ବ୍ୟବସାୟୀ ସଂଘ ବିରୋଧରେ ଥାନାରେ ଏତଲା ଦେଲେ ବ୍ୟବସାୟୀ

କରୋନାରୁ ରକ୍ଷା କରିବାକୁ କହିଲେ, ନିଜେ ଆଇନ ଭାଙ୍ଗିଲେ

ବାରିପଦା : ଆଜି ବ୍ୟବସାୟୀ ସଂଘ ପକ୍ଷରୁ ହୋଇଥିବା ବନ୍ଦ ଡାକରା ବେଳେ ଜଣେ ବ୍ୟବସାୟୀ ବିନୋଦ କୁମାର ଖଣ୍ଡେଲୱାଲଙ୍କ ଗୋଦାମରୁ ଜୋରଜବରଦସ୍ତ କରି ଆଳୁ, ପିଆଜ, ଅଟା ଭଳି ବିଭିନ୍ନ ସାମଗ୍ରୀ ଲୁଟ୍ କରାଯାଇଥିବା ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଗୋଦାମ କରିଥିବା ଶ୍ରୀ ଖଣ୍ଡେଲୱାଲଙ୍କୁ କିଛି କତିପୟ ବ୍ୟବସାୟୀ ସଂଘର କର୍ମକର୍ତ୍ତା ଜୋରଜବରଦସ୍ତ କରି ବନ୍ଦ କରିବାକୁ ବାଧ୍ୟ କରିଥିଲେ। ଏହାକୁ ବିରୋଧ କରିବାକୁ ଏପରି ଲୁଟ୍ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

କରୋନାରୁ ରକ୍ଷା କରିବାକୁ କହିଲେ, ନିଜେ ଆଇନ ଭାଙ୍ଗିଲେ
ବାରିପଦା ସହରରେ ବିନା ଅନୁମତିରେ ବାଇକ ଶୋଭାଯାତ୍ରା
ସାମାଜିକ ଦୂରତା, ମାସ୍କ ନିୟମକୁ ଏଡାଇଗଲେ

ବାରିପଦା : ଆଜିର ବାରିପଦା ବନ୍ଦକୁ ଦୃଷ୍ଟିରେ ରଖି ଗତକାଲି ବ୍ୟବସାୟୀ ସଂଘ ସମେତ ଅନ୍ୟ କିଛି ବ୍ୟକ୍ତି ବାରିପଦା ସହର ମଧ୍ୟରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ଶତାଧିକ ମୋଟରସାଇକେଲ୍ ସାମିଲ ହୋଇଥିଲା। ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ହେଲ୍‌ମେଟ ପିନ୍ଧିନଥିବାବେଳେ ଆଉ କିଛି ମାସ୍କ ମଧ୍ୟ ପିନ୍ଧିନଥିଲେ। ଯାହାକି ବର୍ତ୍ତମାନ ଚାଲିଥିବା କରୋନା ସଂକ୍ରମଣ ସମୟରେ ସମ୍ପୂର୍ଣ୍ଣ ବିରୋଧାତ୍ମକ ଆଚରଣ ଥିଲା। ଏନେଇ ସାମାଜିକ ଗଣମାଧ୍ୟମରେ ଏହି ଶୋଭାଯାତ୍ରା ଭିଡିଓ ପୋଷ୍ଟ୍ ହେଲାପରେ ଲଗାତର ଭାବେ ଟ୍ରୋଲ୍ ହୋଇଚାଲିଛି। ଅନେକ ଲୋକ ଏହାକୁ ନାପସନ୍ଦ କରି ମନ୍ତବ୍ୟ ରଖିଛନ୍ତି। ସେହିପରି ଆଜି ମଧ୍ୟ ହୋଇଥିବା ଘଟଣାରେ ଲୋକଙ୍କ ସମାଗମ କରୋନା କଟକଣାକୁ ଆଖିଠାର ମାରିଥିଲା।

ଏନେଇ ସଂଘର ବରିଷ୍ଠ କର୍ମକର୍ତ୍ତା ଯୋଗେଶ ଅଗ୍ରୱାଲା କହିଛନ୍ତି ଯେ ବ୍ୟବସାୟୀ ସଂଘରେ କିଛି ଅଣବ୍ୟବସାୟୀ ସାମିଲ ହୋଇ ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ପ୍ରୟାସ କରୁଛନ୍ତି। ତେଣୁ ଏପରି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଛି। ଆଇନକୁ ବିରୋଧ କରୁଥିବା ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଗଲେ ବ୍ୟବସାୟୀ ସଂଘ କୌଣସି ବିରୋଧ କରିବା ନାହିଁ ବୋଲି ଶ୍ରୀ ଅଗ୍ରୱାଲା ପ୍ରକାଶ କରିଛନ୍ତି। ଏହି ଭିଡିଓ ସମ୍ପର୍କରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ କହିଛନ୍ତିଯେ ଏପରି ଶୋଭାଯାତ୍ରାକୁ ପ୍ରଶାସନ ଆଦୌ ଅନୁମତି ଦେଇନାହିଁ। ଏପରି କାର୍ଯ୍ୟକୁ ଦୃଢ଼ଭାବେ ବନ୍ଦ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର