୨୦୩୦ ବେଳକୁ ରାଜ୍ୟରେ ପ୍ରତିବର୍ଷ ବାହାରିବେ ୨୫ଶହ ଡାକ୍ତର

ଅନୁମୋଦନ ଅପେକ୍ଷାରେ ଆଉ ୫ ମେଡିକାଲ କଲେଜ

ଭୁବନେଶ୍ବର: ଆଉ କିଛିବର୍ଷ ଭିତରେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଦୂର ହେବ। ନିକଟରେ ପୁରୀ ମେଡିକାଲ କଲେଜ ଉଦ୍‌ଘାଟିତ ହୋଇଥିବା ବେଳେ ଆଉ ୫ଟି ମେଡିକାଲ କଲେଜ ଅନୁମୋଦନ ଅପେକ୍ଷାରେ ରହିଛି। ଯଦି ଏସବୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୁଏ, ତାହାଲେ ଆସନ୍ତା ୨୦୩୦ ବେଳକୁ ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୨୫ଶହ(ସରକାରୀ, ଘରୋଇ) ଡାକ୍ତର ବାହାରିବେ ବୋଲି ଅନୁମାନ କରାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‌ମଧ୍ୟ ଆସନ୍ତା ୧୦ବର୍ଷ ଭିତରେ ଭାରତରେ ପ୍ରତିବର୍ଷ ରେକର୍ଡ ସଂଖ୍ୟକ ଡାକ୍ତର ବାହାରିବେ ବୋଲି କହିଥିଲେ।

ରାଜ୍ୟରେ ଜିଲ୍ଲାସ୍ତରରେ ଓ ମେଡିକାଲ କଲେଜରେ ବହୁ ଡାକ୍ତରୀ ପଦବି ଖାଲି ପଡ଼ିଛି। ଜିଲ୍ଲାସ୍ତରରେ ୪୨ ପ୍ରତିଶତ ଏହି ପଦବି ଖାଲି ପଡ଼ିଥିବା ଖୋଦ୍ ରାଜ୍ୟ ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି। ଯଦି ଧାର୍ଯ୍ୟ ସମୟ ଭିତରେ ଅନୁମୋଦନ ଅପେକ୍ଷାରେ ଥିବା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହୁଏ ତାହାଲେ ଆସନ୍ତା ୭/୮ବର୍ଷରେ ଡାକ୍ତରଙ୍କ ଅଭାବ ଦୂର ହେବ ବୋଲି ଆଶା କରାଯାଉଛି। ରାଜ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଭବାନୀପାଟଣା, ଯାଜପୁର ଓ କନ୍ଧମାଳ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କେନ୍ଦୁଝର, ସୁନ୍ଦରଗଡ଼ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ନିକଟରେ ଜାତୀୟ ମେଡିକାଲ କମିସନ(ଏନ୍‌ଏମ୍‌ସି)ର ଟିମ୍ ଏହାର ନିରୀକ୍ଷଣ କରିଛନ୍ତି।

ଅନ୍ୟ ୩ଟି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଆସନ୍ତାବର୍ଷ ମଧ୍ୟଭାଗରେ ଶେଷ ହେବ ବୋଲି ବିଭାଗ ପକ୍ଷରୁ ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର, ସୁନ୍ଦରଗଡ଼ ମେଡିକାଲ ଓ ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟ ୩ଟି ମେଡିକାଲକୁ କାର୍ଯ୍ୟକ୍ଷମ କରାଯିବ। ସେହିପରି ତାଳଚେରଠାରେ ମହାନଦୀ କୋଲ୍ ଫିଲ୍ଡ(ଏମ୍‌ସିଏଲ୍‌) ସହାୟତାରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜର ନିର୍ମାଣ ଶେଷ ହୋଇଛି। ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍‌ସ ଏଣ୍ଡ ରିସର୍ଚ ସେଣ୍ଟର(ଏମ୍‌ଆଇଏମ୍‌ଏସ୍‌ଏଆର) ଭାବେ ଏହାର ନାମକରଣ ହୋଇଥିବା ବେଳେ ୨୦୨୦/୨୧ ସୁଦ୍ଧା ଏଥିରେ ନାମଲେଖା ଆରମ୍ଭ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ଏହି ମେଡିକାଲ କଲେଜକୁ କିଏ ପରିଚାଳନା କରିବ ତାହା ସ୍ଥିର ହୋଇପାରୁନାହିଁ। ତେଣୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ମେଡିକାଲ କଲେଜଟି କୌଣସି କାମରେ ଆସୁନାହିଁ। ନିକଟରେ ରାଜ୍ୟ ସରକାର କେନ୍ଦ୍ର କୋଇଲା ମନ୍ତ୍ରଣାଳୟକୁ ଚିଠି ଲେଖିବା ସହିତ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ଅନୁରୋଧ କରିଛନ୍ତି।

ରାଜ୍ୟରେ ଏବେ ୮ଟି ସରକାରୀ ଓ ୪ଟି ଘରୋଇ ମେଡିକାଲ କଲେଜ ରହିଛି। ଏସବୁ ମେଡିକାଲ କଲେଜକୁ ମିଶାଇଲେ ରାଜ୍ୟରେ ବର୍ତମାନ ୧୭୫୦ ଡାକ୍ତର ବାହାରୁଛନ୍ତି। ‌ଆଗକୁ ୫ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ପ୍ରତିବର୍ଷ ଡାକ୍ତରଙ୍କ ସଂଖ୍ୟା ୨୫ଶହକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅତିରିକ୍ତ ଡିଏମ୍‌ଇଟି ଡା.ଉମାକାନ୍ତ ଶତପଥୀ କହିଛନ୍ତି, ଅନ୍ୟ ୫ଟି ମେଡିକାଲ କଲେଜକୁ ଆସନ୍ତା ୩/୪ବର୍ଷ ଭିତରେ ଏସବୁ କାର୍ଯ୍ୟକ୍ଷମ କରାଯିବ। ଯଦି ୨୦୨୫ ବେଳକୁ ଏସବୁ ମେଡିକାଲ କଲେଜରେ ନାମଲେଖା ଆରମ୍ଭ ‌ହୁଏ ତାହାଲେ ୨୦୩୦ ବେଳକୁ ରାଜ୍ୟରେ ସରକାରୀ ଓ ଘରୋଇ ମେଡିକାଲ କଲେଜକୁ ମିଶାଇଲେ ପ୍ରତିବର୍ଷ ଡାକ୍ତରଙ୍କ ସଂଖ୍ୟା ୨୫ଶହକୁ ବୃଦ୍ଧି ପାଇବ ବୋଲି ଡା.ଶତପଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର