କାର୍ ଚକ କାଟିଲେ, କାଚରେ ଅଣ୍ଡା ବୋଳିଲେ
ଉଦ୍ଧାର ପାଇଁ ଗଠନ ହେଲା ସ୍ପେସାଲ ଟାସ୍କ ଫୋର୍ସ
ସମ୍ବଲପୁର : ଶୁକ୍ରବାର ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେର ଶାସନ ନିକଟରୁ ସହରର ଜଣେ ଜଣାଶୁଣା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିନିଆଯାଇଛି। ବ୍ୟବସାୟୀ ଜଣଙ୍କ ହେଲେ ସମ୍ବଲପୁର ସହର ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳର ଷ୍ଟିଲ୍ ଆଣ୍ଡ ଷ୍ଟିଲ୍ ଦୋକାନର ମାଲିକ ନରେଶ ଅଗ୍ରୱାଲ(୬୩)। ଏ ସୂଚନା ମିଳିବା ପରେ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ଶାସନ ପୁଲିସ୍ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସମୟରେ ଏସ୍ପି ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସଦର ଏସ୍ଡିପିଓ ତପନ ମହାନ୍ତିଙ୍କ ନେତୃତ୍ବରେ ଏକ ସ୍ପେସାଲ ଟାସ୍କଫୋର୍ସ ଗଠନ କରାଯାଇଛି। ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ତେବେ ଖବର ଲେଖାହେବା ଯାଏ ଏହି ଅପହରଣ ପଛର କାରଣ ଓ ଅପହର୍ତ୍ତାଙ୍କ କୌଣସି ଦାବି ସଂପର୍କରେ ପୁଲିସ୍କୁ ସୂଚନା ମିଳିପାରିନାହିଁ।
ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଅଗ୍ରୱାଲଙ୍କର ଶାସନଠାରେ ୩ ଏକରର ଜମି ରହିଛି। ଏହି ଜମିର ପାଚେରି ନିର୍ମାଣ କାମ ଚାଲିଛି। ଆଜି ଶ୍ରୀ ଅଗ୍ରୱାଲ ସେଠାକୁ କାମ ଦେଖିବାକୁ ଯାଇଥିଲେ। ରାସ୍ତାକଡ଼ରେ ତାଙ୍କର କ୍ରେଟା ଗାଡ଼ି ରଖି କାମ ତଦାରଖ କରୁଥିଲେ। ତାଙ୍କ ଡ୍ରାଇଭର ମଧ୍ୟ ପାଖରେ ଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦିନ ପ୍ରାୟ ୧୨ଟା ୨୦ ମିନିଟ୍ରେ ଏକ ଧଳା ରଙ୍ଗର ସ୍ବିଫ୍ଟ କାର୍ ଆସି ଉକ୍ତ ସ୍ଥାନରେ ଅଟକିବା ପରେ ସେଥିରୁ ୩ ଜଣ ଯୁବକ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ମାସ୍କ ପିନ୍ଧା ଯୁବକ ଆସି ଶ୍ରୀ ଅଗ୍ରୱାଲଙ୍କ ସହ କିଛି କଥାବାର୍ତ୍ତା କରିବା ସମୟରେ ଅନ୍ୟ ଜଣେ ଯାଇ କ୍ରେଟା ଗାଡ଼ି(ଓଡି ୧୫ କେ ୬୭୮୯)ର ଚକ କାଟି ଦେଇଥିଲେ। ଶ୍ରୀ ଅଗ୍ରୱାଲଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ମଧ୍ୟ କରିଥିଲେ। ଏହାପରେ ବଳପୂର୍ବକ ଉକ୍ତ ୩ ଯୁବକ ଶ୍ରୀ ଅଗ୍ରୱାଲଙ୍କୁ ସ୍ବିଫ୍ଟ ଗାଡ଼ିରେ ପୂରାଇ ଦ୍ରୁତ ଗତିରେ ଝାରସୁଗୁଡ଼ା ପଟକୁ ଚାଲି ଯାଇଥିଲେ। ଶ୍ରୀ ଅଗ୍ରୱାଲଙ୍କ ଡ୍ରାଇଭର ଘଟଣା ସମ୍ପର୍କରେ ତାଙ୍କ ପୁଅଙ୍କୁ ଫୋନ୍ କରି ଜଣାଇଥିଲେ। ଏଥିସହ ଶାସନ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଘଟଣାସ୍ଥଳକୁ ଯାଇଥିବା ବ୍ୟକ୍ତିମାନେ ମୁହଁରେ ମାସ୍କ ଲଗାଇଥିବାରୁ ସେମାନଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଛି। ତେବେ ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ ବୋଲି ଅଞ୍ଚଳବାସୀ କହିଛନ୍ତି। ସେପଟେ, ଝାରସୁଗୁଡ଼ା ରୋଡ୍ରେ ରହିଥିବା ରେଙ୍ଗାଲି ଟୋଲ୍ ଗେଟ୍ ଦେଇ ଉକ୍ତ କାର୍ ଯାଇଛି। ପୁଲିସ୍ ଉକ୍ତ ଟୋଲ୍ ଗେଟ୍ର ସିସିଟିଭି ଫୁଟେଜ୍ ଆଣି ଯାଞ୍ଚ ଚଳାଇଥିବା ସମୟରେ କାର୍ ଭିତରେ ବସିଥିବା ଅଭିଯୁକ୍ତମାନେ ଚିହ୍ନା ପଡ଼ୁନଥିବା ଜଣାପଡ଼ିଛି। ଅରପପକ୍ଷେ, ରେଙ୍ଗାଲି ଟୋଲ୍ ଗେଟ୍ରୁ ମିଳିଥିବା ଫୁଟେଜ ଆଧାରରେ ପୁଲିସ୍ ଯାଞ୍ଚ କରିବା ପରେ ଉକ୍ତ ସ୍ବିଫ୍ଟ ଗାଡ଼ି ନମ୍ବରଟି ନକଲି ଥିବା ଜଣାପଡ଼ିଛି। ଏହାସହିତ ରେଙ୍ଗାଲି ପରଠାରୁ ଝାରସୁଗୁଡ଼ା ରାସ୍ତାରେ ଆଉ ଗାଡ଼ିକୁ ଠାବ କରାଯାଇପାରିନାହିଁ। ତେବେ ଟୋଲ ଗେଟ୍ ପରେ ଉକ୍ତ ଗାଡ଼ିରେ ନୂଆ ନମ୍ବର ପ୍ଲେଟ ଲଗାଯାଇଥିବା ନଚେତ୍ ରେଙ୍ଗାଲି ଦେଇ ହିଁ ଗାଡ଼ିଟି ଅନ୍ୟ ରାସ୍ତାରେ କେଉଁଆଡ଼େ ଯାଇଥିବା ପୁଲିସ୍ ଆଶଙ୍କା କରୁଛି। ଶ୍ରୀ ଅଗ୍ରୱାଲଙ୍କର କେହି ଶତ୍ରୁ ନଥିବା ନେଇ ପରିବାର ଲୋକେ ପୁଲିସ୍କୁ କହିଛନ୍ତି। ଖବର ଲେଖାହେବା ଯାଏ ପୁଲିସ୍ର ୪ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ହେଁ କୌଣସି ସୁରାକ୍ ପାଇପାରିନାହିଁ।
ଅପହୃତ ଶ୍ରୀ ଅଗ୍ରୱାଲ୍ଙ୍କ ସଂପର୍କରେ କୌଣସି ସୂଚନା ମିଳିଲେ ୯୮୬୧୬୯୨୨୯୦ ମୋବାଇଲ୍ ନମ୍ବରରେ ତାଙ୍କୁ ଜଣାଇବା ଲାଗି ପୁଅ ଆଲୋକ ଅଗ୍ରୱାଲ୍ ନିବେଦନ କରିଛନ୍ତି।