ଉପନିର୍ବାଚନ ଫଳାଫଳ: ବିଜେପିକୁ ଝଟ୍‌କା, ଉତ୍ତର ଭାରତରେ କଂଗ୍ରେସର ଜିତାପଟ, ବଙ୍ଗରେ ମମତା

ହିମାଚଳରେ ପୋଛିନେଲା କଂଗ୍ରେସ, ଉତ୍ତର ପୂର୍ବରେ ବିଜେପିର ସଫଳତା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ଏବଂ ‌କେନ୍ଦ୍ର ଶାସିତ ଅଞ୍ଚଳର ୨୯ଟି ବିଧାନସଭା ଏବଂ ୩ଟି ଲୋକସଭା ଆସନରେ ଗତ ଶନିବାର ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଉତ୍ତର ଭାରତରେ ଦଳକୁ ବଡ଼ ଧରଣର ଝଟକା ଲାଗିଛି। ତିନିଟି ଲୋକସଭା ଆସନ ମଧ୍ୟରୁ କଂଗ୍ରେସ, ବିଜେପି ଏବଂ ଶିବ ସେନା ଗୋଟିଏ ଲେଖାଏଁ ଜିତିଛନ୍ତି। ସେହିଭଳି ୨୯ଟି ବିଧାନସଭା ଆସନ ମଧ୍ୟରୁ ବିଜେପିକୁ ୮, କଂଗ୍ରେସକୁ ୯ ଏବଂ ତୃଣମୂଳ କଂଗ୍ରେସକୁ ୪ଟି ଆସନ ମିଳିଛି। ତେବେ ବିଜେପି ଶାସିତ ହିମାଚଳ ପ୍ରଦେଶରେ ବିଜେପିକୁ ସବୁଠାରୁ ବଡ଼ ଝଟକା ଦେଇଛି କଂଗ୍ରେସ। ରାଜ୍ୟରେ ନିର୍ବାଚନ ‌ହୋଇଥିବା ଲୋକସଭାର ଗୋଟିଏ ଏବଂ ତିନିଟି ବିଧାନସଭା ଆସନରେ ବିଜୟୀ ହୋଇଛି। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ବିଜୟୀ ହୋଇଛନ୍ତି। ଏହି ଆସନ ବିଜେପି ଦଖଲରେ ଥିଲା। ରାଜ୍ୟର ୩ଟି ଯାକ ବିଧାନସଭା ଆସନ ଫତେପୁର, ଜୁବ୍ବୁଲ-କୋଟଖାଇ ଏବଂ ଅର୍‌କି ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ମଧ୍ୟ‌ପ୍ରଦେଶ ଖଣ୍ଡୱା ଲୋକସଭା ଆସନ ବିଜେପି ବଜାୟ ରଖିଛି। ଏହାର ପ୍ରାର୍ଥୀ ଜ୍ଞାନେଶ୍ବର ପାଟିଲ ବିଜୟୀ ହୋଇଛନ୍ତି। ରାଜ୍ୟରେ ହୋଇଥିବା ୩ଟି ବିଧାନସଭା ଆସନର ଉପନିର୍ବାଚନରେ ବିଜେପି ୨ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଜିତିଛି।

ସେହିଭଳି ଦାଦର ଓ ନଗର ହାବେଳି ଲୋକସଭା ଆସନ‌େରେ ଶିବ ସେନା ପ୍ରାର୍ଥୀ କଳାବେନ ଡେଲକର ବିଜୟୀ ହୋଇଛନ୍ତି। ଶିବସେନା ପ୍ରଥମ ଥର ପାଇଁ ମହାରାଷ୍ଟ୍ର ବାହାରେ ବିଜୟ ହାସଲ କରିଛି। ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ପଶ୍ଚିମବଙ୍ଗରେ ସମସ୍ତ ୪ଟି ଯାକ ବିଧାନସଭା ଆସନରେ ମମତାଙ୍କ ଟିଏମସିର ପ୍ରାର୍ଥୀମାନେ ବିପୁଳ ବ୍ୟବଧାନରେ ବିଜେପି ପ୍ରାର୍ଥୀମାନଙ୍କୁ ପରାଜିତ କରିଛନ୍ତି। ବିଜେପି ପ୍ରାର୍ଥୀମାନେ ଏହିସବୁ ଆସନରେ ଅମାନତ ରାଶି ହରାଇଛନ୍ତି। ଅନ୍ୟପକ୍ଷରେ ଆସାମର ୫ଟି ବିଧାନସଭା ଆସନରେ ଏନଡିଏ ପ୍ରାର୍ଥୀମାନେ ଜିତିଛନ୍ତି। ବିଜେପି ୩ଟି ଏବଂ ସହଯୋଗୀ ଦଳ ୨ଟି ଆସନରେ ଜିତିଛି। ମେଘାଳୟର ୩ଟି ଆସନରୁ ଶାସକ ନ୍ୟାସନାଲ ପିପୁଲ୍ସ ପାର୍ଟି ଦୁଇଟି ଆସନରେ ଜିତିଥିବା ବେଳେ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି ଗୋଟିଏ ଆସନରେ ବିଜୟୀ ହୋଇଛି। ମିଜୋରାମରେ ଶାସକ ଏମଏନଏଫ ପ୍ରାର୍ଥୀ କେ ଲାଲଡାଙ୍ଗଲିଆନା ଜେପିଏମ୍‌ର ପ୍ରାର୍ଥୀଙ୍କୁ ୧୨୮୪ ଭୋଟରେ ପରାଜିତ କରିଛନ୍ତି। ତେଲେଙ୍ଗାନାର ହୁଜୁରାବାଦ ଆସନରେ ବିଜେପି ପ୍ରାର୍ଥୀ ଇଟିଲା ରାଜେନ୍ଦର ଶାସକ ଟିଆରଏସ ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି।

ରାଜସ୍ଥାନର ଧରିୱାଡ଼ା ଏବଂ ବଲ୍ଲଭନଗର ଆସନରେ କଂଗ୍ରେସର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଉକ୍ତ ଦୁଇ ଆସନରେ କଂଗ୍ରେସର ନାଗରାଜ ମୀନା ଏବଂ ପ୍ରୀତି ଶେଖାୱତ ବିଜୟୀ ହୋଇଛନ୍ତି। କର୍ଣ୍ଣାଟକର ଦୁଇଟି ବିଧାନସଭା ଆସନ ମଧ୍ୟରୁ ଗୋଟିଏ ଆସନରେ କଂଗ୍ରେସ ଜିତିଥିବା ବେଳେ ଅନ୍ୟ ଗୋଟିଏ ଆସନରେ ବିଜେପି ଜିତିଛି। ବିହାରର ଦୁଇଟି ବିଧାନସଭା ଆସନ କୁଶେଶ୍ବର ଆସ୍ଥାନ ଏବଂ ତାରାପୁରରେ ଶାସକ ଜେଡି(ୟୁ) ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ବଡ଼ଭେଲ୍ ବିଧାନସଭା ଆସନରେ ଶାସକ ୱାଇଏସଆର କଂଗ୍ରେସ ପାର୍ଟିର ପାର୍ଥୀ ୯୦ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି। ହରିୟାଣାରେ ଆଇଏଲଏଲଡିର ଅଭୟ ଚୌତାଲା ବିଜେପି ପ୍ରାର୍ଥୀ ଗୋବିନ୍ଦ କାଣ୍ଡାଙ୍କୁ ୬୭୦୦ ଭୋଟରେ ପରାଜିତ କରିଛନ୍ତି। ବିବାଦୀୟ କୃଷି ଆଇନକୁ ବିରୋଧ କରି ‌ଗତ ଜାନୁଆରିରେ ଶ୍ରୀ ଚୌତାଲା ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।
ମହାରାଷ୍ଟ୍ରର ନଣ୍ଡେଡ୍ ଜିଲ୍ଲାର ଡେଗଲୁର-ବିଲୋଲି ଆସନରେ ହୋଇଥିବା ଉପନିର୍ବାଚନରେ ମେଣ୍ଟ ସରକାରଙ୍କ ପକ୍ଷରୁ କଂଗ୍ରେସ ପ୍ରାର୍ଥୀ ଜିତେଶ ଅନ୍ତପୁରକାର ବିଜେପିର ସୁବାସ ସବ୍‌ନେଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି।

ସମ୍ବନ୍ଧିତ ଖବର