ଭୁବନେଶ୍ବର : ବିଦ୍ୟୁତ୍ କାଟ ଯୋଗୁଁ ଗରମ ସହି ନପାରି କାର୍ ଭିତରେ ଶୋଇଥିବା ଜଣେ ବ୍ୟବସାୟୀଙ୍କୁ ଅପହରଣ କରାଯିବା ଓ ବାଟରେ ଏମ୍ଭିଆଇ ଚେକିଂ ଦେଖି ଦୁର୍ବୃତ୍ତମାନେ କାର୍ ଛାଡ଼ି ଫେରାର୍ ହେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି।
ଶୁକ୍ରବାର ବିଳମ୍ବିତ ରାତିରେ ନୂଆପଲ୍ଲୀ ଏନ୍-୧ ଅଞ୍ଚଳରେ ଫିଲ୍ମ ଷ୍ଟାଇଲ୍ରେ ଘଟିଥିବା ଏହି ଅପହରଣ ଉଦ୍ୟମ ପଣ୍ଡ ହୋଇଛି। ଅପହୃତ ଶିବସୁନ୍ଦର ଦାସଙ୍କ ଅଭିଯୋଗକ୍ରମେ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ୨ଟି କାର୍, ୨ଟି ବନ୍ଧୁକ, କିଛି ଅଫୁଟା ଗୁଳି ଓ ଛୁରି ଜବତ କରିଛି। ସେହିପରି ଶିବସୁନ୍ଦର ଓ ତାଙ୍କ ପତ୍ନୀଙ୍କୁ ଡାକି ପୁଲିସ ପଚରାଉଚରା କରିଛି। କିନ୍ତୁ ଅପହର୍ତ୍ତାମାନେ କିଏ ଓ କେଉଁ ଉଦ୍ଦେଶ୍ୟରେ ସେମାନେ ଅପହରଣ କରିବାକୁ ଚେଷ୍ଟା କରିଥିଲେ, ସେ ସଂପର୍କରେ ପୁଲିସକୁ କିଛି ଠୋସ୍ ତଥ୍ୟ ମିଳି ପାରିନାହିଁ। ତେଣୁ ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଓ ଅପହରଣ ସମୟରେ ସେହି ଅଞ୍ଚଳରେ ଆକ୍ଟିଭ୍ ଥିବା ମୋବାଇଲ୍ ନମ୍ବରଗୁଡ଼ିକୁ ଯାଞ୍ଚ କରି ତଦନ୍ତ ଆଗକୁ ବଢ଼ାଇଛି।
ଥାନାରେ ଶିବସୁନ୍ଦର କରିଥିବା ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧ଟାରେ ବିଦ୍ୟୁତ୍ କାଟ୍ ହେବାରୁ ସେ ଘର ବାହାରେ ଥିବା ନିଜର ହ୍ୟୁଣ୍ଡାଇ କ୍ରେଟା କାର୍ରେ ଏସି ଲଗାଇ ଶୋଇଥିଲେ। ଏହି ସମୟରେ ଏକ ଇନୋଭା ତାଙ୍କ କାର୍ ସମ୍ମୁଖରେ ପାର୍କିଂ କରିଥିଲା। ସେଥିରୁ ୬ଜଣ ଯୁବକ ତାଙ୍କ କାର୍ ନିକଟକୁ ଆସି ଉଭୟ ପଟୁ ବନ୍ଧୁକ ଦେଖାଇଥିଲେ। ସେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କୁ କାର୍ରୁ ଟେକି ନେଇ ଇନୋଭାରେ ବସାଇଥିଲେ। ଆଉ ଦୁଇଜଣ ଯୁବକ ଶିବସୁନ୍ଦରଙ୍କ କାର୍ ନେଇ ଇନୋଭାର ପିଛା କରିଥିଲେ। ଅପହରଣକାରୀମାନେ ବାଣୀବିହାର ଓଭରବ୍ରିଜ୍ ଅତିକ୍ରମ କରୁଥିବା ବେଳେ ସେଠାରେ ଏମ୍ଭିଆଇ ଗାଡ଼ି ଚେକିଂ ଦେଖି ହଡ଼ବଡ଼େଇ ଯାଇଥିଲେ। ସେମାନେ କାର୍ ଦୁଇଟିକୁ ବିପରୀତ ଦିଗକୁ ବୁଲାଇବାକୁ ଚେଷ୍ଟା କରୁଥିବା ବେଳେ ପଛପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା। ଏଥିରେ କାର୍ ଦୁଇଟି ଚୂରମାର୍ ହୋଇଯାଇଥିଲେ ହେଁ କେହି ମୃତାହତ ହୋଇନଥିଲେ। ଅପରପକ୍ଷେ ଦୁର୍ଘଟଣା ଦେଖି ସେଠାରେ ଥିବା ଏକ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳକୁ ମାଡ଼ି ଆସିବାରୁ ଅପହର୍ତ୍ତାମାନେ କାର୍ ଛାଡ଼ି ଫେରାର୍ ହୋଇଥିଲେ। ପୁଲିସ ଶିବସୁନ୍ଦରଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ତାଙ୍କ ଚେତା ଫେରିବା ପରେ ସବୁ ଘଟଣା ପଦାକୁ ଆସିଥିଲା।
ତେବେ ଅପହର୍ତ୍ତାମାନଙ୍କୁ ଶିବସୁନ୍ଦର ଚିହ୍ନି ନଥିବାରୁ ପୁଲିସ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଶିବସୁନ୍ଦରଙ୍କୁ କାହିଁକି ଅପହରଣ କରିବାକୁ ଚେଷ୍ଟା କରାଯାଉଥିଲା; ବ୍ୟାବସାୟିକ ଶତ୍ରୁତା ନା ଅନ୍ୟ କିଛି କାରଣ ଆଦି ସଂପର୍କରେ ପୁଲିସ ତଦନ୍ତ କରୁଛି। ତେବେ ଖୁବ୍ଶୀଘ୍ର ଅପରାଧୀମାନେ ଧରାପଡ଼ିବେ ବୋଲି ନୂଆପଲ୍ଲୀ ଥାନା ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/kidnapped.jpg)