ଜାନୁଆରି ପହିଲାରୁ ସାର କିଣାରେ ଡିବିଟି

ଭୁବନେଶ୍ୱର : ଆସନ୍ତା ଜାନୁଆରି ପହିଲାରୁ ସାର କିଣାରେ ସରକାରୀ ରିହାତି ହସ୍ତାନ୍ତର(ଡିବିଟି) ଆରମ୍ଭ କରାଯିବ। ଏଥିପାଇଁ ରାଜ୍ୟର ପ୍ରତ୍ୟେକ ପ୍ରାଥମିକ କୃଷି ସମବାୟ ସମିତି (ପାକ୍‌ସ), ବହୁମୁଖୀ ସମବାୟ ସମିତି(ଲ୍ୟାମ୍ପସ୍‌ଙ୍କୁ ପଏଣ୍ଟ ଅଫ୍‌ ସେଲ୍‌ସ(ପିଓଏସ୍‌) ଲଗାଇବାକୁ ପଡ଼ିବ। ବିନା ପିଓଏସ୍‌ରେ କୌଣସି ଡିଲର ସାର ବିକ୍ରି କରିପାରିବେନି। ଏହି ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରହିବ ସିନା, ଗରିବ ତଥା ଭାଗ ଚାଷୀମାନେ ହଇରାଣ ହରକତ ହେବେ। ଯେଉଁ ଗରିବ, ଭାଗ ଚାଷୀ ବ୍ୟାଙ୍କ ଋଣରୁ ବଂଚିତ ହୋଇ ମହାଜନଠାରୁ ହାତଉଧାରି କରିବାକୁ ବାଧ୍ୟ ହେଉଛନ୍ତିି, ସେମାନେ ସାର କିଣିବା ପାଇଁ କେଉଁଠାରୁ ଟଙ୍କା ଆଣି ସାର କିଣିପାରିବେ ବୋଲି ପ୍ରଶ୍ନ ଉଠୁଛି। ଏହା ସେମାନଙ୍କ ଉପରେ ଏଭଳି ବ୍ୟବସ୍ଥା ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ। ଏହା ରାଜ୍ୟରେ ଅଧିକ ସଂଖ୍ୟକ ଚାଷୀ ଆତ୍ମହତ୍ୟା କରିବାକୁ ପ୍ରୋତ୍ସାହିତ କରିବାର ଆଶଙ୍କା ରହିଛି।

ଏହି ବ୍ୟବସ୍ଥା ପ୍ରଚଳନ କରିବା ସଂପର୍କରେ ସମବାୟ ସମିତି ସମୂହ ରେଜିଷ୍ଟ୍ରାର ବିଜ୍ଞପ୍ତି ଜାରି କରିଛନ୍ତିି। ସେହି ବିଜ୍ଞପ୍ତି ଅନୁଯାୟୀ ୨୦୧୮ ନୂଆବର୍ଷରୁ ସାର ବିକ୍ରିରେ ଡିବିଟି କାର୍ଯ୍ୟକାରୀ କରାଯିବ। ଏହି ବ୍ୟବସ୍ଥା ଅନୁସାରେ ଜଣେ ଚାଷୀ ପ୍ରଥମେ ସାର ବାବଦ ଅର୍ଥ ଦେଇ ସାର କିଣିବେ। ତାଙ୍କୁ ପିଓଏସ୍‌ରେ ଆବଶ୍ୟକ ପରିମାଣର ସାର ପାଇଁ ଟଙ୍କା ଦେବାକୁ ହେବ। ପରେ ତାଙ୍କ ବ୍ୟାଙ୍କ ଖାତାରେ ସବ୍‌ସିଡି ଅର୍ଥ ଜମା ହେବ। ଏଥିରେ କେବଳ ରିହାତି ଦରରେ ଉପଲବ୍ଧ ସାର କ୍ରୟ କରିହେବ। ଇଣ୍ଟିଗ୍ରେଟେଡ୍‌ ଫର୍ଟିଲାଇଜର ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଏଫ୍‌ଏମ୍‌ଏସ୍‌) ଜରିଆରେ ଏସବୁ ନେଣଦେଣ ବ୍ୟବସ୍ଥା କରାଯାଉଥିବାରୁ ଅନ୍‌ଲାଇନ ଯୋଗେ ସମସ୍ତ କାରବାର ଠାବ କରିହେବ। ତେବେ ହିତାଧିକାରୀ ଚାଷୀଙ୍କ ପାଖରେ ଆଧାର ସହିତ କିଷାନ କାର୍ଡ ଏବଂ ଭୋଟର ପରିଚୟ ପତ୍ର ରଖିବା ବାଧ୍ୟତାମୂଳକ। ଯେଉଁମାନଙ୍କର ବ୍ୟାଙ୍କ ସହିତ ଆଧାର ସଂଯୋଗ ହୋଇନାହିଁ, ସେମାନେ ସାର ପାଇବାରୁ ବଞ୍ଚିତ ହେବେ। କିନ୍ତୁ ଭାଗ ଚାଷୀ ହୁଅନ୍ତୁ କି ଗରିବ ଚାଷୀ, ସାର ପାଇଁ ସେମାନଙ୍କୁ ଆଗୁଆ ପୁଞ୍ଜି ସଂଗ୍ରହ କରିବାକୁ ପଡ଼ିବ। ସେମାନଙ୍କର ଆର୍ଥିକ ସ୍ଥିତି ଯେଉଁଭଳି ଦୟନୀୟ ଅଗ୍ରିମ ଟଙ୍କା ଯୋଗାଡ଼ କରିବା ସେମାନଙ୍କ କ୍ଷେତ୍ରରେ ଅତ୍ୟନ୍ତ କାଠିକର ପାଠ।

ସୂଚନାନୁସାରେ ସମବାୟ ବିଭାଗ ଅଧୀନରେ ରାଜ୍ୟରେ ୨୭୦୮ ପାକ୍‌ସ ରହିଛି। ସେଥିମଧ୍ୟରୁ ମାତ୍ର ୯୧୩ଟି ପାକ୍‌ସ ବା ସମବାୟ ସମିତି ପାଖରେ ରହିଛି ପିଓଏସ୍‌ ଯନ୍ତ୍ର। ସମବାୟ ସମିତି ସମୂହ ରେଜିଷ୍ଟ୍ରାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ପାକ୍‌ସ, ଲ୍ୟାମ୍ପ୍‌ସ ପିଓଏସ୍‌ ଲଗାଇବାକୁ ନିର୍ଦେଶ ରହିଛି। କିନ୍ତୁ ମାସକ ଭିତରେ ସବୁ ପାକ୍‌ସ ଲଗାଇପାରିବେ କି ନା ସେ ନେଇ ସନ୍ଦେହ ରହିଛି।

ସମ୍ବନ୍ଧିତ ଖବର