ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ

ନୂଆଦିଲ୍ଲୀ:   ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ନଭେମ୍ବର ୩ ତାରିଖରେ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି। ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି କରାଯିବ ଓ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ଏଥିଲାଗି ଅକ୍ଟୋବର ୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୬ ହେଉଛି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ। ଠିକ୍ ସେହିପରି ଅକ୍ଟୋବର ୧୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୧୯ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ। ଏ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

କରୋନା କାଳ ଭିତରେ ଅନେକ ଗୁଡିଏ କଟକଣା ଭିତରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଉଭୟ ପ୍ରାର୍ଥୀ ଓ ଭୋଟରଙ୍କ ପାଇଁ ଏ ନେଇ ଗାଇଡଲାଇନ ଜାରି କରାଯାଇଛି । ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ରହିବ କଟକଣା । ସେହିଭଳି ଭୋଟରଙ୍କ ସୁରକ୍ଷା ଦୃଷ୍ଟିରୁ ଭୋଟ ଗ୍ରହଣ କେନ୍ଦ୍ର ବଢାଯିବା ସହ ମାସ୍କ, ସାନିଟାଇଜର ଓ ଗ୍ଲୋବସର ବ୍ୟବହାର କରାଯିବ ।

ସୂଚନାଯୋଗ୍ୟ, ବିଧାୟକ ବିଷ୍ଣୁ ଦାସ ଓ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

ସମ୍ବନ୍ଧିତ ଖବର