ଉପନିର୍ବାଚନ ତାତି ବଢ଼ିଲା : ତିର୍ତ୍ତୋଲ ପରେ ବାଲେଶ୍ୱରରେ ଦଳଡିଆଁ ରାଜନୀତି ଆରମ୍ଭ

ବିଜେଡିରେ ମିଶିଲେ ଅରୁଣ ଦେ, ଦଳ ଛାଡ଼ିଲେ ନାରାୟଣ
ତିର୍ତ୍ତୋ‌ଲରେ ବିଜେପି ଅଫିସ୍‌ ଉଦ୍‌ଘାଟନ ବେଳେ ଧସ୍ତାଧସ୍ତି
ଅନ୍ତଃକନ୍ଦଳ, ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନଙ୍କୁ କଡ଼ା ବିରୋଧ

ବାଲେଶ୍ୱର/ଜଗତ୍‌ସିଂହପୁରଟାଉନ/ତିର୍ତ୍ତେ‌ାଲ : ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ ଉପନିର୍ବାଚନ। ତା’ ପୂର୍ବରୁ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ରାଜନୀତି ଉଷ୍ମ ହୋଇଉଠିଛି। ଖାଲି ପ୍ରମୁଖ ନେତାଙ୍କ ଦଳବଦଳ ନୁହେଁ, ଦଳୀୟ କର୍ମୀଙ୍କ ବୈଠକରେ ତମ୍ବିତୋଫାନ ଦେଖିବାକୁ ମିଳିଛି। ଆଜି ଉଭୟ ନିର୍ବାଚନମଣ୍ଡଳୀରେ ଦୁଇଟି ବଡ଼ ଘଟଣା ଘଟିଛି। ବାଲେଶ୍ବରର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଥିବା ବେଳେ ବ୍ଲକ୍‌ ଅଧ୍ୟକ୍ଷ ନାରାୟଣ ପ୍ରଧ‌ାନ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଅନ୍ୟପଟରେ, ତିର୍ତ୍ତୋଲରେ ବିଜେପି ପାର୍ଟି ଅଫିସ ଉଦ୍‌ଘାଟନ ବେଳେ ପ୍ରବଳ ଗଣ୍ଡଗୋଳ ସହ ଧସ୍ତାଧସ୍ତି ହୋଇଛି। ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନଙ୍କୁ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।

ବାଲେଶ୍ବରରେ ଆଜି ଚର୍ଚ୍ଚାରେ ରହିଥିଲା ଦଳବଦଳ ଘଟଣା। ଓଡ଼ିଶା ରାଜନୀତିରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ ତଥା ପାଞ୍ଚଥରର ବିଧାୟକ ଅରୁଣ ଦେ ବିଜେଡିରେ ଯୋଗଦେଇଥିଲେ। ଶ୍ରୀ ଦେ ୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢ଼ି ପରାଜିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିବାବେଳେ ଦଳ ଜୀବନପ୍ରଦୀପ ଦାଶଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଅରୁଣ ନିର୍ବାଚନ ନ ଲଢ଼ି ବିଜେଡିକୁ ସମର୍ଥନ କରିଥିଲେ ଏବଂ ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ପାଇଁ ପ୍ରଚାର କରିଥିଲେ। ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପଠାରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ଦେ ଆଜି ବିଧିବଦ୍ଧ ବିଜେଡିରେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ସଂଗଠନ ସମ୍ପାଦକ ତଥା ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ବିଧାୟକ ଦେବୀ ମିଶ୍ର, ପ୍ରତାପ ଦେବ, ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ନଗରପାଳ ଆଲୋକ ସାହୁ, ସନ୍ତୋଷ ଖଟୁଆ, ବ୍ରିଟ୍‌ର ପୂର୍ବତନ ଅଧ୍ୟକ୍ଷ ଗୌରୀ ରାଉତ, ଜିଲ୍ଲା ଯୁବ ସଭାପତି ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଦେଙ୍କ ସମେତ ରଂଜନ ପ୍ରଧାନ, ରଂଜନ ବାଗ, କଂଗ୍ରେସ ନେତା ପ୍ରଦୀପ କୁମାର ପାତ୍ର ଏବଂ ସେମାନଙ୍କର ସମର୍ଥକ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ ।

ବର୍ତ୍ତମା‌ନ ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବ, ତାକୁ ନେଇ ଦଳରେ ଅନ୍ତଃକନ୍ଦଳ ଥମୁ ନଥିବାବେଳେ ଆଜି ବିଜେଡିରେ ଅରୁଣଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ତଃକନ୍ଦଳ ତୁଟାଇବା ପାଇଁ ଦଳ ହୁଏତ ଅରୁଣଙ୍କୁ ମଧ୍ୟସ୍ଥି କରାଯିବ କିମ୍ବା ଏଠାରୁ ପ୍ରାର୍ଥୀ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ ଏହି ମିଶ୍ରଣ ପର୍ବରେ ଆଜି ବହୁ ସଂଖ୍ୟାରେ ମହିଳାନେତ୍ରୀ ଓ କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ସଦର ବ୍ଲକ ତଥା ବାଲେଶ୍ବର ପୌରାଞ୍ଚଳରେ ବିଭିନ୍ନ ଦଳ ଏବଂ ମହିଳା ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକରେ କାମ କରୁଥିବା ମହିଳା ନେତ୍ରୀମାନେ ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ଏହି ଦୃଷ୍ଟିରୁ ଦଳ ଏଠାରୁ ଜଣେ ମହିଳା ନେତ୍ରୀଙ୍କୁ ମଧ୍ୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।

