ପୁରୀ: ଆସନ୍ତା ୨୦୨୪ ମସିହା ଅଗଷ୍ଟ ମାସ ସୁଦ୍ଧା ପୁରୀ ରେଳଷ୍ଟେସନ ବିଶ୍ବସ୍ତରୀୟ ରୂପନେବ। ତିନି ମହଲା ବିଶିଷ୍ଟ କୋଠାରେ ଯାତ୍ରୀଙ୍କ ଗମନାଗମନ, ରହଣି, ଖାଇବା, ଅବସର ବିନୋଦନଆଦିର ବ୍ୟବସ୍ଥା ରହିବ। ଏଥିପାଇଁ ୩୯୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଅନୁଦାନରେ କେବଳ ରେଳଷ୍ଟେସନ୍ର ବିକାଶ ହେବନି, ଯାତ୍ରୀ ତଥା ପର୍ଯ୍ୟଟକଙ୍କ ସୁବିଧା ଦୃଷ୍ଟିରୁ ବିଭିନ୍ନ ବାଣିଜ୍ୟିକ ପ୍ରକଳ୍ପର ବି ବିକାଶ କରାଯିବ। ଯାତ୍ରୀଙ୍କ ରହଣି ପାଇଁ ଯାତ୍ରୀ ନିବାସ, ରିଟାୟରିଂ କକ୍ଷ, ଅଧିକ ଡର୍ମିଟାରିର ବ୍ୟବସ୍ଥା କରାଯିବ। ପ୍ଲାଟଫର୍ମ ସେଡ୍ ବି ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବ। ଟ୍ରେନ୍ରୁ ଓହ୍ଲାଇବା ଅବା ଚଢ଼ିବାବେଳେ ପ୍ଲାଟଫର୍ମରୁ ବାହାରିବା ଅବା ଯିବାପାଇଁ ଅତ୍ୟାଧୁନିକ ସୁବିଧା ରହିବ। ଲିଫ୍ଟ, ଏକ୍ସାଲେଟର, ଇଲେକ୍ଟ୍ରି କାର ଚାର୍ଜିଂ ସହ ଅନ୍ୟାନ୍ୟ ବ୍ୟବସ୍ଥା ରହିବ। ସମ୍ପୂର୍ଣ୍ଣ ଉତ୍କଳୀୟ କଳା, ସଂସ୍କୃତିର ଛାପ ପୁରୀ ରେଳ ଷ୍ଟେସନ୍କୁ ଦିଆଯିବ। ପିଲାର୍ଠାରୁ ଆରମ୍ଭ କରି ଛାତ, ସବୁଠି ଉତ୍କଳର ନିଖୁଣ କାରୁକାର୍ଯ୍ୟ ରହିବ। ଆଜି ପୁରୀ ଗସ୍ତ କାଳରେ ରେଳଷ୍ଟେସନକୁ ବିଶ୍ବସ୍ତରୀୟ ରୂପ ଦେବାପାଇଁ ଏହିଭଳି ନକ୍ସା ଆଙ୍କିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
ରେଳ ଷ୍ଟେସନ୍ ଓ ବାଣିଜ୍ୟିକ ବିକାଶ ପାଇଁ ଖର୍ଚ୍ଚ ହେବ ୩୯୨ କୋଟି
କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସକାଳ ୬ଟାରେ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ଆୟୋଜିତ ଯୋଗଦିବସରେ ଯୋଗଦେଇଥିଲେ। କୋଣାର୍କ ଗସ୍ତ ସାରି ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୁରୀ ରେଳଷ୍ଟେସନ୍ ବୁଲି ଦେଖିଥିଲେ। ପ୍ରସ୍ତାବିତ ବିକାଶ ପ୍ରକଳ୍ପ ସମ୍ପର୍କରେ ରେଳ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରେଳଷ୍ଟେସନ୍ଠାରେ ପ୍ରସ୍ତାବିତ ପ୍ରକଳ୍ପ ଉପରେ ଆୟୋଜିତ ଫଟୋ ଗାଲେରି ବୁଲି ଦେଖିଥିଲେ। ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଥିଲେ, ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଶ୍ରୀକ୍ଷେତ୍ର ପୁରୀ ସ୍ବତନ୍ତ୍ର ସ୍ଥାନ ପାଇଛି। ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଗମନାଗମନ ସଂଖ୍ୟା ବି ଦିନକୁ ଦିନ ବୃଦ୍ଧି ପାଇଛି। ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନବନ୍ଦରର ପରିକଳ୍ପନା କରିଥିବାବେଳେ ପୁରୀ ରେଳଷ୍ଟେସନ୍କୁ ବିଶ୍ବସ୍ତରୀୟ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହାର ଟେଣ୍ଡର କାମ ବି ଶେଷହୋଇଛି। ଚଳିତବର୍ଷ ଅଗଷ୍ଟ ମାସରୁ ପୁରୀ ରେଳଷ୍ଟେସନ୍ ବିକାଶ କାର୍ଯ୍ୟ ଆରମ୍ଭ ହେବ। ଆଗାମୀ ୫୦ ବର୍ଷ ପାଇଁ ଏହି ଯୋଜନା ପ୍ରସ୍ତୁତ ହେଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହିଅବସରରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପି ଜାତୀୟ କାଉନ୍ସିଲ ସଦସ୍ୟ ମଧୁସୂଦନ ସିଂହାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୨୦୬୩-୬୪ ବର୍ଷକୁ ଆଖିଆଗରେ ରଖି ପୁରୀ ରେଳଷ୍ଟେସନ୍କୁ ବିଶ୍ବସ୍ତରୀୟ କରିବା ପାଇଁ ରେଳ ମନ୍ତ୍ରାଳୟ ୩୯୨ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରୁଛି। ଏଥିରୁ ପୁରୀ ରେଳଷ୍ଟେସନ୍ ପୁନରୁଦ୍ଧାର ପାଇଁ ୧୬୧.୫୧ କୋଟି ଓ ବାଣିଜ୍ୟିକ ବିକାଶ ପାଇଁ ୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/gdjgdjjgdgjdjggj.jpg)