କଟକ: କଟକ ମଣିସାହୁ ଛକରେ ଘଟିଛି ବଡ଼ ଧରଣର ଅଘଟଣ। କ୍ୟାଣ୍ଟନମେଣ୍ଟ ସ୍କୁଲ ସାମନାରେ ଥିବା ଏକ ଆପାର୍ଟମେଣ୍ଟର ବାଲକୋନି ମରାମତି ସମୟରେ ଭାଙ୍ଗିଯାଇ ଦୁଇ ଜଣଙ୍କ ଘର ଉପରେ ପଡ଼ିଥିଲା। ଫଳରେ ଗୋଟିଏ ପରିବାରର ବାପା, ପୁଅ ଓ ନାତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁଇ ପରିବାରର ଆହୁରି ୬ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଅବଦୁଲ ଜଲିଲ(୬୦), ତାଙ୍କ ପୁଅ ଅବଦୁଲ ଜାହିଦ(୩୦), ନାତି ତଥା ଜାହିଦଙ୍କ ବଡ଼ ପୁଅ ଅବଦୁଲ ମୁଜାହିଦ(୫ ମାସ)। ସେହିଭଳି ଆହତମାନେ ହେଲେ ଜଲିଲଙ୍କ ପତ୍ନୀ ସାବେରା ବିବି(୫୨), ଜାହିଦଙ୍କ ପତ୍ନୀ ସାହିନା ବିବି(୨୯), ଜାହିଦଙ୍କ ସାନପୁଅ ଅବଦୁଲ ରେହେମାନ(୩ ମାସ), ପଡ଼ୋଶୀ ଅବଦୁଲ ସବିରଙ୍କ ଘରକୁ ଆସିଥିବା ପୁତୁରା ରେହାନ ଖାଁ(୮), ସାବିରଙ୍କ ମା’ ରେହମତ ତୁନିସା(୫୦), ସାବିରଙ୍କ ପତ୍ନୀ ଵାହିଦା ବେଗମ(୨୪)। ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଆସନ୍ତାକାଲି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ।

Advertisment

ସୂଚନା ଅନୁଯାୟୀ କଟକ ବକ୍ସିବଜାର ମଣିସାହୁ ଛକ ନିକଟରେ ଥିବା ଏକ ଅସୁରକ୍ଷିତ ୬ ମହଲା ବିଶିଷ୍ଟ କୋଠାରେ ପାଖାପାଖି ୨୦ ପରିବାର ରହୁଥିଲେ। ଏହି କୋଠାର ମାଲିକ ହେଉଛନ୍ତି ସେଖ୍‌ ଲାଲା। ପାରିବାରିକ ବିବାଦ ଯୋଗୁଁ ଏହା ବହୁବର୍ଷ ଧରି ମରାମତି ହେଉ ନଥିଲା। ଏହି କୋଠା ପାର୍ଶ୍ବକୁ ଲାଗି କରି ପାଖାପାଖି ୧୫ ପରିବାର ରହୁଥିଲେ। ଏହି କୋଠା ଆଗରେ ପ୍ରାଥମିକ ସ୍କୁଲ ରହିଛି। ଏହି କୋଠାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲେ ବି ତାହାକୁ ଭଙ୍ଗାଯାଇ ନଥିଲା। ଏହି ଅସୁରକ୍ଷିତ କୋଠାର ଏକ ବାଲକୋନି ଗଲା ତିନି ଦିନ ହେବ ମରାମତି କରାଯାଉଥିଲା। ଶନିବାର ଅପରାହ୍ଣ ପ୍ରାୟ ୪ଟା ୪୫ ବେଳେ ଏହି ବାଲକୋନି ହଠାତ୍‌ ଖସି ପଡ଼ିଥିଲା। ବାଲକୋନିର ସିମେଣ୍ଟ, ଇଟା ଜଲିଲ ଓ ତାଙ୍କ ପୁତୁରା ଅବଦୁଲ ସବିରଙ୍କ ଘରର ଆଜବେଷ୍ଟସ୍ ଉପରେ ପଡ଼ିଥିଲା। ଘର ଭିତରେ ଥିବା ଜଲିଲଙ୍କ ସମେତ ପୁଅ ଜାହିଦ ଓ ନାତି ମୁଜାହିଦ ଭିତରେ ଚାପି ହୋଇଯାଇଥିଲେ। ସେହିଭଳି ପୁତୁରା ସବିରଙ୍କ ଘର ଉପରେ ସିମେଣ୍ଟ ଖଣ୍ଡ ପଡ଼ିବାରୁ ପରିବାର ସଦସ୍ୟ ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ଖବରପାଇ ବକ୍ସିବଜାର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଚାପି ହୋଇଯାଇଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଉଭୟ ପରିବାରର ୬ ଜଣ ଘର ବାହାରେ ଥିବାରୁ ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ସାହରି ରେହାନ ନିୟମିତ ସବିରଙ୍କ ଘର ନିକଟକୁ ଟ୍ୟୁସନ ଆସୁଥିଲେ। ଶନିବାର ଟ୍ୟୁସନ ଆସିଥିବା ସମୟରେ ଏଭଳି ଅଘଟଣର ଶିକାର ହୋଇଛି। ଏଭଳି ଅଘଟଣ ପରେ ମୃତ ଜଲିଲଙ୍କ ବଡ଼ ପୁଅ ଅବଦୁଲ ଜମିର କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅସୁରକ୍ଷିତ ଘୋଷଣା ସତ୍ତ୍ବେ ଭାଙ୍ଗି ନ ଥିଲେ

