ଦୋକାନୀ କିଣିଲେ ୪ କୋଟିର ମଦ

ଆଜି ବି ଖୋଲିପାରିଲାନି ୯ ଶହ ମଦ ଦୋକାନ
ସ୍ବିଗି, ଜୋମାଟୋ ସର୍ତ୍ତରେ ମଦ ଦୋକାନୀ ନାରାଜ
ହୋମ୍‌ ଡେଲିଭରି କରିବେ ୯ ହଜାର ସେଲ୍ସମ୍ୟାନ୍

କଟକ : ଅନଲାଇନରେ ମଦ କାରବାର ଆରମ୍ଭର ଦ୍ବିତୀୟ ଦିନରେ ରାଜ୍ୟରେ ପାଖାପାଖି ୧୧ ଶହ ଦୋକାନ ଖୋଲିଛି। ଅବଶିଷ୍ଟ ୯୮୨ ଦୋକାନ ଖୋଲିବା ସମ୍ଭବପର ହୋଇପାରି ନାହିଁ। ଜିଲ୍ଲା ଅବକାରୀ ବିଭାଗ ଷ୍ଟକ ଯାଞ୍ଚ କରିବା ପ୍ରକ୍ରିୟା ଶେଷ କରିନଥିବାରୁ ଦୋକାନ ସମ୍ପୂର୍ଣ୍ଣ ଭାବ ଖୋଲିପାରି ନାହିଁ। ଅନ୍ୟପଟେ ଗଲାକାଲି ଓ ଆଜି ରାଜ୍ୟର ୮ଟି ମଦ ନିଗମ(ଓଏସବିସି)ରେ ମୋଟ ୩ କୋଟି ୯୦ ହଜାର ଟଙ୍କାର ଉଭୟ ବିଦେଶୀ ଓ ବିଅର ମଦ ଦୋକାନ ମାଲିକ କାଉଣ୍ଟର ପାଇଁ କିଣିଛନ୍ତି। ଏବେ ହୋମ ଡେଲିଭରି ପାଇଁ ସ୍ବିଗି ଏବଂ ଜୋମାଟୋକୁ ଅବକାରୀ କମିସନର ଅନୁମତି ଦେଇଥିବା ବେଳେ ମଦ ମାଲିକ ସଂଘ କିନ୍ତୁ ସଂସ୍ଥାର ସର୍ତ୍ତ ମାନିବାକୁ ନାରାଜ। ଏଭଳି ସ୍ଥିତିରେ ହୋମ୍ ଡେଲିଭରି କେବଳ ଦୋକାନ ସେଲ୍ସମ୍ୟାନ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଗଲା ମାର୍ଚ୍ଚ ୨୧ ତାରିଖରୁ ବନ୍ଦ ରହିଥିଲା ମଦ କାରବାର। ଗଲାକାଲି ଅର୍ଥାତ ମେ ୨୪ ତାରିଖରୁ ଅନଲାଇନରେ ଉଭୟ ଅଫ୍ ଓ ଅନ୍ ସପ୍ ମାଲିକ ମଦ ବିକ୍ରି କରିବାକୁ ସରକାର ଅନୁମତି ଦେଇଥିଲେ। କିନ୍ତୁ ଅନଲାଇନରେ ମଦ କାରବାର ହେଲେ ସେହି ଅନୁପାତରେ ମଦ ବିକ୍ରି ହେବା ନେଇ ବିଦେଶୀ ମଦ ମାଲିକ ସଂଘ ଆଶଙ୍କା କରିଥିଲେ। ଏମଜିକ୍ୟୁ ଛାଡ଼ ଏବଂ ଡେଲିଭରି କରିବାକୁ ଯାଉଥିବା ସେଲ୍ସମ୍ୟାନଙ୍କୁ ପୁଲିସ ସୁରକ୍ଷା ଦାବିରେ ଗଲାକାଲି କଟକ, ଭୁବନେଶ୍ବର, ବ୍ରହ୍ମପୁର ଇତ୍ୟାଦି ଜିଲ୍ଲାରେ ମଦ ମାଲିକ ସଂଘ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଅବଶିଷ୍ଟ ଜିଲ୍ଲା ଯେମିତିକି ରାଉରକେଲା, ଭବାନୀପାଟଣା, ନବରଙ୍ଗପୁର, ନୟାଗଡ଼, ବାଲେଶ୍ବର, ଢେଙ୍କାନାଳ, ପୁରୀ, ସମ୍ବଲପୁର ଇତ୍ୟାଦି ଜିଲ୍ଲାରେ ମଦର ହୋମ ଡେଲିଭରି କରାଯାଇଥିଲେ ସୁଦ୍ଧା ସେଭଳି ଢଂଗରେ ବ୍ୟବସାୟ ହୋଇନଥିଲା। ପାଖାପାଖି ଦୁଇ କୋଟି ଟଙ୍କା ଭିତରେ ରାଜ୍ୟରେ ମଦ ବ୍ୟବସାୟ ହୋଇଥିଲା। ଆଜି ବି ସେଭଳି ସ୍ଥିତି ଦେଖାଯାଇଛି। ରାଜ୍ୟରେ ଥିବେ ୨ ହଜାର ୮୨ ଦୋକାନରୁ ହାରାହାରି ୧୧ ଶହ ଦୋକାନ ଖୋଲିପାରିଛି। ମୋଟାମୋଟି ଭାବେ ୨ କୋଟି ଟଙ୍କାର କାରବାର ବି ଟପିନାହିଁ। ଜିଲ୍ଲା ଅବକାରୀ ବିଭାଗ ଦୋକାନର ପୂର୍ବ ଷ୍ଟକ ଯାଞ୍ଚ ପ୍ରକ୍ରିୟା ଶେଷ କରିପାରି ନଥିବାରୁ ଦୋକାନ ସମ୍ପୂର୍ଣ୍ଣ ଭାବେ ଆଜି ଖୋଲିବାରେ ସଫଳ ହୋଇପାରିନଥିବା ମଦ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ପୂର୍ବ ଷ୍ଟକ ଯାଞ୍ଚ ପରେ ସେଥିରେ ବି ସରକାର କୋଭିଡ ଟ୍ୟାକ୍ସ ଲଗାଇବେ। ହଠାତ୍ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଷ୍ଟକ୍ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଅନ୍ୟପଟେ ଦେଶର ପ୍ରମୁଖ ଅନଲାଇନ୍ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସ୍ବିଗି ଓ ଜୋମାଟୋକୁ ଅବକାରୀ କମିସନର ମଦର ହୋମ୍ ଡେଲିଭରି ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏବେ ମଦ ଦୋକାନୀ ସ୍ବିଗି ଓ େଜାମାଟୋକୁ ହୋମ ଡେଲିଭରି କରିବାକୁ ଅନୁମତି ଦେବାକୁ ରାଜି ନୁହନ୍ତି। ଏହି ଖାଦ୍ୟ ଯୋଗାଣକାରୀ ସଂସ୍ଥା ଯେଉଁ ଦିନ ଦୋକାନୀଙ୍କଠାରୁ ମଦ ନେବେ, ତାହାର ଏକ ସପ୍ତାହ ପରେ ପୁରା ସପ୍ତାହର ଟଙ୍କା ଦେବେ। ଏଭଳି ସର୍ତ୍ତକୁ ମଦ ମାଲିକମାନେ ନାପସନ୍ଦ କରିଛନ୍ତି। ଓଏସବିସି(ଓଡ଼ିଶା ମଦ ନିଗମ)ରୁ ମଦ ଦୋକାନ ମାଲିକମାନେ ଅଗ୍ରିମ ଟଙ୍କା ଜମା କରିବା ପରେ ମଦ କିଣୁଛନ୍ତି। ଏଭଳି ସ୍ଥିତିରେ ସ୍ବିଗି ଓ ଜୋମାଟୋକୁ ବାକିରେ ମଦ ଦେଇ ଏକ ସପ୍ତାହ ପରେ ଟଙ୍କା ପାଇବା ସର୍ତ୍ତକୁ ରାଜ୍ୟର କୌଣସି ମଦ ମାଲିକମାନେ ଗ୍ରହଣ କରୁନାହାନ୍ତି। ତେବେ ସେମାନେ ସରକାରଙ୍କ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ନିଜ ସେଲ୍ସମ୍ୟାନ୍ ମାଧ୍ୟମରେ ମଦ ହୋମ ଡେଲିଭରି କରିବାକୁ ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି। ଗୋଟିଏ କାଉଣ୍ଟରରେ ହାରାହାରି ୪ ଜଣ ହିସାବରେ ରାଜ୍ୟରେ ଏବେ ୨ ହଜାର ୮୨ ମଦ ଦୋକାନରେ ପାଖାପାଖି ୮ ହଜାର ୮୦୦ ଲାଇସେନ୍ସ ପ୍ରାପ୍ତ ସେଲ୍ସମ୍ୟାନ୍ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମାଧ୍ୟମର ମଦ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟରେ କଟକ ନିର୍ଗୁଣ୍ଡି ସମେତ ବଲାଙ୍ଗୀର, ବାଲେଶ୍ବର, ବ୍ରହ୍ମପୁର, ଚଣ୍ଡିଖୋଲ, ଖୋର୍ଧା, ରାୟଗଡ଼ା ଏବଂ ସମ୍ବଲପୁରରେ ୯ଟି ମଦ ନିଗମ ଥିବା ବେଳେ ଗଲାକାଲି କେବଳ ବାଲେଶ୍ବର ମଦ ନିଗମରୁ ମଦ ମାଲିମାନେ ମଦ କିଣିଥିଲେ। ବାଲେଶ୍ବର ମଦ ନିଗମରୁ ୪୨୯ ପେଟି ବିଦେଶୀ ମଦ(୨୧ ଲକ୍ଷ ୬ ହଜାର ଟଙ୍କା) ଏବଂ ୩୦ ପେଟି(୩୩ ହଜାର ଟଙ୍କା)ର ମୋଟ ୨୧ ଲକ୍ଷ ୪୦ ହଜାର ଟଙ୍କା ମଦ ଦୋକାନୀ କିଣିଥିଲେ। ସେହିପରି ଆଜି ଚଣ୍ଡିଖୋଲ ମଦ ନିଗମକୁ ବାଦ୍ ଦେଲେ ଅବଶିଷ୍ଟ ୮ଟି ମଦ ନିଗମରେ ମଦ କାରାବାର ହୋଇଥିଲା। ବିଦେଶୀ ମଦ ୪୬୬୮ (୨ କୋଟି ୫୫ ଲକ୍ଷ ୪୫ ହଜାରଟଙ୍କା) ଏବଂ ବିଅର ୧୮୫୧ ପେଟି(୨୪ ଲକ୍ଷ ୪୦ ହଜାର ୪୦୨ ଟଙ୍କା)ର ମୋଟ ୨ କୋଟି ୭୯ ଲକ୍ଷ ୫୦ ହଜାର ଟଙ୍କାର ମଦ ଦୋକାନୀମାନେ କିଣିଛନ୍ତି।

ତେବେ ଓଡ଼ିଶା ମଦ ନିଗମ ଓ୍ବେବସାଇଟ https://osbc.co.in/ରୁ ଅଫ୍ ଓ ଅନ୍ ସପ ମଦ ଦୋକାନର ନମ୍ବର କାଢ଼ି େଯାଗାଯୋଗ କରିବା ସବୁ ବର୍ଗର ଲୋକଙ୍କ ପାଇଁ ସମ୍ଭବପର ହେଉନଥିବାରୁ ଲୋକେ ସିଧା କାଉଣ୍ଟରକୁ ମାଡ଼ି ଆସିଥିଲେ।

ଅବକାରୀ କମିସନର ଅଞ୍ଜନ କୁମାର ମାଣିକ କହିଛନ୍ତି ଯେ ରାଜ୍ୟରେ ଆଜିଠାରୁ ବିକ୍ରି ଆରମ୍ଭ ହୋଇଯାଇଛି। କଟକ, ଭୁବନେଶ୍ବର, ବ୍ରହ୍ମପୁରରେ ମଦ ଦୋକାନ ଖୋଲିବାକୁ ନେଇ ବିବାଦ ଥିଲା ତାହାର ସମାଧାନ ହୋଇଛି। ଦୋକାନର ଷ୍ଟକ ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏମଜିକ୍ୟୁ ଗୋଟିଏ ବର୍ଷର ହିସାବ କରାଯାଏ। ମାସିକିଆ କରାଯାଏ ନାହିଁ। ଏମଜିକ୍ୟୁ ଛାଡ଼ ସମ୍ପର୍କିତ ଯେଉଁ ଦାବି ଉଠୁଛି, ଏ ସମ୍ପର୍କରରେ ସରକାରଙ୍କ ନିକଟରେ ଆଲୋଚନା କରାଯିବ। ଠିକ ସମୟରେ ନିଷ୍ପତ୍ତି ନିଆଯିବ। ସ୍ବିଗି, ଜୋମାଟୋକୁ ଅନୁମତି ଦିଆଯାଇଛି। କିନ୍ତୁ ରିଟେଲରଙ୍କ ସହିତ ସେମାେନ ଆଲୋଚନା କରି ଡେଲିଭରି ଆରମ୍ଭ କରିବେ। ଦୋକାନୀ ନିଜେ ବି ସେଲ୍ସମ୍ୟାନ୍ ମାଧ୍ୟମରେ କାରବାର କରିପାରିବେ ବୋଲି ଶ୍ରୀ ମାଣିକ କହିଛନ୍ତି।

ସମ୍ବନ୍ଧିତ ଖବର