କେନ୍ଦ୍ରାପଡ଼ା : କେନ୍ଦ୍ରାପଡାରେ ପୁଣି ଫୁଟିଛି ଗୁଳି। ଶନିବାର ଦିନ ସ୍ଥାନୀୟ ତିନିମୁହାଣୀ ଅଂଚଳରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ କରିଛନ୍ତି ଦୁର୍ବୃତ। ଦୃର୍ବୃତଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର ଭାବେ ଆହତ ହୋଇଛନ୍ତି। ବ୍ୟବସାୟୀ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କ ପେଟରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ମେଡିକାଲ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

Advertisment

publive-image

ବାବୁଲି ଜଣେ ବିଜେପି ନେତା। ତାଙ୍କ ଘର ସ୍ଥାନୀୟ ନାଉପାଳ ଗାଁ’ରେ। ବାବୁଲି ଘରୁ ବାଇକ୍‌ରେ ତିନିମୁହାଣ ଆସୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି। ବାଇକରେ ଦୁଇ ଜଣ ଯୁବକ ଆସି ଅତିନିକଟରୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ। ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ବିବେକାନନ୍ଦଙ୍କୁ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଏସ୍‌ପି ଓ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଦୃର୍ବୃତଙ୍କୁ ଧରିବା ଲାଗି ତଲାସି ଜାରି ରହିଛି।

ଏହି ଘଟଣାକୁ ନେଇ ବର୍ତମାନ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି। ତିନିମୁହାଣୀ ଛକ ନିକଟରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି ଲୋକେ।