ହୋଟେଲ ମାଲିକ ହତ୍ୟା ମାମଲା: ବ୍ୟବସାୟୀ ପ୍ରେମ ମୋଦି ଗିରଫ

ଗିରଫ ମୁଖ୍ୟ ଅଭିଯୁକ୍ତ ସହଯୋଗୀ ଫେରାର

ରାଉରକେଲା: ସହରର ବହୁ ବର୍ଚ୍ଚିତ ହୋଟେଲ ମାଲିକ ସଜ୍ଜନ ମିତ୍ତଲ ହତ୍ୟା ଘଟଣାରେ ପ୍ଲାଣ୍ଟସାଇଟ୍‌ ପୁଲିସ ଆଜି ଜମି କିଣିଥିବା ବ୍ୟବସାୟୀ ପ୍ରେମ ମୋଦିକୁ ଗିରଫ କରିଛି। ମଧ୍ୟସ୍ଥତା ସାଜିଥିବା ଗିରଫ ଦିଲୀପ ଶର୍ମାକୁ  ଦୋକାନ ଖାଲି କରିବାକୁ ୧୦ ଲକ୍ଷ,  ସଜ୍ଜନ ମିତ୍ତଲକୁ ହତ୍ୟା ବାବଦରେ ଅଢ଼େଇ ଲକ୍ଷ ଟଙ୍କା ଦେବା ଅଭିଯୋଗରେ ପୁଲିସ ପ୍ରେମ ମୋଦିକୁ ଗିରଫ କରିଛି। ହତ୍ୟା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ରଜତ ବିଶ୍ବକର୍ମାର ଘନିଷ୍ଠ ସହଯୋଗୀ ଏବେ ବି ଫେରାର ଅଛି।

ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ସେପଟେ ଏହି ହତ୍ୟା ଘଟଣାରେ ଅନ୍ୟମାନଙ୍କୁ ପଚରାଉଚୁରା ଜାରି ରହିଛି। ସଜ୍ଜନଙ୍କ ହତ୍ୟା ପଛରେ ‌କେବଳ  ପ୍ରେମ ମୋଦି, ଦିଲୀପ ଶର୍ମା ନା ଅନ୍ୟ କେଉଁମାନଙ୍କର ହାତ ରହିଛି ପୁଲିସ ସେ ସଂକ୍ରାନ୍ତରେ ତଦନ୍ତ ଚଳାଇଛି। ସୂଚନା‌ଯୋଗ୍ୟ,  ଗତ ୯ ତାରିଖରେ ‌ହୋଟେଲ ‘ବସେରା’ ମାଲିକ ତଥା କଂସାବାସନ ବ୍ୟବସାୟୀ ସଜ୍ଜନ ମିତ୍ତଲ (୫୯) ହତ୍ୟା ଘଟଣାରେ ପୁଲିସ ଗତ ୧୦ ତାରିଖରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ମଧ୍ୟରେ ଥିଲେ ଗାନ୍ଧିରୋଡର ରଜତ ବିଶ୍ବକର୍ମା (୨୭), ହୋଟେଲ ଡିଲକ୍ସ ଲେନ୍‌ର ଦିଲୀପ କୁମାର ଶର୍ମା (୫୮),  କୋଏଲନଗରର ରାଜେଶ ସିଂହ ଓରଫ ରାଜୁ (୩୯), ବେଦବ୍ୟାସ ବିଶ୍ବକର୍ମା ବିହାରର ଅମନ ପ୍ରସାଦ (୨୨), ଉଦିତନଗରର ନିଲ୍‌ ପଲ ଓରଫ ସାରଦା (୩୪)। ଏମାନଙ୍କ ନିକଟରୁ ପୁଲିସ ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକ, ଚୋରା ପଲ୍‌ସର ମୋଟରବାଇକ୍, ଦେଶୀ ବନ୍ଧୁକ ଜବତ କରିଛି।

ଗିରଫ ମୁଖ୍ୟ ଅଭିଯୁକ୍ତ ରଜତ ବିଶ୍ବକର୍ମାର ଅନ୍ୟ ଜଣେ ସହଯୋଗୀ ଫେରାର  ଅଛି। ମାର୍କେଟ କମ୍ପ୍ଲେକ୍ସରୁ ଦୋକାନ ଖାଲି ନ କରିବାରୁ ହତ୍ୟାକାରୀମାନେ ସଜ୍ଜନକୁ ହାତୁଡିରେ ପିଟି ପିଟି ହତ୍ୟା କରିଥିଲେ। ସଜ୍ଜନଙ୍କୁ ହତ୍ୟା କରିବାକୁ ୨ ଲକ୍ଷ ୫୦ ଲକ୍ଷ ଟଙ୍କା ଡିଲ୍‌ ହୋଇଥିଲା। ଘଟଣାର ମଧ୍ୟସ୍ଥତା ସାଜିଥିଲେ ଗିରଫ ଦିଲୀପ କୁମାର ଶର୍ମା। ଦିଲୀପ ହତ୍ୟାକାରୀମାନଙ୍କୁ ୪୦ ହଜାର ଟଙ୍କା ଅଗ୍ରୀମ ନେଇଥିଲେ। ହତ୍ୟା ପରେ ଅବଶିଷ୍ଟ ଟଙ୍କା ଦେବାକୁ ଦିଲୀପ ହତ୍ୟାକାରୀମାନଙ୍କୁ କହିଥିଲେ। ମୁଖ୍ୟ ହତ୍ୟାକାରୀ ରଜତ ନାଁରେ ପ୍ଲାଣ୍ଟସାଇଟ୍‌, ଉଦିତନଗର ଥାନାରେ ଦୁଇଟି ଅପରାଧିକ ମାମଲା ରହିଛି। ଦିଲୀପ ନାଁରେ ଗୋଟିଏ ରାଜୁ ନାଁରେ ୭ଟି, ସାରଦା ନାଁରେ ୬ଟି ଅପରାଧିକ ମାମଲା ରହିଥିବା ପୁଲିସ କହିଥିଲା। ଅନ୍ୟପଟେ ବଜରଙ୍ଗ ଦଳର ପଶ୍ଚିମ ଓଡ଼ିଶା ଗୋ ସୁରକ୍ଷା ପ୍ରମୁଖ ରାଜୁ ସିଂଙ୍କ ଗିରଫ ଦାବିପରେ ବିଶ୍ବହିନ୍ଦୁ ପରିଷଦ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ନୀରବତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏତେ ବଡ ସମ୍ବେଦନଶୀଳ ଘଟଣାରେ ରାଉରକେଲା ଆର୍‌ଏସ୍‌ଏସ୍‌ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଥିବା ସହରର ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। ଆର୍‌ଏସ୍‌ଏସ୍‌ ନିଜର ପ୍ରତିକ୍ରିୟା ରଖିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର