ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଇ-ରେଜି‌େଷ୍ଟ୍ରସନ୍‌ ଆପ୍‌କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପିତ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ‌ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଇ-ରେଜିଷ୍ଟ୍ରେସନ୍‌ ଆପ୍ ଡିଜିଟାଲ ସେବା ପ୍ରଦାନରେ ରାଜ୍ୟ ସରକାରଙ୍କ ଏକ ବଡ଼ ମାଇଲଖୁଣ୍ଟ। ଗତ ବର୍ଷକ ମଧ୍ୟରେ ରାଜସ୍ବ ବିଭାଗ ଯେଉଁ ସବୁ ପଦକ୍ଷେପ ନେଇଛି ତାହାଦ୍ବାରା ରାଜସ୍ବ ସେବା ଏବେ ଲୋକଙ୍କ ନିକଟତର ହୋଇପାରିଛି।
ଏହି ଆପ୍ ମଧ୍ୟମରେ ଲୋକମାନେ ଘରେ ବସି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ ମାଧ୍ୟମରେ ରେଜିଷ୍ଟ୍ରେସନ୍‌ ଡିଡ୍ ପାଇଁ ସ୍ଲଟ୍‌ ବୁକିଂ, ସାର୍ଟିଫାଏଡ୍‌ କପି  ଓ ଇସି ପାଇଁ ଆବେଦନ କରିପାରିବେ। ଜମିର ବେଞ୍ଚମାର୍କ ଭାଲ୍ୟୁ ମଧ୍ୟ ଏହି ଆପ୍ ମାଧ୍ୟମରେ ଜାଣିହେବ। ଉପରୋକ୍ତ ଯେଉଁ ରାଜସ୍ବ ସେବା ପାଇଁ ଏବେ ଯେତିକି ଦେୟ ଦେବାକୁ ପଡ଼ୁଛି ଆପ୍ ମାଧ୍ୟମରେ ମଧ୍ୟ ସେତିକି ଦେୟ ଦେବାକୁ ପଡ଼ିବ। ଏହି ଆପ୍‌ରେ ଲୋକଙ୍କୁ ସମସ୍ତ ସବ୍ ରେଜିଷ୍ଟ୍ରାର ଅଫିସ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ମିଳିବ। ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପେପରଲେସ୍ ଏବଂ କ୍ୟାସ୍‌ଲେସ୍‌ ହୋଇପାରିଛି। ଏପରିକି ଯଦି ସବ୍‌ ରେଜିଷ୍ଟ୍ରାରଙ୍କୁ ଘରକୁ ଡାକି ଜମି ପଞ୍ଜୀକରଣ କରିବାକୁ ଚାହୁଥିବେ ତେବେ ଆବେଦନକାରୀଙ୍କୁ ଏହି ଆପ୍ ମାଧ୍ୟମରେ ସମସ୍ତ ଡକ୍ୟୁମେଣ୍ଟ ଜମା କଲେ ଉକ୍ତ ‌ସୁବିଧା ମିଳିବ। ଏହି ବ୍ୟବସ୍ଥାକୁ ଦଲାଲ୍‌ମୁକ୍ତ କରିବା ପାଇଁ ଆବେଦନକାରୀଙ୍କୁ ଆଧାରକାର୍ଡ/ପାନ୍‌ କାର୍ଡର ନମ୍ବର ଦେବାକୁ ପଡ଼ିବ। ଏହାପରେ ମୋବାଇଲ୍‌କୁ ଏକ ଓଟିପି ଆସିବ। ଏହି ଓଟିପି ଦେଇ ସମସ୍ତ ଆବେଦନ କରିହେବ। ଏହି ବ୍ୟବସ୍ଥା ଦ୍ବାରା ସବ୍ ରେଜିଷ୍ଟ୍ରାର ଅଫିସରେ ଅଯଥା ଭିଡ଼ ହ୍ରାସ ପାଇବ ବୋଲି ବିଭାଗ ଆଶା ରଖିଛି। ଆଗାମୀ ଦିନରେ ରାଜସ୍ବ ବିଭାଗର ଅନ୍ୟ ସମସ୍ତ ସେବାକୁ ନେଇ ଆଉ ଏକ ନୂଆ ଆପ୍ ଆସିବ। ଏବେ କେବଳ ଆଣ୍ଡ୍ରଏଡ୍ ମୋବାଇଲ୍ ପାଇଁ ଆପ୍ ପ୍ରସ୍ତୁତ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଆଇଫୋନ୍ ପାଇଁ ଆପ୍ ପ୍ରସ୍ତୁତ ହେବ।
ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜସ୍ବ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ବାତ୍ୟା, ବନ୍ୟା ଆଦି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଖୁବ ସଫଳ। ବିପର୍ଯ୍ୟୟ ପରିଚାଳନାରେ ଆମ ଦକ୍ଷତା ଉପରେ ସାରା ବିଶ୍ୱର ନଜର ଅଛି। ତେଣୁ ଆମକୁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ।  
ରାଜସ୍ୱ ବିଭାଗର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ବର୍ଷକ ମଧ୍ୟରେ ବସୁନ୍ଧରା ଯୋଜନା ମାଧ୍ୟମରେ ସରକାର ୧୬,୭୨୭ ଜଣ ବାସଗୃହ ବିହୀନ ଲୋକଙ୍କୁ ଘରବାଡ଼ି ପଟ୍ଟା ଯୋଗାଇ ଦେଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ୨୦,୩୮୫ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଏବଂ କଲେଜ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। ସେହିପରି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ୪,୬୧,୬୦୨ ଖାତାକୁ ସର୍ବେକ୍ଷଣ କରାଯାଇ ୧,୧୬,୪୮୬ଜଣ ମୃତ ଲୋକଙ୍କ ରେକର୍ଡଗୁଡ଼ିକୁ ସେମାନଙ୍କ ଉତ୍ତରାଧିକାରୀଙ୍କ ନାମରେ କରାଯାଇଛି, ଏହାଦ୍ୱାରା ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇପାରୁଛନ୍ତି। 
ଏହି ଅବସରରେ ରାଜସ୍ବ ବିଭାଗର ଏକ ବର୍ଷର ସଫଳ ପୁସ୍ତିକାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରି କହିଥିଲେ, ଗତ ଏକ ବର୍ଷ ମଧ୍ୟରେ ରାଜସ୍ୱ ବିଭାଗ ହାସଲ କରିଥିବା ସଫଳତାକୁ ନେଇ ଯେଉଁ ପୁସ୍ତିକା ପ୍ରକାଶ କରିଛନ୍ତି, ତାହା କେବଳ କାର୍ଯ୍ୟକଳାପର ଏକ ତାଲିକା ନୁହେଁ। ଏହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ ଦାୟିତ୍ୱବାନ ପ୍ରଶାସନିକ ବ୍ୟବସ୍ଥା, ଦକ୍ଷତା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମର ଏକ ପ୍ରମାଣ। 
ଉପମୁଖ୍ୟମନ୍ତ୍ରୀ  କନକବର୍ଦ୍ଧନ ସିଂହଦେଓ କହିଥିଲେ, ଲୋକଙ୍କ ସରକାର ଲୋକଙ୍କ ପାଇଁ କାମ କରୁଛନ୍ତି। ଲୋକଙ୍କ ପାଇଁ ରାଜ୍ୟ ସରକାର ଯେପରି ଭାବେ ସଫଳତାର ସହ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ବାତ୍ୟା ‘ଦାନା’ ସମୟରେ ମୁଖ୍ୟମନ୍ତ୍ରୀ ୭ ଦିନ ଧରି ସକାଳୁ ବିଳମ୍ୱିତ ସମୟ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ରହି ବାତ୍ୟା ପରିଚାଳନାର ସିଧାସଳଖ ତଦାରଖ କରିଥିଲେ। ତାଙ୍କର କାର୍ଯ୍ୟଧାରା ନିଷ୍ଠା ଓ ପ୍ରତିବଦ୍ଧତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶଂସା କରି ସେ କହିଥିଲେ, ବର୍ଷକ ମଧ୍ୟରେ ଆମେ ଯେଉଁ ସଫଳତା ହାସଲ କରିଛୁ, ସେଥିପାଇଁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ। ଓଡ଼ିଶାକୁ ରାଜସ୍ୱ ସେବା ପ୍ରଦାନ କ୍ଷେତ୍ରରେ ଭାରତର ଶ୍ରେଷ୍ଠ ରାଜ୍ୟ କରିବାକୁ ପଡ଼ିବ। ତେଣୁ ଆମକୁ ଆହୁରି କଠିନ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବାକୁ ପଡ଼ିବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ ଉପସ୍ଥିତ ଥିଲେ। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାପରେ ରାଜସ୍ବ ମନ୍ତ୍ରୀ ଓ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡି.କେ ସିଂହ ଗତ ବର୍ଷକରେ ରାଜସ୍ବ ବିଭାଗର ସଫଳତା ବିଷୟରେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ।