ଝାରସୁଗୁଡ଼ା: ବେଲପାହାଡ଼ କହିଲେ ବହୁ ଲୋକ କୋଇଲା ଖଣିକୁ ବୁଝିଥା’ନ୍ତି।  କୋଇଲା ଖଣି ଯୋଗୁଁ  ଏହି ଛୋଟିଆ ସହର ସମୃଦ୍ଧ ହୋଇ ଉଠିଛି। ୧୯ଟି ୱାର୍ଡ ବିଶିଷ୍ଟ ଏହି  ପୌର ପରିଷଦ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଏକ ପ୍ରମୁଖ ଅଞ୍ଚଳ। ସଦ୍ୟ ପ୍ରକାଶିତ ପୌର ନିର୍ବାଚନ ଫଳାଫଳରେ ଏହି ପୌର ପରିଷଦର ନଗରପାଳ ଆସନ କଂଗ୍ରେସ ସପକ୍ଷରେ ଯାଇଥିବା ରାଜନୈତିକ ସମୀକ୍ଷକଙ୍କୁ  ଆଶ୍ଚର୍ଯ୍ୟ କରିଛି। ୧୯ଟି ୱାର୍ଡ଼ ମଧ୍ୟରୁ ୧୪ଟି  ୱାର୍ଡରେ ବିଜେଡି କାଉନ୍‌ସିଲରଙ୍କ ବିପୁଳ ବିଜୟ ହୋଇଛି। ବିଜେପିର ୩ କାଉନସିଲର  ଓ କଂଗ୍ରେସର ୨ କାଉନସିଲର  ବିଜୟୀ ହୋଇଛନ୍ତି। ତେବେ ଝାରସୁଗୁଡ଼ା ଭଳି ଏକ ଜିଲ୍ଲାରେ ଯେଉଁଠି ମନ୍ତ୍ରୀ ନବ ଦାସ ନିଜେ ବିଜେଡି ଲାଗି ନିର୍ବାଚନା ପରିଚାଳନା କରୁଛନ୍ତି ସେଠାରେ ହଠାତ୍‌ ବିଜେଡିର ପରାଜୟ ଦଳ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବିପୁଳ ସଫଳତା ହାସଲ ପରେ ଜିଲ୍ଲାର ତିନ‌ୋଟି ପୌର ପରିଷଦରେ ମଧ୍ୟ ବିଜେଡି ବିପୁଳ ବିଜୟ କରିବ ବୋଲି ସବୁ ନେତା ଦୃଢ଼ ଭାବରେ ମତବ୍ୟକ୍ତ କରିଥିଲେ।

Advertisment

ପ୍ରଚାରରେ ମଧ୍ୟ କୌଣସି ତ୍ରୁଟି କରାଯାଇ ନଥିଲା। ଏଥର ପୌର ନିର୍ବାଚନ ବିଧାନସଭା, ଲୋକସଭା ପ୍ରଚାରଠାରୁ କୌଣସି ଗୁଣରେ କମ୍‌ ନଥିଲା। ପ୍ରଚାରରେ ବିଜେଡିର ସବୁ ନେତା ଓ କର୍ମୀ ଦିନରାତି  ଏକ କରି ଦେଇଥିଲେ। ତେବେ ଫଳ ବେଳକୁ  କଂଗ୍ରେସର ବିଜୟ ହୋଇଥିଲା। ବେଲପାହାଡ଼ ନଗରପାଳ ଭାବରେ ବିଜୟୀ ହୋଇଥିବା ନିମାଇଁ ଚରଣ ପଣ୍ଡା (ବୁଲୁ) ବିଜେଡି ପ୍ରାର୍ଥୀ ହିତେଶ ଠକ୍କରଙ୍କଠାରୁ  ୩ ହଜାରରୁ ଅଧିକ ଭୋଟ୍‌ ପାଇଛନ୍ତି।  ବ୍ରଜରାଜନଗର ପୌର ପରିଷଦ, ବେଲପାହାଡ଼ ପୌର ପରିଷଦ, ଲଖନପୁର ବ୍ଲକର ୩୩ ପଞ୍ଚାୟତ ଏବଂ ଝରସୁଗୁଡ଼ା ବ୍ଲକ୍‌ର କିଛି ଅଂଶକୁ ନେଇ ଗଠିତ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରଥମ ଥର ପାଇଁ ଗତ ୨୦୧୯ ନିର୍ବାଚନରେ ଖାତା ଖୋଲିଥିଲା ଓ କିଶୋର ମହାନ୍ତି ଏଠାରେ ବିଧାୟକ ନିର୍ବାଚିତ ହୋଇଥିଲେ। ତେବେ ୨୦୧୩ ପୌର ନିର୍ବାଚନ ସମୟରେ ବେଲପାହାଡ଼ ଓ ବ୍ରଜରାଜନଗର ଉଭୟ ପୌର ପରିଷଦରେ କିଶୋରଙ୍କ ସମର୍ଥକ ନଗରପାଳ ଦାୟିତ୍ବରେ ଥିଲେ।

