କୋରାପୁଟରୁ ବ୍ୟବସାୟୀଙ୍କୁ ଉଠାଇନେଲା ଏନ୍‌ଆଇଏ!

ଆତଙ୍କବାଦୀ ଲିଙ୍କ୍‌ ନେଇ ଚର୍ଚ୍ଚା

କୋରାପୁଟ : ଆତଙ୍କବାଦୀ ଲିଙ୍କରେ କୋରାପୁଟର ଜଣେ ବ୍ୟବସାୟୀଙ୍କୁ ଉଠାଇ ନିଆଯାଇଥିବା ଚର୍ଚ୍ଚା ହେଉଛି। ଗତରାତିରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଚଢ଼ଉ କରି ତାଙ୍କୁ ନେଇଯାଇଥିବା କୁହାଯାଉଛି। ତେବେ ଏଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

କୋରାପୁଟର ଜଣେ ବ୍ୟବସାୟୀଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଏଆଇ) ଉଠାଇ ନେଇଥିବା ଆଜି ସକାଳୁ ସହର ସାରା ଚର୍ଚ୍ଚା ହେଉଛି। ଏକ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ୟବସାୟୀ ଜଣଙ୍କ ବେଆଇନ ସିମି ଆତଙ୍କବାଦୀ ସଂସ୍ଥା ସହ ସଂପୃକ୍ତ ଅଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାହାରୁ କୋଟି କୋଟି ଟଙ୍କା ଆସୁଛି। ଏଥିନେଇ ଏନଏଆଇଏ ପାଖରେ ଖବର ପହଞ୍ଚିବା ପରେ ତାଙ୍କ ଘରେ ଚଢଉ କରି ତାଙ୍କୁ ଉଠାଇ ନିଆଯାଇଥିବା କୁହାଯାଉଛି। ଗତ ରାତିରେ ଏନ୍‌ଏଆଇର ଏକ ସ୍ୱତନ୍ତ୍ର ଟିମ ତାଙ୍କ ଘରେ ଚଢଉ କରିଥିଲା। ଚଢଉ ସମୟରେ ବହୁ ଟଙ୍କା ଓ କିଛି ଆପତ୍ତିଜନକ କାଗଜ ମଧ୍ୟ ମିଳିଥିବା ଚର୍ଚ୍ଚା ହେଉଛି। ଆତଙ୍କବାଦୀ ସଂସ୍ଥାଠାରୁ ଅର୍ଥ ଆଣି ଏଠାରେ ଏହାକୁ ଅପରାଧିକ କାର୍ଯ୍ୟରେ ବିନିଯୋଗ ଅଭିଯୋଗରେ ତାଙ୍କୁ ଉଠାଇ ନିଆଯାଇଥିବା କୁହାଯାଉଛି। ଏହାକୁ ନେଇ ଆଜି ଦିନ ତମାମ କୋରାପୁଟରେ ଆଲୋଚନା ଚାଲିଛି। ହେଲେ ଗିରଫ ନେଇ ପୋଲିସ କିଛି କହୁନାହିଁ।

ଏନ୍‌ଆଇଏ ଯାହାଙ୍କୁ ଉଠାଇ ନେଇଥିବା କଥା କୁହାଯାଉଛି, ସେହି ବ୍ୟବସାୟୀ ଜଣଙ୍କ ଏବେ ସହରରେ ନ ଥିବାରୁ ଏହି ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି। ଏକ ନିର୍ଭରଯୋଗ୍ୟ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଏହି ବ୍ୟବସାୟୀ ଜଣଙ୍କ ଦୀର୍ଘ ଦିନ ହେଲା ପୁଲିସର ସନ୍ଦେହୀ ନଜରରେ ରହିଥିଲେ। ତାଙ୍କ ବିରୋଧରେ ଗୁଇନ୍ଦା ରିପୋର୍ଟ ମଧ୍ୟ ଦେଇଥିଲା। ବ୍ୟବସାୟୀଙ୍କ ଘରେ ରାଜ୍ୟ ଓ ରାଜ୍ୟ ବାହାରର ଲୋକମାନେ ମେଳି ବାନ୍ଧୁଥିବା ମଧ୍ୟ ଖବର ରହିଛି। ଏଥିପାଇଁ ଗୁଇନ୍ଦା ବିଭାଗ ତାଙ୍କ ଉପରେ କଡା ନଜର ରଖିଥିଲା। ଏଭଳି ସ୍ଥିତିରେ ଆଜି ତାଙ୍କୁ ଉଠାଇ ନେଇଥିବା ଚର୍ଚ୍ଚା ପଛରେ ସତ୍ୟତା ଥିବା ଅନୁମାନ କରୁଛନ୍ତି ବୁଦ୍ଧିଜୀବୀ। ଅପରପକ୍ଷରେ ଗିରଫ ନେଇ କୋରାପୁଟ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ନାହିଁ। ଗିରଫ ଖବରକୁ ସେମାନେ ଅସ୍ୱୀକାର କରି ନ ଥିଲେ ମଧ୍ୟ ତାଙ୍କ ପାଖରେ କୌଣସି ସୂଚନା ନ ଥିବା କହିଛନ୍ତି। କୋରାପୁଟ ଏସପି ଡଃ କନଓ୍ଵର ବିଶାଳ ସିଂହ କହିଛନ୍ତି ଯେ, ଆତଙ୍କବାଦୀ ଲିଙ୍କରେ ଜଣଙ୍କୁ ଉଠାଇ ନେବା ଖବର ଆମେ ଶୁଣୁଛୁ। କିନ୍ତୁ ଚଢଉ ନେଇ ଆମକୁ କେହି ଯୋଗାଯୋଗ କରି ନାହାନ୍ତି କିମ୍ବା ପରେ ଜଣାଇ ନାହାନ୍ତି। ତେଣୁ ଆମ ପାଖରେ ଗିରଫ ନେଇ କୌଣସି ସୂଚନା ନାହିଁ ବୋଲି ଏସପି କହିଛନ୍ତି।

ସମ୍ବନ୍ଧିତ ଖବର