ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଥମୁନାହିଁ। ଗତକାଲି ଗଞ୍ଜାମରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ବିରୋଧୀମାନେ ନିନ୍ଦା କରିବା ସହିତ ତାଙ୍କ ସମର୍ଥନରେ ବାହାରିଛନ୍ତି। ଏପରିକି ଯେଉଁମାନେ ସମ୍ବିଧାନ ବିରୋଧରେ କାର୍ଯ୍ୟ କରିବେ ସେମାନଙ୍କୁ ଜୋରଦାର ପ୍ରତିବାଦ କରାଯିବ ବୋଲି ଚେତାଇ ଦେଇଛନ୍ତି।

Advertisment

ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାରେ ରାଜନୈତିକ କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ବିଜୁବାବୁଙ୍କ ପୁଅଙ୍କ ନେତୃତ୍ବରେ ଓଡ଼ିଶାରେ କ୍ରୀତଦାସ ବଢ଼ିବାକୁ ଯାଉଛି। ରାଜନେତାମାନେ କ୍ରୀତଦାସ ହେବା ସହିତ ନିରବ ଓ ସ୍ଥାଣୁ ହେବା ଓଡ଼ିଆ ସ୍ବାଭିମାନ ଜାତି ପାଇଁ ଏକ ଅଭିଶାପ। ୫-ଟି ସଚିବଙ୍କୁ ନୂଆ କଳାପାହାଡ଼ ସହିତ ତୁଳନା କରିବାକୁ ପଛାଇନାହାନ୍ତି ପ୍ରଦୀପ। ସେ କହିଛନ୍ତି, ଗଣତନ୍ତ୍ର ମାଧ୍ୟମରେ ଯେଉଁ ନୂଆ କଳାପାହାଡ଼ ସୃଷ୍ଟି କରିବା ପାଇଁ ଯୋଜନା ଚାଲିଛି ଏହାକୁ ମୁଁ ବିରୋଧ କରୁଛି। ଏହାକୁ ସଫଳ ନ କରିବା ପାଇଁ ସ୍ବାଭିମାନୀ ଓଡ଼ିଆ ଆଗେଇ ଆସନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୁଁ କାମ କରିଛି। ସେ ମୋତେ ବହୁତ ସୁଯୋଗ ଦେଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଭଳି ସାହସୀ ବ୍ୟକ୍ତିଙ୍କ ପୁଅ ନିରବ ଓ ଶାନ୍ତିରେ ବସିବ ଓ ଶାସନ ଆଉ କିଏ ଚଳାଇବ ? ନବୀନଙ୍କ ଭଉଣୀ ଗୀତା ମେହଟ୍ଟା ଓ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଦିଲ୍ଲୀରେ ବସିବେ, ବିଜୁ ପଟ୍ଟନାୟକଙ୍କ ପରିବାର ପ୍ରତି ଅପମାନ ହେବ। ତାକୁ ଆମେ କେମିତି ସହିବୁ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ରାଜନୈତିକ କ୍ରୀତଦାସ ହେବାକୁ ବାଧ୍ୟ କରାଯାଉଛି : ପ୍ରଦୀପ
ବିଧାୟକଙ୍କୁ ଆକ୍ରମଣ କରାଯିବା ଘଟଣାକୁ କଂଗ୍ରେସର ନିନ୍ଦା
ଆଇନର ନୁହେଁ ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି : ଶରତ
୫-ଟି ସଚିବ ଯେଉଁଆଡ଼େ ଯିବେ ଅଣ୍ଡା, କାଳି ମାଡ଼ ହେବ: ସାଲୁଜା
ଗୋଲାପି ରଙ୍ଗର ଗଞ୍ଜି ପିନ୍ଧା ଯୁବକମାନେ କିଏ: ପଞ୍ଚାନନ

ଅପରପକ୍ଷରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଭାରେ ଅପମାନିତ କରିବା ଘଟଣାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ରାଜ୍ୟରେ ଆଇନର ଶାସନର ପରିବର୍ତେ ଜଙ୍ଗଲୀ ଶାସନ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ତାଙ୍କ ବ୍ୟକ୍ତିଗତ ସଚିବ ସାରା ରାଜ୍ୟ ଗସ୍ତ କରିବା ଓ ସଭାସମିତିରେ ରାଜନୈତିକ ଭାଷଣବାଜି କରିବା ନିନ୍ଦନୀୟ। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଲୋକଙ୍କ ଦ୍ବାରା ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ଭୂମିକାକୁ ସଂପୂର୍ଣ୍ଣ ନ୍ୟୂନ କରିଦିଆଯାଉଛି। ବ୍ୟୁରୋକ୍ରାଟ୍‌ମାନେ ଜନ ପ୍ରତିନିଧଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ସେମାନେ ସୀମା ଭିତରେ ରହୁନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଟମାଟୋ ମାରିଲେ ପୁଲିସ ୩୦୭ ଦଫାରେ ମାମଲା ରୁଜୁ କରୁଛି। କିନ୍ତୁ ଜଣେ ବିଧାୟକଙ୍କୁ ପଥର, ପାଣି ବୋତଲ ଓ ଅଣ୍ଡା ମାଡ଼ କଲା ପରେ ମଧ୍ୟ ପୁଲିସ କାହା ବିରୋଧରେ ମାମଲା ରୁଜୁ କଲାନାହିଁ। ସରକାରୀ କର୍ମଚାରୀଙ୍କ ପାଇଁ ଆଇନ ଅଲଗା ହୋଇଯାଉଛି। ତେଣୁ ଆଗାମୀ ଦିନରେ ୫-ଟି ସଚିବ ଯେଉଁଆଡ଼େ ଯିବେ ତାଙ୍କୁ କାଳି ଓ ଅଣ୍ଡା ମାଡ଼ କରାଯିବ ବୋଲି ଶ୍ରୀ ସାଲୁଜା କହିଥିଲେ। ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହିତ ଯେଉଁ ୬-୭ଜଣ ଗୋଲାପି ରଙ୍ଗର ଗଞ୍ଜି ପିନ୍ଧା ଯୁବକମାନେ ସୁରକ୍ଷା ଦେଉଛନ୍ତି ସେମାନେ କେଉଁ ବିଭାଗ ଅଧୀନରେ ନିଯୁକ୍ତି ପାଇଛନ୍ତି। ସରକାର ଏହାର ଉତ୍ତର ଦେବା ଦରକାର। ସେମାନେ ପୁଲିସ ଅଧିକାରୀ ନା ଗୁଣ୍ଡା ବୋଲି ଶ୍ରୀ କାନୁନ୍‌ଗୋ ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ବନ୍ଦିତା ପରିଡ଼ା, ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ବର ବେହେରା ଓ ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ଗତକାଲି ଗଞ୍ଜାମରେ ଯେଉଁ ଘଟଣା ଘଟିଲା ତାହା ବିଜେଡିର ଅନ୍ତଃକନ୍ଦଳ ହୋଇପାରେ। ମାତ୍ର ଜଣେ ଜନ ପ୍ରତିନିଧିଙ୍କ ଏଭଳି ଆଚରଣ କରିବା ନିନ୍ଦନୀୟ। ବିଜେଡିରେ ଜନ ପ୍ରତିନିଧିଙ୍କ କୌଣସି ସମ୍ମାନ ନାହିଁ। ବିଜେଡି ନେତାଙ୍କୁ ଦୁଇଟି ବିକଳ୍ପ ଦିଆଯାଇଛି। କ୍ରୀତବାସ ହୋଇ ରହୁ ନଚେତ୍ ଜେଲ୍‌ରେ ରୁହ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।