ଆଳି : କାଣୀ-ଖରସ୍ରୋତାର ବନ୍ୟା ପାଣି ଆଳି ଧୋୟାଞ୍ଚଳର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଜଳମଗ୍ନ କରିରଖିଛି। ଆଜି କାଣୀ ନଦୀ ବନ୍ୟା ସୁଅରେ ଭାସି ଯାଇ ଆଳି ବ୍ଲକ ପେତପଡା ଗ୍ରାମର ବ୍ୟବସାୟୀ କେଶବ ଦାସ ନିଖୋଜ ହୋଇଯାଇଛନ୍ତି। ଅପରାହ୍ନରେ କେଶବ ଦୋକାନ ବନ୍ଦ କରି ବନ୍ୟା ପାଣିରେ ପଶି ଘରକୁ ଯାଉଥିବା ସମୟରେ ପ୍ରଖରସ୍ରୋତ ତାଙ୍କୁ ଭସାଇ ନେଇଥିଲା। ଓଡ୍ରାଫ୍ ପକ୍ଷରୁ ଖୋଜାଖୋଜି ଚାଲିଥିଲେ ହେଁ ତାଙ୍କର ପତ୍ତା ମିଳି ପାରିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବୁଡ଼ିଗଲା ଡଙ୍ଗା, କନିଷ୍ଠ ଯନ୍ତ୍ରୀଙ୍କ ସମେତ ୬ ଉଦ୍ଧାର
ଅନୁଗୁଳ : ହୀରାକୁଦ ଜଳଭଣ୍ଡାରର ୪୬ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀରେ ବନ୍ୟା ଜଳ ନିଷ୍କାସିତ ହେବା ଫଳରେ ଅନୁଗୁଳ ଜିଲ୍ଲାର ପର୍ଯ୍ୟଟନସ୍ଥଳ ଟିକରପଡ଼ା ଅଂଚଳ ଜଳମଗ୍ନ ହୋଇପଡ଼ିଛି। ଟିକରପଡ଼ା ମୁଖ୍ୟରାସ୍ତା ଉପରେ ଏବେ ଅକାତକାତ ପାଣି। ବନ୍ୟା ପୀଡ଼ିତଙ୍କୁ ସହାୟତା ଯୋଗାଇବା କାର୍ଯ୍ୟରେ ନିୟୋଜିତ ସରକରୀ କର୍ମଚାରୀମାନଙ୍କୁ ନେଇଯାଉଥିବା ଏକ ଦେଶୀ ଡଙ୍ଗା ଆଜି ଟିକରପଡ଼ାଠାରେ ବୁଡ଼ିଯାଇଛି।
ଆଜି ଅପରାହ୍ଣ ୧ଟାରେ ଅନୁଗୁଳ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ କ୍ଷମାସାଗାର ସିଂହ, ମାଣିକଯୋଡ଼ି ପଞ୍ଚାୟତ ନିର୍ବାହୀ ଅଧିକାରୀ ନିରଂଜନ ଦେହୁରୀ, ଭିଏଲ୍ଡବ୍ଲ୍ୟୁ ସୋମନାଥ ଦାସ, ନାଉରିଆ ଗୋଗୁଆ ବେହେରାଙ୍କ ସହିତ ୬ ଜଣ ଟିକରାପଡ଼ା ହାଇସ୍କୁଲ ନିକଟରୁ ପଞ୍ଚାୟତ ଅଫିସକୁ ଏକ ଦେଶୀ ଡଙ୍ଗାରେ ଯାଉଥିଲେ। ଅଚାନକ ମଝି ରାସ୍ତାରେ ଏହି ଛୋଟ ଦେଶୀ ଡଙ୍ଗାଟି ଭାରସାମ୍ୟ ହରାଇ ଗୋଟିଏ ପଟକୁ ପଲଟିଯାଇଥିଲା। ଦେଖୁ ଦେଖୁ ନାଉରିଆଙ୍କ ସହିତ ୬ ଜଣ ଯାକ ପାଣିରେ ପଡ଼ିଯାଇଥିଲେ। କାହାରି ପାଖରେ ଲାଇଫ୍ ଜାକେଟ୍ ନଥିଲା। ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ତେବେ, ଏକ ଡଙ୍ଗାରେ ଥିବା ସାମ୍ବାଦିକ ବିଜୟ ସ୍ବାଇଁ, ସ୍ଥାନୀୟ ବାସିନ୍ଦା ମଳୟ ବିଶୋଇ, ନାଉରିଆ ଉଚ୍ଛବ ସେଠଙ୍କ ନଜରରେ ଏହି ଘଟଣା ପଡ଼ିଥିଲା। ସେମାନେ ସଂଗେସଂଗେ ଦେବଦୂତ ଭଳି ସେଠାରେ ଜୀବନ ବଞ୍ଚାଇବା ପାଇଁ ପହଞ୍ଚି ଯାଇଥିଲେ। ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରିଥିଲେ। ଛୋଟ ଡଂଗାରେ ଅତି ସାବଧାନତାର ସହିତ ସେମାନଙ୍କୁ ନେଇ ଅଳ୍ପ ଦୂରରେ ଉଚ୍ଚ ଜାଗାରେ ଥିବା ଟିକରପଡ଼ା ରେଂଜ କାର୍ଯ୍ୟାଳୟରେ ପହଞ୍ଚାଇଥିଲେ।