ସେପଟେ ବିଜେଡିର ଅସନ୍ତୁଷ୍ଟ ନେତା କୁହାଯାଉଥିବା ବାଲେଶ୍ବର ସଦର ବ୍ଲକ୍‌ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କୁ ଆଜି ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା।। ଶ୍ରୀ ପ୍ରଧାନ କାହିଁକି ଆସିଲେନି, ସେ ନେଇ ଦଳରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟାରେ ଶ୍ରୀ ପ୍ରଧାନ ଦଳରୁ ଇସ୍ତଫା ଦେଇଥିବା ଖବର ଆସିଥିଲା। ସ୍ଥାନୀୟ ରୟାଲକୁଇନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ବିଜେପିର ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନଙ୍କୁ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ମୟୂରଭଞ୍ଜ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସଂପାଦକ ବିଶେଶ୍ବର ଟୁଡୁ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ମିଶ୍ର, ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ମାନସ ଦତ୍ତ, ରାଜ୍ୟ ସମ୍ପାଦିକ ସିପ୍ରା ବାଜପେୟୀ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଚନ୍ଦ୍ର ଶେଖର ନନ୍ଦ ପ୍ରମୁଖ ସ୍ବାଗତ କରିଥିଲେ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ‌ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବାଲେଶ୍ବର ପ୍ରଭାରୀ ଗୋଲକ ମହାପାତ୍ର ପ୍ରମୁଖ ଭୁବନେଶ୍ବର ପାର୍ଟି କାର୍ଯ୍ୟାଳୟରୁ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଶ୍ରୀ ପ୍ରଧାନଙ୍କୁ ଦଳକୁ ସ୍ବାଗତ କରିଥିଲେ।

ଅନ୍ୟପକ୍ଷରେ, ଜଗତ୍‌ସିଂହପୁରର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ଗଲା ଦୁଇଟି ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ଗତକାଲି ଦଳରୁ ଇସ୍ତଫା ଦେଇଥିବା ବେଳେ ଆଜି ଦଳୀୟ କାର୍ଯ୍ୟକ୍ରମରେ ପାଟିତୁଣ୍ଡ, ଧସ୍ତାଧସ୍ତି ଯାଏ କଥା ଯିବା ଘଟଣା ଏଠାକାର ରାଜନୀତିକୁ ସରଗରମ କରିଛି। ତିର୍ତ୍ତୋଲ ଆନନ୍ଦ ମଣ୍ତପଠାରେ ବିଜେପିର ଦଳୀୟ ଅଫିସ ଉଦ୍‌ଘାଟନ କାର୍ଯ୍ୟକ୍ରମ ଓ ମିଶ୍ରଣପର୍ବରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପ ସଭାପତି ତଥା ତିର୍ତ୍ତୋଲ ବ୍ଳକ୍ ପର୍ଯ୍ୟବେକ୍ଷକ ଭୃଗୁ ବକ୍ସିପାତ୍ର, ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ, କଟକ ଜିଲ୍ଲା ବିଜେପି ସଭାପତି ତଥା ରଘୁନାଥପୁର ବ୍ଳକ୍ ପର୍ଯ୍ୟବେକ୍ଷକ ପ୍ରକାଶ ବେହେରା, କଟକ–ସଦର ବିଜେପି ନେତା, ପୂର୍ବତନ ରାଜ୍ୟ ସମ୍ପାଦକ ତଥା ବିରିଡ଼ି ବ୍ଳକ୍ ପର୍ଯ୍ୟବେକ୍ଷକ ଦିଲ୍ଲୀପ ମଲ୍ଲିକ, ବିଜେପି ଜିଲ୍ଲା ଯୁବ ସଭାପତି ସମ୍ପଦ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟାଳୟ ଉଦ୍‌ଘାଟନ ପରେ କ୍ରୀଷ୍ଣାନନ୍ଦପୁର, ବିରିତୋଳ, ବିଷୁନୁପୁର ପଂଚାୟତରୁ ସେଖ୍ ଲତିଫ୍ ଉଦ୍ଦିନଙ୍କ ନେତୃତ୍ବରେ ସଂଖ୍ୟା ଲଘୁ ସଂପ୍ରଦାୟର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ। ଠିକ୍ ଏହି ସମୟରେ ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ। ପ୍ରାୟ ୧୦ରୁ ୧୨ ଜଣ ଯୁବକ ସଭା ଗୃହ ଭିତରକୁ ଧସେଇ ପଶିଥିଲେ। ‘ ରମାକାନ୍ତ ଭୋଇଙ୍କ ପ୍ରତି କାହିଁକି ଅନ୍ୟାୟ କଲ, ପର୍ଯ୍ୟବେକ୍ଷକ ହାଏ ହାଏ, ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ ଗୋ ବ୍ୟାକ୍’ ନାରା ଦେଇ ସେମାନେ ପାଟିତୁଣ୍ତ କରିଥିଲେ। ବିଜେପି ଯୁବ ସଭାପତି ସମ୍ପଦ ସ୍ବାଇଁ ଓ ଅନ୍ୟ କିଛି ବିଜେପି କର୍ମୀ ତାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ କିଛି ଲାଭ ହୋଇ ନଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା, ହାତ ଉଠାଉଠି, ମାଡ଼ଗୋଳ ଯାଏ କଥା ଯାଇଥିଲା। ସେହି ଯୁବକ ମାନଙ୍କୁ ଠେଲି ବାହାରକୁ ବାହାର କରାଯାଇ ଗେଟ୍ ଦିଆଯାଇଥିଲା। ହେଲେ, ବାହାରେ ବି ସେମାନେ ପାଟିତୁଣ୍ଡ କରିଥିଲେ। ଏଭଳି ସ୍ଥିତିରେ ତରବରିଆ ଭାବେ ସଭା ସାରି ରାଜ୍ୟ ନେତୃବୃନ୍ଦ ଚାଲିଯାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଗତ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର