି ସାମଗ୍ରୀର ହୋଲସେଲିଂ ବ୍ୟବସାୟ ଖୁବ୍ ଜୋରସୋର୍ରେ ଚାଲିଲା। ନିଜେ ବି ଢେର ପରିଶ୍ରମ କରୁଥିଲେ। ଭାଗ୍ୟଦେବୀ ପ୍ରସନ୍ନ ହେବା ଭଳି ପ୍ରତିଭାଙ୍କ ବ୍ୟବସାୟ ଏମିତି ବଢ଼ିଲା ଯେ, ବାଧ୍ୟ ହୋଇ ସେ ଗାର୍ମେଣ୍ଟସ୍ ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଏହାପରେ ଚାନ୍ଦମାରିପଡ଼ିଆ ନିକଟରେ କିଛି ଜାଗା କିଣି ଇଣ୍ଟିଗ୍ରେଟେଡ୍ ମାର୍କେଟିଂ ଏଜେନ୍ସି ନାମକ ସଂସ୍ଥା ଖୋଲିବା ସହ ବିଭିନ୍ନ ଏଫ୍ଏମ୍ସିଜି କଂପାନି ପ୍ରଡକ୍ଟର ଏଜେନ୍ସି ନେଇଥିଲେ। ହେଲେ ଏତେ ବଡ଼ ବ୍ୟବସାୟ ସମ୍ଭାଳିବା ତାଙ୍କ ପକ୍ଷରେ କଷ୍ଟକର ବ୍ୟାପାର ହୋଇଥିଲା। ତେଣୁ ବାଧ୍ୟ ହୋଇ ଇମାମୀରେ ଇଞ୍ଜିନିୟର ଥିବା ତାଙ୍କ ସ୍ବାମୀ ଗିରିଜାଶଙ୍କର ଚାକିରି ଛାଡ଼ିଥିଲେ।
ବ୍ୟବସାୟ କ୍ଷେତ୍ରରେ ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ଓ କଠିନ ପରିଶ୍ରମକୁ ପାଥେୟ କରି ଢେର ଆଗକୁ ଯାଇଛନ୍ତି ପ୍ରତିଭା। ଏକଦା ୫୦ ହଜାର ଟଙ୍କା ପୁଞ୍ଜି ନିବେଶ କରି ବ୍ୟବସାୟରେ ପାଦ ଥାପିଥିବା ପ୍ରତିଭା ଆଜି ବାର୍ଷିକ ୫ କୋଟିରୁ ଅଧିକ ଟଙ୍କା ଆୟ କରୁଛନ୍ତି। କେବଳ ସେତିକି ନୁହେଁ, ଏହି ବ୍ୟବସାୟରେ ସେ ଆଖପାଖ ଅଞ୍ଚଳର ପ୍ରାୟ ୬୦ରୁ ଅଧିକ ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ଭଲ ବେତନ ବି ଦେଉଛନ୍ତି। ତାଙ୍କର ଏହି ବ୍ୟାବସାୟିକ ସାମ୍ରାଜ୍ୟରେ ପୁଅବୋହୂ ମଧ୍ୟ ସାମିଲ ହୋଇଛନ୍ତି। ଯୁଗଗୋଷ୍ଠୀ ଚାକିରି ପଛରେ ନଗୋଡ଼ାଇ ଆତ୍ମନିର୍ଭର ହେବାକୁ ଆଗ ଇଚ୍ଛା, ସଂକଳ୍ପ କରନ୍ତୁ। ସର୍ବୋପରି ସାଧୁତା, ଭଦ୍ରୋଚିତ ବ୍ୟବହାର, କର୍ମଦକ୍ଷତା ଓ କର୍ମଚାରୀଙ୍କ ସହଯୋଗ ରହିଲେ ଯେ କେହି ବି ସଫଳତାର ଶୀର୍ଷରେ ପହଞ୍ଚିପାରିବ। ଆଗାମୀ ଦିନରେ ବ୍ୟବସାୟକୁ ଆହୁରି ଆଗକୁ ନେଇ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ପ୍ରତିଭା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/df54h5fs4hf56s4h6f5s4sf654fs56sfhsfhfh.jpg)
