ସୋନୁ ସୁଦ୍‌ଙ୍କ‌ ନାଁରେ ବ୍ୟବସାୟ ଆରମ୍ଭ; ଏହିଭଳି କୃତଜ୍ଞତା ଜଣାଇଲେ ପ୍ରବାସୀ

ରାଜନଗର : ଲକ୍‌ଡାଉନ୍‌ ସମୟରେ ପ୍ରବାସୀମ‌ାନଙ୍କୁ ସହାୟତାର ହାତ ବଢ଼ାଇଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍‌। ସୋ‌ନୁଙ୍କ ସାହାଯ୍ୟରେ ବହୁ ଓଡ଼ିଆ ବି ନିଜ ଭିଟାମାଟିକୁ ଫେରିବା ପାଇଁ ସକ୍ଷମ ହୋଇଥିଲେ। ତାଙ୍କର ସେହି ମହାନତାକୁ ଭୁଲିପାରିନାହାନ୍ତି ସେମାନେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ନିଜର କୃତଜ୍ଞତା ଜଣାଇବା ପାଇଁ ବନ୍ଦ ହୋଇ ପଡ଼ିଥିବା ନିଜ ବ୍ୟବସାୟକୁ ସୋନୁଙ୍କ ନାମରେ ଆରମ୍ଭ କରିଛନ୍ତି।

ଏହି ଯୁବକ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଡେରା ପଞ୍ଚାୟତ ଚିଂଚିରି ଗାଁର ପ୍ରଶାନ୍ତ କୁମାର ପ୍ରଧାନ। ଗତ ମେ ମାସରେ କେରଳରେ କାମ କରିବାକୁ ଯାଇ ସେଠାରେ ଫସି ରହିଥିଲେ ଓଡ଼ିଶାର ୧୬୯ଜଣ ଯୁବକଯୁବତୀ। ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୧୫୦ଜଣ ରହିଥିଲେ। ଅଖିଆଅପିଆ ନିର୍ଯାତିତ ହେବା ପରେ ସେମାନେ ଏକ ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ିଥିଲେ। ଏହି ଭିଡିଓ ଦେଖିବା ପରେ ବଲିଉଡ୍‌ ଅଭିନେତା ସୋନୁ ଏହି ୧୬୯ଜଣଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଓଡ଼ିଶାରେ ପହଞ୍ଚାଇଥିଲେ। ଏହି ୧୬୯ଜଣଙ୍କ ମଧ୍ୟରେ ଗାଁକୁ ଫେରିଥିଲେ ପ୍ରଶାନ୍ତ।

କେରଳରୁ ଫେରିବା ପରେ ପ୍ରଶାନ୍ତ ହାତିନା ଛକରେ ସୋନୁଙ୍କ ପ୍ରତି କୃତଜ୍ଞତା ଜଣାଇ ‘ସୋନୁ ସୁଦ୍‌ ୱେଲ୍ଡିଂ ୱାର୍କସପ୍‌’ ‌ ଆରମ୍ଭ କରିଛନ୍ତି। ବଲିଉଡ୍‌ର ଅଭିନେତାଙ୍କ ଫଟୋ ଥିବା ହୋର୍ଡିଂ ମାରି ବ୍ୟବସାୟ ଆରମ୍ଭ କରିଛନ୍ତି। ପ୍ରଶାନ୍ତ କୁହନ୍ତି, ସେ ଗତ ଜାନୁଆରିରେ ହାତିନା ଛକରେ ଏକ ୱେଲ୍ଡିଂ ୱାର୍କସପ୍ ଆରମ୍ଭ କରିଥିଲେ। ମାତ୍ର ଭଲ ନ ଚାଲିବାରୁ ଅଧିକ ରୋଜଗାର ପାଇଁ ସେ କେରଳ ଚାଲି ଯାଇଥିଲେ। କେରଳରେ ପହଞ୍ଚିବା ପରେ କରୋନା ପାଇଁ ଲକଡାଉନ୍‌ ଆରମ୍ଭ ହୋଇଥିଲା। ଦୀର୍ଘ ୭୦ ଦିନ ଧରି ସେ କେରଳରେ ଫସି ରହିଥିଲେ। ପ୍ରଶାସନ କିମ୍ବା ରାଜନେତା କେହି ସେମାନଙ୍କୁ ଗାଁକୁ ଫେରାଇ ଆଣିବାର ବ୍ୟବସ୍ଥା କଲେନି। ଅଭିନେତା ସୋନୁ ଆମକୁ ଓଡ଼ିଶା ଫେରାଇ ଆଣିଲେ। ଓଡ଼ିଶାରେ ପହଞ୍ଚାଇବା ପାଇଁ ସେ ସମସ୍ତ ଖର୍ଚ୍ଚ କଲେ। କେରଳରେ ଭୋକ ଉପାସରେ ଥିବାବେଳେ ସୋନୁ ଆମମାନଙ୍କ ପାଇଁ ଭଗବାନ ହୋଇ ଛିଡ଼ା ହେଲେ। ତାଙ୍କର ଋଣ ମୁଁ ଜୀବନସାରା ଭୂଲି ପାରିବି ନାହିଁ। ଗାଁକୁ ଫେରିବା ପରେ ପରିବାର ଚଳାଇବା ପାଇଁ ବନ୍ଦ ହୋଇଯାଇଥିବା ୱାର୍କସପ୍ ଆରମ୍ଭ କରିଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ‌ହେଉଛି ସୋନୁଙ୍କ ସହ ଟେଲିଫୋନରେ କଥା ହୋଇ ତାଙ୍କ ସମ୍ମତି ଆଣି ତାଙ୍କ ନାଁରେ ବ୍ୟବସାୟ ଆରମ୍ଭ କରିଛି ବୋଲି କହିଛନ୍ତି ପ୍ରଶାନ୍ତ। ଗାଁକୁ ଫେରିବା ପରେ ସେ ତାଙ୍କ ସହିତ ବହୁବାର କଥା ହୋଇ ଭଲମନ୍ଦ ପଚାରି ବୁଝିଛନ୍ତି ବୋଲି କହିଛନ୍ତି। ସୋନୁ କେତେବଡ ଅଭିନେତା, ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ମାତ୍ର ସେ ଯେଉଁ ମହାନତା ଦେଖାଇଛନ୍ତି ତାହା ବଡ଼ ବଡ଼ ଅଭିନେତାଙ୍କୁ ବଳିଯାଇଛି। ତାଙ୍କର ମହାନତାକୁ ସମ୍ମାନ ଜଣାଇବା ପାଇଁ ପ୍ରଶାନ୍ତଙ୍କ ଉଦ୍ୟମକୁ ନେଇ ଏବେ ସବୁଠି ଚର୍ଚ୍ଚା।

ସମ୍ବନ୍ଧିତ ଖବର