ଭଞ୍ଜନଗର : ଭଞ୍ଜନଗର ସହରର ବ୍ୟବସାୟୀ ହିତେନ୍ ସ୍ବାଇଁଙ୍କୁ ଅପହରଣ ଏବଂ ହତ୍ୟା ମାମଲାରେ ଭଞ୍ଜନଗର ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣକ ହେଉଛି, କଇଣ୍ଡି ଗ୍ରାମର ବାୟା ଓରଫ୍ ତ୍ରିପତି ଦାସ (୫୦)। ମୁଖ୍ୟ ଅଭିଯୁକ୍ତ ଏଯାଏ ଫେରାର୍ ଥିବାରୁ ତାକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ଥାନାଧିକାରୀ ଧୀରେଶ କୁମାର ଦାଶ ସୂଚନା ଦେଇଛନ୍ତି। ତେବେ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ନେଣଦେଣକୁ ନେଇ ଉପୁଜିଥିବା ବିବାଦରୁ ହିଁ ହିତେନ୍ଙ୍କୁ ହତ୍ୟା ଯୋଜନା ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।
ମୃତକ ହିତେନ୍ ଧରାକୋଟ ବ୍ଲକ୍ ରୁଗୁମୁ ଗ୍ରାମର ମୂଳବାସିନ୍ଦା ହୋଇଥିବା ବେଳେ ବହୁବର୍ଷ ଧରି ଭଞ୍ଜନଗର କେନାଲ୍ ସାହିରେ ରହୁଥିଲେ। ଷ୍ଟେଟ୍ବ୍ୟାଙ୍କ୍ ଛକରେ ବ୍ୟାବସାୟିକ ପ୍ରତିଷ୍ଠାନ କରିଥିଲେ। ଏହାସହ ଏକ ଅର୍ଥ ଲଗାଣକାରୀ ସଂସ୍ଥା ସହ ଜଡ଼ିତ ରହି ଟଙ୍କା ନେଣଦେଣ କଥା ବୁଝୁଥିଲେ। ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଆଉ ହିତେନ୍ଙ୍କୁ ଗତ ମଙ୍ଗଳବାର ଦିନ ଅପହରଣ ପରେ ହତ୍ୟା କରାଯାଇଥିଲା। ଗତକାଲି ତାଙ୍କ ଶବ ଗାଜଲବାଡ଼ି-ଦାରିଙ୍ଗବାଡ଼ି ଘାଟିରୁ ମିଳିଥିଲା। କେସ୍ ନମ୍ବର ୭୦୦ ଅନୁସାରେ ହତ୍ୟା ମାମଲା ରୁଜୁ ସହ ତ୍ରିପତିକୁ ଆଜି କୋର୍ଟ ଚାଲାଣ କରାଯାଇଛି।
ତେବେ ଏହି ହତ୍ୟାକାଣ୍ଡରେ ଏକାଧିକଙ୍କ ସଂପୃକ୍ତି ରହିଥିବା ସହ ହିତେନ୍ଙ୍କୁ ହତ୍ୟା ପରେ ଶବକୁ ଘାଟିରେ ଫୋପାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି। ତେବେ କିଭଳି ପରିସ୍ଥିତିରେ ଓ କେମିତି ତାଙ୍କୁ ହତ୍ୟା କରାଗଲା, ଏନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇପାରୁନି। କିଛି ସନ୍ଦିଗ୍ଧଙ୍କୁ ପୁଲିସ ଡାକି ପଚରାଉଚରା କରୁଛି। ଏହାପୂର୍ବରୁ ହିତେନ୍ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆଣି ତାଙ୍କ ପତ୍ନୀ ଭଞ୍ଜନଗର ଥାନାରେ ଏତଲା ଦେଇଥିଲେ। ପୁଲିସ କିଛି ଯୁବକଙ୍କୁ ଡାକି ଜେରା କରିଥିଲା।