ଘୁ.ଉଦୟଗିରି : ଦିନେ ନୁହେଁ କିମ୍ବା ଦୁଇଦିନ, ୨୪ ବର୍ଷ ହେଲାଣି ବସ୍ଷ୍ଟାଣ୍ଡ ନିର୍ମାଣ ଚାଲିଛି। ୮୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଛି। ହେଲେ ନବନିର୍ମିତ ଏହି ବସ୍ଷ୍ଟାଣ୍ଡର ଭାଗ୍ୟ ଉଦୟ ହେଉନାହିଁ। ଏବେ ସହରର ରାସ୍ତାକଡ଼ ପାଲଟିଛି ବସ୍ ରହଣିସ୍ଥଳ। ଘୁ.ଉଦୟଗିରି ଏନ୍ଏସିରେ ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଏ ଭିତରେ ୪ଥର କାଉସିଲ୍ ନିର୍ବାଚନ ସରିବା ସହ ଚାରିଚାରି ଜଣ ଅଧ୍ୟକ୍ଷ ଦାୟିତ୍ବ ନେଲେଣି। ହେଲେ ବସ୍ଷ୍ଟାଣ୍ଡର ଏହି ଅବ୍ୟବସ୍ଥା ପ୍ରତି କେହି ଧ୍ୟାନ ନଦେବା ପରିତାପର ବିଷୟ ହୋଇଛି। ବର୍ତ୍ତମାନର ଏନ୍ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ବସ୍ଷ୍ଟାଣ୍ଡକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଚେଷ୍ଟା ଚାଲିଛି ଏବଂ ଖୁବ କମ୍ ଦିନ ଭିତରେ ଏହାକୁକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ୨୦୦୦ ମସିହାରେ ୪ନଂ ୱାର୍ଡ ସ୍ଥିତ ଶ୍ରୀରାମପଦା ଠାରେ ବସ୍ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଜମି ଚିହ୍ନଟ କରାଯାଇ କାମ ଆରମ୍ଭ ହୋଇଥିଲା। କିନ୍ତୁ ଜମି ଚିହ୍ନଟ ପରେ ଏଠାରେ ବସ୍ଷ୍ଟାଣ୍ଡ ନିର୍ମାଣକୁ କିଛି ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ। ଚିହ୍ନଟ ଜମି ମୁଖ୍ୟରାସ୍ତା କଡ଼ରେ ନଥିବାରୁ ସେତେବେଳେ ଏନେଇ ପ୍ରତିବାଦ କରିଥିଲେ। କିନ୍ତୁ ବିରୋଧ ସତ୍ତ୍ୱେ ଏନ୍ଏସି କର୍ତ୍ତୃପକ୍ଷ ଏଠାରେ ବସ୍ଷ୍ଟାଣ୍ଡ କାମ ଆରମ୍ଭ କରିଥିଲେ। ଯାତ୍ରୀ ବିଶ୍ରାମ ଗୃହ ସହ ପାଚେରି ଏବଂ କିଛି ପ୍ଲାଟ୍ଫର୍ମ ନିର୍ମାଣ ହୋଇ ପୁଲିସ ସହାୟତାରେ ବସ୍ ଗୁଡ଼ିକୁ ବସ୍ଷ୍ଟାଣ୍ଡକୁ ଯିବାର ବ୍ୟବସ୍ଥା କରାଗଲା। ମାତ୍ର ଅଳ୍ପ କିଛିଦିନ ପରେ ବସ୍ଷ୍ଟାଣ୍ଡକୁ ଆଉ ଯାତ୍ରୀବାହୀ ବସ୍ ଗଲେନାହିଁ। ବିଭିନ୍ନ ସମସ୍ୟା ଆଳ ଦେଖାଇ ରାସ୍ତାକଡରେ ହିଁ ବସ୍ ରଖି ଯାତ୍ରୀଙ୍କୁ ଉଠଇବା, ଓହ୍ଲାଇବା ଜାରି ରଖିଲେ। ବସ୍ଷ୍ଟାଣ୍ଟ ଅବ୍ୟବସ୍ଥା ଭିତରେ ପଡ଼ିରହିବାରୁ କିଛିବର୍ଷ ପରେ ଏଠାରେ ଥିବା ଯାତ୍ରୀ ବିଶ୍ରାମଗୃହ ଉଭେଇ ଯାଇଥିଲା। ପୁଣି ଏହାର ୮ ବର୍ଷ ପରେ ୨୦୦୮-୦୯ ଆର୍ଥିକ ବର୍ଷରେ ବସ୍ଷ୍ଟାଣ୍ଡ ଚାଲୁ କରିବା ନିମନ୍ତେ ମନ ବଳାଇଥିଲେ ଏନ୍ଏସି କର୍ତ୍ତୃପକ୍ଷ। ବସ୍ଷ୍ଟାଣ୍ଡର ପାଚେରି, ପ୍ଲାଟଫର୍ମ ସମେତ ଯାତ୍ରୀ ବିଶ୍ରାମଗୃହ ଓ ଦୋକାନ ଗୃହ ନିର୍ମାଣ କରାଗଲା। ଏହା ସତ୍ତ୍ବେ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରା ଯାଇପାରି ନଥିଲା।
ଏହାପରେ ପୁଣି ୨୦୧୫ରେ ଏଥିପ୍ରତି ଧ୍ୟାନ ଦେଲେ ଏନ୍ଏସି କର୍ତ୍ତୃପକ୍ଷ। ଲକ୍ଷାଧିକ ଟଙ୍କା ବ୍ୟୟରେ ହାଇମାଷ୍ଟ୍ ଲାଇଟ୍ ଲଗାଗଲା। ପୁନର୍ବାର ୨୦୧୬-୧୭ରେ ୮ଟି ଦୋକାନ ଗୃହ, ପ୍ଲାଟଫର୍ମ, ପାଚେରି, ୨୦୧୭-୧୮ରେ ଶୌଚାଳୟ ନିର୍ମାଣ କରାଗଲା। କ୍ରମାନ୍ବୟରେ ହିସାବ କଲେ ପ୍ରାୟ ୮୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଏ ଭିତରେ ବ୍ୟୟ କରାଗଲାଣି। ବସ୍ଷ୍ଟାଣ୍ଡ ଭିତରେ ନିର୍ମାଣ ୮ଟି ଦୋକାନ ଗୃହ ଏବେ ଖତ ଖାଉଥିବା ବେଳେ ପୁଣି କିଛି ଦୋକାନ ଗୃହ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସମୟରେ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ ନିମନ୍ତେ ଦାବି ଉଠିଛି। ସହରବାସୀ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି। କିନ୍ତୁ ଫଳ ଶୂନ୍। ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବା ଫଳରେ ଏବେ ସହରରେ ଏଣେତେଣେ ମୁଖ୍ୟ ରାସ୍ତାକଡ଼ରେ ବସ୍ ରହଣି ଯୋଗୁଁ ଟ୍ରାଫିକ୍ ସମସ୍ୟା ଗୁରୁତର ରୂପ ଧାରଣ କରିବାରେ ଲାଗିଛି। ତେଣୁ ତୁରନ୍ତ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ଜୋର୍ ଧରିଛି।