ଅନ୍ୟପଟେ ଜାହିଦ ଜଗତପୁର ଥାନା ଅନ୍ତର୍ଗତ ପାଗାରେ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରୁହନ୍ତି। ସେ ପିଠାପୁରରେ ଥିବା ଏକ ବୁଲେଟ୍‌ ପାର୍ଟସ ଦୋକାନରେ କାମ କରୁଥିଲେ। ସେ ଶନିବାର ଛୁଟି ନେଇ ଘରକୁ ଆସିଥିଲେ। ଘର ଭିତରେ ବାପା ଜଲିଲ ଓ ପୁଅ ମୁଜାହିଦ ସହିତ ଥିବା ବେଳେ ଏଭଳି ଅଘଟଣ ଘଟିଛି। ଜଲିଲ ଘରର ସାନ ପୁଅ ହୋଇଥିବା ବେଳେ ତାଙ୍କର ବଡ଼ ଭାଇ ଅବଦୁଲ ଜମିର, ପତ୍ନୀ ଓ ଝିଅ ଅଛନ୍ତି। ସମ୍ପର୍କୀୟ ଵାହିଦା ବେଗମଙ୍କ କହିବା ଅନୁଯାୟୀ, ଘରର ରୋଜଗାରିଆ ଲୋକ ଚାଲିଗଲେ। ଦେଢ଼ଶୁର, ଦିଅର ଓ ଦିଅରର ପୁଅ ସମସ୍ତେ ଫସିଗଲେ। ସେମାନଙ୍କୁ ଡାକ୍ତରଖାନାକୁ ଆଣିବା ପରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟମାନେ ଦୂରରେ ଛିଡ଼ା ହୋଇଥିବାରୁ ଅଳ୍ପକେ ବଞ୍ଚିଗଲେ ବୋଲି ଵାହିଦା କହିଛନ୍ତି।

ଏହି ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପିଛା ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସା ବ୍ୟବସ୍ଥା‌ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା କହିଛନ୍ତି। ଅଘଟଣ ପରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ ବଡ଼ ଡାକ୍ତରଖାନାରେ ପହଞ୍ଚି ଆହତଙ୍କୁ ଭେଟିଥିଲେ। ସେ କହିଛନ୍ତି ଯେ ଏହି କୋଠା ଅସୁରକ୍ଷିତ ଥିବା ସମ୍ପର୍କରେ ସିଏମ୍‌ସିକୁ ଲିଖିତ ଭାବେ ଅବଗତ କରାଯାଇଛି। ସରକାର ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ସହିତ ତଦନ୍ତ କରି ଏଥିପାଇଁ ଦାୟୀ କିଏ ସ୍ପଷ୍ଟ କରନ୍ତୁ। ଆଗାମୀ ଦିନରେ ଏଭଳି ଅସୁରକ୍ଷିତ କୋଠା ଠାବ କରି ମରାମତି କରିବା କ୍ଷେତ୍ରରେ ତ୍ବରିତ ପଦକ୍ଷେପ ନେବା ଆବଶ୍ୟକ। ଅସୁରକ୍ଷିତ କୋଠା ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ମଧ୍ୟ କରିଛି। ପ୍ରାଥମିକ ସ୍କୁଲ କୋଠାଗୁଡ଼ିକ ଅସୁରକ୍ଷିତ ଘୋଷଣା ହୋଇଥିବା ବେଳେ ସମୟ ଭିତରେ ପ୍ରଶାସନିକ ଅଧିକାରୀ ଭାଙ୍ଗିବା କଥା। କିନ୍ତୁ ତାହା ହୋଇପାରୁନାହିଁ।  ଯେଉଁଠି ଅସୁରକ୍ଷିତ କୋଠା ରହିଛି ସେଗୁଡ଼ିକ ସୁରକ୍ଷିତ ଭାବେ ଭଙ୍ଗାଯାଉ ନଚେତ୍‌ ମରାମତି କରାଯାଉ ବୋଲି ବିଧାୟିକା କହିଛନ୍ତି।