ନାପକିନ୍ କିଣାରେ ଅନିୟମିତତା ଅଭିଯୋଗ : ନିଷ୍ପତ୍ତି ନେବାକୁ ସ୍ବାସ୍ଥ୍ୟ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ‘ଖୁସି’ ଯୋଜନା ପାଇଁ ସାନିଟାରି ନାପକିନ୍ କିଣାରେ ଅନିୟମିତତା ଅଭିଯୋଗର ଶୁଣାଣି କରି ନିଷ୍ପତ୍ତି ଗ୍ରହଣ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ଅଭିଯୋଗ ଉପରେ ଦୁଇମାସ ଭିତରେ ନିଷ୍ପତ୍ତି ନେଇ ଉପଯୁକ୍ତ ନିର୍ଦ୍ଦେଶନାମା ସଚିବ ପ୍ରଦାନ କରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେଦାରନାଥ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନ‌ିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ‘ଖୁସି’ ଯୋଜନାରେ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ମାଗଣାରେ ସାନିଟାରି ନାପକିନ୍ ପ୍ରଦାନ ପାଇଁ ସରକାର ୨୦୧୮ରେ ଘୋଷଣା କରିଥିଲେ। ଏଥିପାଇଁ ସରକାର ଘରୋଇ ସଂସ୍ଥା ନିକଟରୁ ସାନିଟାରି ନାପକିନ୍ ଖରିଦ କରୁଥିଲେ। ନାପକିନ୍ କିଣାରେ ବ୍ୟାପକ ଅନିୟମିତତା ନେଇ ଆବେଦନକାରୀ ୨୦୧୯ ନଭେମ୍ବର ୫ରେ ଅଭିଯୋଗ କରିଥିଲେ। ଏ ନେଇ ସେ ହାଇକୋର୍ଟରେ ପରବର୍ତ୍ତୀ ସମୟରେ ଜନସ୍ବାର୍ଥ ମାମଲା ମଧ୍ୟ ରୁଜୁ କରିଥିଲେ। ୨୦୧୯ ଡିସେମ୍ବର ୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ୬ ସପ୍ତାହ ଭିତରେ ଆବେଦନକାରୀଙ୍କ ଅଭିଯୋଗ ଉପରେ ନିଷ୍ପତ୍ତି ନେବାକୁ ସ୍ବାସ୍ଥ୍ୟ ସଚିବ ତଥା ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍ ଲିମିଟେଡ୍ (ଓଏସ୍‌ଏମସିଏଲ୍) ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଜ୍ୟ ବାହାରର ଏକ ସଂସ୍ଥାରୁ ୨୧ କୋଟି ଟଙ୍କାର ନାପକିନ୍ କିଣିବା ପାଇଁ ଓଏସ୍‌ଏମସିଏଲ୍ ନିଷ୍ପତ୍ତି ନେଇଥିଲା। ଏ ସଂପର୍କିତ ପର୍ଚେଜ୍ ଅର୍ଡର ୨୦୧୯ ଡିସେମ୍ବର ୨୭ରେ ଓଏସ୍‌ଏମସିଏଲ୍ ଜାରି କରିଥିଲା। ପୂର୍ବରୁ ଗୋଟିଏ ନାପକିନ୍‌କୁ ୧.୭୪ ଟଙ୍କାରେ କିଣା ଯାଉଥିବା ବେଳେ ନିକଟରେ ନାପକିନ୍‌ ଗୋଟିଏକୁ ୨.୩୦ ଟଙ୍କା ଦରରେ ଖରିଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାଦ୍ବାରା ରାଜକୋଷରୁ ପ୍ରାୟ ୫କୋଟି ୧୧ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ‌ ହେବା ନିଶ୍ଚିତ ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଏପରି ଅନିୟମିତତା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି କର୍ଣ୍ଣପାତ କରି ନଥିଲା। ଏହାପରେ ସେ ସ୍ବାସ୍ଥ୍ୟ ସଚିବ, ଅର୍ଥ ସଚିବ, ଓଏସ୍‌ଏମସିଏଲ୍ ପରିଚାଳନା ନିର୍ଦ୍ଦେଶକ ଓ ରାଧେ ହାଇଜିନ୍ ପ୍ରଡକ୍ଟସ୍‌କୁ ପକ୍ଷଭୁକ୍ତ କରି ହାଇକେର୍ଟରେ ଏ ନେଇ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର