ଏପ୍ରିଲ୍‌ ସୁଦ୍ଧା ସବୁ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟର୍‌ନେଟ୍‌ ସଂଯୋଗ

ପଞ୍ଚାୟତର ମୁଖ୍ୟ କାରବାର କେନ୍ଦ୍ରରେ ୱାଇ-ଫାଇ ସଂଯୋଗ‌

ଭୁବନେଶ୍ବର: ସବୁ ଗ୍ରାମ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟର୍‌ନେଟ୍‌ ସଂଯୋଗ କରିବା ନିମନ୍ତେ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଲା ୫-ଟି ଢାଞ୍ଚାରେ ଉତ୍ତମ ପ୍ରଶାସନକୁ ତ୍ବରାନ୍ବିତ କରିବା। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ଯୋଜନାର ସମୀକ୍ଷା କରି ଆସନ୍ତା ବର୍ଷ ଏପ୍ରିଲ୍‌ ମାସ ସୁଦ୍ଧା ସମସ୍ତ ଗ୍ରାମପଞ୍ଚାୟତକୁ ଇଣ୍ଟର୍‌ନେଟ୍‌ ସଂଯୋଗ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ହୋଇଥିବା ସମୀକ୍ଷା ବୈଠକରେ ଏହି କ୍ଷେତ୍ରରେ ଭାରତନେଟ୍‌ ଯୋଜନାର ଅଗ୍ରଗତିର ସମୀକ୍ଷା ହୋଇଥିଲା। ଡିଜିଟାଲ୍‌ ଭିତ୍ତିଭୂମି ରାଜ୍ୟ ବିକାଶର ଏକ ପ୍ରମୁଖ ଚାଳକ ହେବ। ପ୍ରତି ପଞ୍ଚାୟତର ମୁଖ୍ୟ କାରବାର କେନ୍ଦ୍ରରେ ଓ୍ତାଇ-ଫାଇ ସଂଯୋଗ ଦେବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଫଳରେ ପଞ୍ଚାୟତ ସ୍ତରରେ ଥିବା ସବୁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ମେଡିକାଲ ଆଦି ଏହି ଇଣ୍ଟର୍‌ନେଟ୍‌ ସେବା ପାଇପାରିବେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତି ପଞ୍ଚାୟତରେ ୫ଟି ଇଣ୍ଟର୍‌ନେଟ୍‌ ପଏଣ୍ଟ୍‌ ଯୋଗାଇ ଦିଆଯିବ। ସେଥିରୁ ସମସ୍ତ କାର୍ଯ୍ୟାଳୟ ସଂଯୋଗ ନେଇପାରିବେ। ପଞ୍ଚାୟତର ମୁଖ୍ୟ ବ୍ୟବସାୟିକ ସ୍ଥାନରେ ୱାଇ-ଫାଇ ସଂଯୋଗ ରହିବ। ଟେଲି ମେଡିସିନ୍ କେନ୍ଦ୍ର ଓ କୃଷି କିଓସ୍କ ଆଦିକୁ ମଧ୍ୟ ସଂଯୋଜିତ କରାଯିବ। ଇଣ୍ଟର୍‌ନେଟ୍‌ ଭିତ୍ତିଭୂମିର ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ଆବଶ୍ୟକ ସ୍ଥଳେ ଉନ୍ନତୀକରଣ ନିମନ୍ତେ ନିର୍ଦ୍ଦିଷ୍ଟ ଆନୁଷ୍ଠାନିକ ବ୍ୟବସ୍ଥା କରିବାକୁ ଉନ୍ନୟନ କମିସନର୍ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ସଚିବ ‌ମନୋଜ ମିଶ୍ର କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୨୨,୫୪୧ ଅପ୍ଟିକାଲ୍ ଫାଇବର୍‌ କେବୁଲ୍‌ ବିଛା ସରିଛି। ଅବଶିଷ୍ଟ ୫.୦୬୯ କିମି କେବୁଲ୍‌ କାର୍ଯ୍ୟ ଶୀଘ୍ର ସରିବ। ସେହିପରି ବର୍ତ୍ତମାନ ସୁଦ୍ଧା ୪୬୫୧ ପଞ୍ଚାୟତ ଓ ୨୩୦ ବ୍ଲକ୍‌କୁ ଇଣ୍ଟର୍‌ନେଟ୍‌ ସଂଯୋଗ ଦିଆଯାଇଛି। ପଞ୍ଚାୟତକୁ ଇଣ୍ଟର୍‌ନେଟ୍‌ ସଂଯୋଗ ମିଳିବା ମାତ୍ରେ ସେସବୁକୁ କାର୍ଯ୍ୟକ୍ଷମ କରାଇ ବ୍ୟବହାରରେ ଲଗାଇବା ନିମନ୍ତେ ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବୈଠକରୁ ଆହୁରି ଜଣାପଡ଼ିଛି ଯେ ଓକାକ୍ ରାଜ୍ୟର ଦୁର୍ଗମ ଅଞ୍ଚଳରେ ମୁଖ୍ୟ ବ୍ୟାଣ୍ଡ୍‌ୱିଡ୍‌ଥ୍‌ ସଂଯୋଜକ ଭାବେ କାର୍ଯ୍ୟ ଆରମ୍ଭ କରିଛି। ଏହି ଡିଜିଟାଲ୍‌ ଭିତ୍ତିଭୂମି ସମସ୍ତ ଗ୍ରାମ ପଞ୍ଚାୟତକୁ ସ୍ବାନ୍ ନେଟ୍‌ୱର୍କ ପରିସରକୁ ଆଣିବ। ଏହାର ଡାର୍କ-ଫାଇବର୍‌କୁ ମଧ୍ୟ ବ୍ୟବସାୟିକ ଭିତ୍ତିରେ ଘରୋଇ ‌ଟେଲିକମ୍ ଓ ଇଣ୍ଟର୍‌ନେଟ୍‌ ଯୋଗାଣକାରୀ ସଂସ୍ଥାକୁ ଲିଜ୍ ଦିଆଯାଇପାରିବ। ଏହି ଭିତ୍ତିଭୂମିର ଉପଯୁକ୍ତ ବିନିଯୋଗ ନିମନ୍ତେ ସଂପୃକ୍ତ ବିଭାଗଗୁଡ଼ିକୁ ସାମିଲ କରି ଏହି ଏସ୍‌ପିଭି ଗଠନ କରିବା ନିମନ୍ତେ ସ୍ଥିର ହୋଇଥିଲା।

ବୈଠକରେ ଗୃହ ବିଭାଗର ପ୍ରମୁଖ ସଚିବ ‌ସଞ୍ଜୀବ ଚୋପ୍ରା, ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ପଞ୍ଚ‌ାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମନୋଜ ପଟ୍ଟନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର