କଟକ : ବିଶିଷ୍ଟ ବ୍ୟବସାୟୀ ତଥା ସାରସ୍ବତ ସାଧକ ନନ୍ଦକିଶୋର ଝୁନ୍‌ଝୁନ୍‌ୱାଲା (୭୮)ଙ୍କର ନଭେମ୍ବର ୨୮ତାରିଖ ରାତିରେ ବକ୍ସିବଜାରସ୍ଥିତ ବାସଭବନରେ ମୃତ୍ୟୁ ଘଟିଛି। ଶେଷ ଶଯ୍ୟା ନିକଟରେ ପତ୍ନୀ ପଦ୍ମା ଝୁନ୍‌ଝୁନ୍‌ୱାଲା, ପୁଅ ରାଜୀବ ଝୁନ୍‌ଝୁନ୍‌ୱାଲା, ‌ବୋହୂ କବିତା ଝୁନ୍‌ଝୁନୱାଲା, ପୁତୁରା ଆଲୋକ ଝୁନ୍‌ଝୁନ୍‌ୱାଲା, ଆଦିତ୍ୟ ଝୁନ୍‌ଝୁନ୍‌ୱାଲାଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ବକ୍ସିବଜାର ସମେତ କଟକର ବିଭିନ୍ନ ସାହିର ବହୁ ବିଶି‌ଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ‌ଶୋଭାଯାତ୍ରାରେ ବକ୍ସିବଜାର ପରିକ୍ରମା କରି ପୁରୀ ନିଆଯାଇଥିଲା। ପୁରୀ ‌ସ୍ବର୍ଗଦ୍ବାରା‌ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ରାଜୀବ ମୁଖାଗ୍ନି ଦେଇଥିଲେ।

Advertisment

୧୯୪୧, ଅଗଷ୍ଟ ୩୦ ତାରିଖରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ଝୁନ୍‌ଝୁନ୍‌ୱାଲା ୧୯୫୮ରେ କଟକ ଆସି ପାରିବାରିକ ବ୍ୟବସାୟ ପରିଚାଳନା କରିଥିଲେ। ସାହିତ୍ୟ ପ୍ରତି ତାଙ୍କର ବିଶେଷ ଅନୁରାଗ ରହିଥିଲା। ଏଥି ପାଇଁ ୧୯୭୮ରେ ସେ ଏକ ମାସିକ ପତ୍ରିକା ‘ତାକତ୍‌’ ଆରମ୍ଭ କରି ଏହାର ନିଜେ ସଂପାଦନା କରୁଥିଲେ। ସେ ମଧ୍ୟ ‘ଭାଗବତ ଚର୍ଚ୍ଚା’ ପୁସ୍ତକ ରଚନା କରିଥ‌ିଲେ। ସ୍ବର୍ଗତ ଝୁନ୍‌ଝୁନ୍‌ୱାଲା ବହୁ ଅନୁ‌ଷ୍ଠାନ ସହିତ ସଂପୃକ୍ତ ଥିଲେ। ତାଙ୍କ ବିୟୋଗରେ ବାରପଥର ପୂଜା କମିଟି ସଂପାଦକ ଅଶୋକ ପ୍ରସାଦ, ବକ୍ସିବଜାର ମାର୍କେଟ୍ ବଣିକ ସଂଘ ସଭାପତି କ୍ଷୀରୋଦ ସାହୁ ପ୍ରମୁଖ ଶୋକପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।