ଚଳିତ ପୌର ନିର୍ବାଚନରେ ବ୍ରଜରାଜନଗରଠାରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ବେଳେ ବେଲପାହାଡ଼ରେ ‌ନଗରପାଳ ପରାଜୟ ବରଣ କରିବା ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। କଂଗ୍ରେସ ସାରା ଜିଲ୍ଲାରେ ଦୁର୍ବଳ ସ୍ଥିତିରେ ଥିବା ବେଳେ ଏଠାରେ ମୁଣ୍ଡ ଟେକିବା ବିଜେଡି କର୍ମୀଙ୍କୁ ହତବାକ କରିଛି। ତେବେ କାଉନସିଲର ପଦରେ ଭୋଟର୍‌ ବିଜେଡିକୁ ଅକୁଣ୍ଠ ସମର୍ଥନ କରିଛନ୍ତି। ଏହା ଏଭଳି ମଧ୍ୟ ସୂଚନା ଦିଏ ଯେ ବିଜେଡି ନଗରପାଳ ପ୍ରାର୍ଥୀଙ୍କୁ ଭୋଟର ନାପସନ୍ଦ କରିଥାଇ ପାରନ୍ତି। ତେଣୁ ତାଙ୍କୁ ଭୋଟର ପ୍ରତ୍ୟାଖାନ କରିଛନ୍ତି। ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ତୃଣମୂଳସ୍ତରରେ ଭୋଟରଙ୍କ ସମସ୍ୟା ସହିତ ଜଡ଼ିତ ଥିବା କୁହାଯାଉଛି। ଅନ୍ୟପକ୍ଷରେ ତତ୍‌କାଳୀନ ବେଲପାହାଡ଼ ବିଜେଡ଼ି ପୌର ପରିଷଦ ନାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ବିଧାୟକ ସ୍ବର୍ଗତ ମହାନ୍ତିଙ୍କ ପରମ ମିତ୍ର କୁହାଯାଉଥିବା ଜଣେ ଅଧିକାରୀ ଏଠାରେ ଦୀର୍ଘବର୍ଷ ନିର୍ବାହୀ ଅଧିକାରୀ ଥିଲେ। ରାଜ୍ୟ ସରକାର ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣି ବାଧ୍ୟତାମୂଳକ ଅବସର ଦେଇଥିଲା।

ପୌରସଂସ୍ଥାର ବିଭିନ୍ନ ଦ୍ରବ୍ୟ କିଣା ବିକାଠାରୁ ଆରମ୍ଭ କରି ଠିକା କାମରେ ବିପୁଳ ପରିମାଣରେ ଅର୍ଥ ଆତ୍ମସାତ ହେବା ଅଭିଯୋଗ ଉଠିଥିବା ବେଳେ ବହୁ ମାମଲା ଏବେ ମଧ୍ୟ ଭିଜିଲାନ୍ସ ବିଭାଗ ତଦନ୍ତ ପରିସରଭୁକ୍ତ ରହିଛି। ଏହା ମଧ୍ୟ ବିଜେଡି ପରାଜୟର ଏକ ବଡ଼ କାରଣ ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି। ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ତାଙ୍କର ବହୁ ସମର୍ଥକ ମନ୍ତ୍ରୀ ନବ ଦାସଙ୍କ ସହିତ ମିଶି ପାରୁଥିବା ଏବଂ ପରୋକ୍ଷରେ ବିରୋଧ କରୁଥିବା କାହାକୁ ଅଛପା ନୁହେଁ। ତେଣୁ  ଦଳରେ ଅନ୍ତର୍ଘାତୀ କାର୍ଯ୍ୟକଳାପ ବହୁମାତ୍ରାରେ ହୋଇଥିବା ମଧ୍ୟ ବହୁ ବିଜେଡି ନେତା ସ୍ବୀକାର କରୁଛନ୍ତି। ଅନ୍ୟପକ୍ଷରେ ଏଠାରେ ନଗରପାଳ ପଦ ପାଇଁ ବହୁ ନେତା ଆଗ୍ରହୀ ଥିବା ବେଳେ ସମସ୍ତୁଙ୍କୁ ବାଦ ଦେଇ ଶ୍ରୀ ଠକ୍କରଙ୍କୁ ଟିକେଟ ଦିଆଯାଇଥିଲା।

ଟିକେଟ ଦେବା ନେବାରେ ମଧ୍ୟ ଅର୍ଥ କାରବାର ହୋଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଶ୍ରୀ ଠକ୍କରଙ୍କ ବୋରୱେଲ ବ୍ୟବସାୟ  ଥିବାରୁ ସେ ଦୀର୍ଘ ଦିନରୁ ପୌରସଂସ୍ଥା ସହିତ ଜଡ଼ିତ ଥିବା ଜଣାଯାଇଛି। ପ୍ରାର୍ଥୀ ଚୟନରେ ତ୍ରୁଟି ଏକ ବଡ଼ କାରଣ ବୋଲି  କୁହାଯାଉଥିବା ବେଳେ ବିଜେଡି ଦାୟିତ୍ବରେ ଥିବା କର୍ମକର୍ତ୍ତା ଓ ଆଶାୟୀଙ୍କ ଅସହଯୋଗ ତଥା ଦଳ ବିରୋଧୀ କାର୍ଯ୍ୟକଳାପ ବିଜେଡିକୁ କ୍ଷତି କରିଥିବା ଚର୍ଚ୍ଚା ଜୋର ଧରିଛି। ବେଲପାହାଡ଼ ନଗରପାଳ ଆସନରେ ବିଜେଡିର ପରାଜୟ ସଂପର୍କରେ ଦଳ ସମୀକ୍ଷା କରିବ ଓ ଏଥିପାଇଁ ବିଜେଡି ସଚେତନ ଥିବା ବିଜେଡି ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ କହିଛନ୍ତି।