ଶେରଗଡ଼: ଗଞ୍ଜାମଜିଲ୍ଲା ଶେରଗଡ଼ ଥାନା ଅଧୀନ ସୁନାନ୍ତର ଛକରେ ଗତ ଜୁଲାଇ ୨୫ ରାତିରେ ମାମା ସପ୍ଲାୟର୍ସ ମାଲିକ ନିରଞ୍ଜନ ଜେନା ଓରଫ୍‌ କାଳିଆଙ୍କ ଉପରକୁ ବୋମାମାଡ଼ ସହ ଗୁଳି କରି ହତ୍ୟା ଉଦ୍ୟମ ହୋଇଥିଲା। ଏହି ମାମଲାରେ ପୂର୍ବରୁ ପୁଲିସ ୪ ଜଣ ସାର୍ପସୁଟର୍‌ ଓ ସୁପାରି କିଲର୍‌ଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା। ଆଜି ଏହି ମାମଲାର ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ଦର୍ଶାଯାଇଥିବା ଶେରଗଡ଼ ବ୍ଲକ୍‌ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ସନ୍ତୋଷଙ୍କ ଗିରଫ ପ୍ରତିବାଦରେ ବହୁ ସମର୍ଥକ, ନିର୍ବାଚିତ ଜନପ୍ରତିନିଧି, ମହିଳା ଓ ବିଜେଡି କାର୍ଯ୍ୟକର୍ତ୍ତା ଶେରଗଡ଼ ଥାନା ଘେରାଉ କରିବା ସହ ବହୁ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

Advertisment

ଆଜି ଭୋର୍‌ରୁ ପୁଲିସ ସନ୍ତୋଷଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ଏହି ଖବର ପ୍ରଚାର ହେବା କ୍ଷଣି ସନ୍ତୋଷଙ୍କ ନିଜ ଗାଁ ଅଲାରିଗଡ଼ରୁ ବହୁ ସମର୍ଥକ ଥାନାରେ ପହଞ୍ଚି ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଥାନା ଆଗରେ ବିକ୍ଷୋଭ କରି ସନ୍ତୋଷଙ୍କୁ ଖଲାସ ଦାବି କରିଥିଲେ। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ ଅଭିଯୋଗ ଆଣିଥିଲେ। ଶେରଗଡ଼ ଥାନାଧିକାରୀ ବରେନ୍ଦ୍ର ଶିଆଳ,  ଆସିକା ଏସ୍‌ଡିପିଓ ସନ୍ତୋଷ କୁମାର ଜେନା ଏବଂ ପାଟପୁର ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ଓ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତଥାପି ସମର୍ଥକମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହାପରେ ଅପରାହ୍‌ଣ ସାଢ଼େ ୪ଟାରେ ପୁଲିସ ସନ୍ତୋଷଙ୍କୁ କଡ଼ା ସୁରକ୍ଷାବଳୟରେ ଡାକ୍ତରଖାନାକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ଶେରଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ତାଙ୍କୁ ହାଜର କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବା ଯୋଗୁଁ ସନ୍ତୋଷଙ୍କୁ ଆସିକା ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏହି ମାମଲାରେ ପୁଲିସ ପୂର୍ବରୁ କୃଷ୍ଣ ସେଠୀ, କାମେଶ୍ୱର ଗୌଡ଼, ଅମିତାଭ ବିଷୋୟୀ, ସୀମାଞ୍ଚଳ ବିଷୋୟୀ, ବଂଶୀଧର ବିଷୋୟୀ, ସୂରିଆ ନାଇକ, ଜମିର ଖାନ, ବଖାରି ଖାନ, ସୁଦର୍ଶନ ଗୌଡ଼, ତପନ ଗୌଡ଼ ଓ ସଲିମ ଖାନକୁ ଗିରଫ କରିଥିଲା। ସେମାନଙ୍କଠୁ ୧୦ଟି ମାଉଜର୍‌ ସହ ବାଇକ୍‌ ଏବଂ ମୋବାଇଲ୍‌ ଜବତ ହୋଇଥିଲା। ସନ୍ତୋଷଙ୍କୁ ମିଶାଇ ଏହି ମାମଲାରେ ଗିରଫଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି।