ଉପ-ନିର୍ବାଚନ : କେଉଁ ପ୍ରାର୍ଥୀଙ୍କ ସମ୍ପତ୍ତି କେତେ

ତିର୍ତୋଲ: ବିଜୟଶଙ୍କର, ହିମାଂଶୁ କୋଟିପତି, ବାଲେଶ୍ୱର: ସ୍ବରୂପ ସବୁଠୁ ଧନୀ, ବେଣୁ ଓ ନୁମାନ ଗରିବ

ଜଗତସିଂହପୁର : ତିର୍ତୋଲ ଉପନିର୍ବାଚନର ତିନି ପ୍ରମୁଖ ରାଜନୈତିକ ଦଳ ଓ ସିପିଆଇ ପ୍ରାର୍ଥୀଙ୍କର ସମ୍ପତ୍ତି ତାଲିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଜେଡ଼ି ପ୍ରାର୍ଥୀ ବିଜୟଶଙ୍କର ଦାସ ଓ କଂଗ୍ରେସ୍‌ ପ୍ରାର୍ଥୀ ହିମାଂଶୁ ଶେଖର ମଲ୍ଲିକ ଦୁହେଁ କୋଟିପତି ବୋଲି ତାଲିକାରେ ଉଲ୍ଲେଖ ଅଛି।

ସତ୍ୟପାଠରେ ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦର୍ଶାଇଛନ୍ତି ଯେ, ତାଙ୍କର ଅସ୍ଥାବର ସମ୍ପତ୍ତିର ପରିମାଣ ୩୬ ଲକ୍ଷ ୮୬ ହଜାର ୯୭୩ ଟଙ୍କା ଏବଂ ସ୍ଥାବର ସମ୍ପତ୍ତିର ମୂଲ୍ୟ ୬୨ ଲକ୍ଷ ୫୦ ହଜାର ଟଙ୍କା ରହିଛି। ଏହାସହ ୪ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଅନ୍ୟ ଏକ ସ୍ଥାବର ସମ୍ପତ୍ତି ରହିଛି। ତେବେ, ନିଜ ପାଖରେ ୫୦ ହଜାର ଟଙ୍କା ଥିବା ଦର୍ଶାଇଥିବାବେଳେ ମା’ ସଂଯୁକ୍ତା ଦାସଙ୍କ ପାଖରେ ମାତ୍ର ୫ ହଜାର ଟଙ୍କା ରହିଛି। ନିଜ ନାମରେ ଏକ ଟ୍ରକ୍, ୟାମାହା ବାଇକ୍ ଓ ଫୋର୍ଡ କାର୍ ଥିବା ଉଲ୍ଲେଖ କରିଛନ୍ତି। ସେହିପରି ନିଜ ନାଁରେ ୨୦ ଗ୍ରାମର ସୁନା ଓ ମା’ଙ୍କ ନିକଟରେ ୫୦ ଗ୍ରାମର ସୁନା ଓ ୪୦୦ ଗ୍ରାମର ରୁପା ରହିଛି। ସ୍ଥାନୀୟ ପୁନଙ୍ଗ ଓ ରଘୁନାଥପୁରରେ ଉଭୟଙ୍କ ନାଁରେ ଚାଷଜମି ରହିଛି। ରଘୁନାଥପୁର, ଗୋକଳପୁର, ଜଗତସିଂହପୁରର ମୁକୁନ୍ଦପୁର ମୌଜାରେ ଜାଗା ରହିଥିବାବେଳେ ଭୁବନେଶ୍ବର ବରମୁଣ୍ତାରେ ଘର, ଜାଗା ରହିଛି। ତେବେଳ ବିଜୟଶଙ୍କରଙ୍କ ମୁଣ୍ତ ଉପରେ ୨୬ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ୍ ଋଣ ରହିଛି।

କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲିକଙ୍କ ନିକଟରେ ନଗଦ ୯୦ ହଜାର, ପତ୍ନୀଙ୍କ ପାଖରେ ୭୦ ହଜାର ଓ ସମ୍ପର୍କୀୟ (ଡିପେଣ୍ତାଣ୍ଟ୍‌)ଙ୍କ ପାଖରେ ୩୦ହଜାର ଟଙ୍କା ରହିଛି। ହିମାଂଶୁଙ୍କର ନିଜ ନାମରେ ପାଖାପାଖି ୭୫ ଲକ୍ଷ ଟଙ୍କାର ବୀମା ରହିଛି। ଏହା ସହ ତାଙ୍କ ନିଜ କୌଣସି ସ୍ଥାବର ସମ୍ପତ୍ତି ନଥିବା ବେଳେ ଅସ୍ଥାବର ସମ୍ପତ୍ତିର ପରିମାଣ ମୋଟ୍ ୭୯,୧୪୫୮୭.୦୪ ଟଙ୍କା, ପତ୍ନୀଙ୍କ ନାଁରେ ୧,୩ ୫୦୦୦୦ ଓ ସମ୍ପର୍କୀୟ (ଡିପେଣ୍ତାଣ୍ଟ୍‌)ଙ୍କ ନାଁରେ ୮,୮୦୦୦୦ ଟଙ୍କା ରହିଛି।

ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ନିକଟରେ ନଗଦ ୩ ଲକ୍ଷ ଟଙ୍କା ଥିବାବେଳେ ତାଙ୍କ ପତ୍ନୀଙ୍କ ପାଖରେ ୧ ଲକ୍ଷ ଟଙ୍କା ରହିଛି। ଏହାସହ ତାଙ୍କ ନିକଟରେ ୫ ଲକ୍ଷ ଟଙ୍କାର ସୁନା ଗହଣା ଓ ପତ୍ନୀଙ୍କ ପାଖରେ ୧୦ ଲକ୍ଷ ଟଙ୍କାର ସୁନା ଗହଣା ରହିଛି। ତାଙ୍କ ନିଜ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ମୋଟ୍ ୧୦,୫୩,୦୬୧ ରହିଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୨୭ ଲକ୍ଷ ଟଙ୍କା ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ, ସିପିଆଇ ପ୍ରାର୍ଥୀ ବିଜୟ କୁମାର ଭୋଇଙ୍କ ନିକଟରେ ନଗଦ ୫୦ ହଜାର ଟଙ୍କା ଥିବାବେଳେ ପତ୍ନୀଙ୍କ ନିକଟରେ ୩୦ ହଜାର ଓ ସମ୍ପର୍କୀୟ (ଡିପେଣ୍ତାଣ୍ଟ୍‌)ଙ୍କ ନିକଟରେ ୫୦୦ ଟଙ୍କା ରହିଛି। ତାଙ୍କ ନିକଟରେ ୫୦ ହଜାର ଟଙ୍କା ମୂଲ୍ୟର ସୁନା, ପତ୍ନୀଙ୍କ ନିକଟରେ ୨ଲକ୍ଷ ୫୦ ହଜାର ଓ ସମ୍ପର୍କୀୟ (ଡିପେଣ୍ତାଣ୍ଟ୍‌)ଙ୍କ ନିକଟରେ ୫୦ ହଜାର ଟଙ୍କାର ସୁନା ରହିଛି। ତାଙ୍କ ନିଜ ନାମରେ କୌଣସି ସ୍ଥାବର ସମ୍ପତ୍ତି ନ ଥିବା ବେଳେ ଅସ୍ଥାବର ସମ୍ପତ୍ତିର ପରିମାଣ ମୋଟ୍ ୩୦,୬୪୬୮, ପତ୍ନୀଙ୍କ ନାଁରେ ୨୯,୧୪୮୮ ଓ ସମ୍ପର୍କୀୟ (ଡିପେଣ୍ତାଣ୍ଟ୍‌)ଙ୍କ ନିକଟରେ ୫୦,୫୦୦ ଟଙ୍କା ହେବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ବାଲେଶ୍ୱର: ସ୍ବରୂପ ସବୁଠୁ ଧନୀ, ବେଣୁ ଓ ନୁମାନ ଗରିବ
ବାଲେଶ୍ୱର : ବାଲେଶ୍ବର ସଦର ଉପନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଶାସକ ବିଜେଡି ଦଳର ପ୍ରାର୍ଥୀ ସ୍ବରୂପ କୁମାର ଦାସ ସବୁଠୁ ଧନୀ। ତାଙ୍କ ସମ୍ପତ୍ତିର ମୂଲ୍ୟ ୨ କୋଟିରୁ ଅଧିକ। ସ୍ବରୂପଙ୍କ ପଛକୁ ଅଛନ୍ତି କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ। ସ୍ବାମୀଙ୍କ ସଂପତ୍ତି ମିଶିଲେ ସେ ବି କୋଟିପତି। ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ସମ୍ପତ୍ତି ପରିମାଣ ୩୫ ଲକ୍ଷରୁ ଅଧିକ। ଅନ୍ୟପକ୍ଷରେ ସ୍ବାଧୀନ ପ୍ରାର୍ଥୀ ଭାଗ୍ୟଉଦିତ ଦାସ ମହାପାତ୍ରଙ୍କ ସମ୍ପତ୍ତିର ମୂଲ୍ୟ ୧୦ ଲକ୍ଷ ୮୦ ହଜାର ଟଙ୍କା ଥିବ‌ାବେଳେ ଅନ୍ୟ ଦୁଇ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓ ମହମ୍ମଦ ନୁମାନ ଖାନ୍‌ କପର୍ଦ୍ଦକଶୂନ୍ୟ। ଅର୍ଥାତ ସେମାନଙ୍କ ନାମରେ କୌଣସି ସମ୍ପତ୍ତି ହିଁ ନାହିଁ। ପ୍ରାର୍ଥୀମାନେ ନିଜ ସଂପତ୍ତି ବାବଦରେ ଏସବୁ ସତ୍ୟପାଠରେ ଦର୍ଶାଇଛନ୍ତି।

ବିଜେଡି ପ୍ରାର୍ଥୀ ସ୍ବରୂପଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨ କୋଟି ୧୨ ଲକ୍ଷ ୩୬ ହଜାର ୬୩ ଟଙ୍କା ରହିଥିବାବେଳେ ପତ୍ନୀ ସାଗରିକାଙ୍କ ନାମରେ ୫୪ ଲକ୍ଷ ୬୭ ହଜାର ୬୪୧ ଟଙ୍କାର ସମ୍ପତ୍ତି ରହିଛି। ସେହିପରି ତାଙ୍କ ଅବିଭକ୍ତ ପାରିବାରିକ ସମ୍ପତ୍ତି ୮ କୋଟି ୧୪ ଲକ୍ଷ ୮୧ ହଜାର ୬୦୦ ଟଙ୍କା ରହିଥିବା ଦର୍ଶାଯାଇଛି। ସ୍ବରୂପ ବ୍ୟାଙ୍କରୁ ୪୭ ଲକ୍ଷ ୯୭ ହଜାର ୫୩୨ ଟଙ୍କା ଋଣ ନେଇଛନ୍ତି। ତାଙ୍କ ନାମରେ କୌଣସି ମାମଲା ନାହିଁ। କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ମମତା କୁଣ୍ଡୁଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୫୯ ଲକ୍ଷ ୧୭ ହଜାର ଟଙ୍କା ହୋଇଥିବାବେଳେ ତାଙ୍କ ସ୍ବାମୀ ଉତ୍ପଳ କୁଣ୍ଡୁଙ୍କର ୫୬ ଲକ୍ଷ ୩୦ ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି। ମମତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୭ ଲକ୍ଷ ଟଙ୍କା ହୋଇଥିବାବେଳେ ତାଙ୍କ ସ୍ବାମୀଙ୍କ ନାମରେ ୧ କୋଟି ୭୫ ଲକ୍ଷ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ମମତାଙ୍କ ନାମରେ ବ୍ୟାଙ୍କରେ କୌଣସି ଋଣ ଏବଂ କୌଣସି ମାମଲା ନାହିଁ। ସେହିପରି ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୩୫ ଲକ୍ଷରୁ ଅଧିକ। ତାଙ୍କ ନାଁରେ ୩୦ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବାବେଳେ ପରିବାର ନାମରେ ୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଏହାଛଡ଼ା ପାର୍ଟ ଟାଇମ୍‌ ବିଜିନେସ୍‌ ବାବଦରେ ତାଙ୍କର ବାର୍ଷିକ ଆୟ ଦେଢ ଲକ୍ଷ ଏବଂ ବ୍ୟକ୍ତିଗତ ଆକାଉଣ୍ଟରେ ଦେଢ଼ଲକ୍ଷ ଟଙ୍କା ରହିଛି। ମାନସ ବ୍ୟାଙ୍କରୁ ୫୦ ହଜାର ଟଙ୍କାର ଋଣ କରିଥିବା ବେଳେ ତାଙ୍କ ନାମରେ ଗୋଟିଏ ମାମଲା ବିଚାରାଧୀନ ଅଛି। ସ୍ବାଧୀନ ପ୍ରାର୍ଥୀ ଭାଗ୍ୟଉଦିତ ଦାସ ମହାପାତ୍ରଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୧୦ ଲକ୍ଷ ୮୦ ହଜାର ଟଙ୍କା ବୋଲି ସେ ନିଜ ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କ ନାମରେ ୫୦ ହଜାର ଟଙ୍କା ଏବଂ ପତ୍ନୀଙ୍କ ନାମରେ ୫ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସେହିପରି ୧୨ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ଅନ୍ୟପକ୍ଷରେ ସ୍ବାଧୀନରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ସହଦେବଖୁଣ୍ଟା ଗୁଡ଼ିପଦା ଅଞ୍ଚଳର ବେଣୁଧର ବାରିକ ଏବଂ ଚାନ୍ଦିପୁର ମିର୍ଜାପୁର ଅଞ୍ଚଳର ମହମ୍ମଦ ନୁମାନ ଖାନ୍‌ଙ୍କ କୌଣସି ସମ୍ପତ୍ତି ନାହିଁ। ବେଣୁଧର ନାପିତ ବୃତ୍ତି କରନ୍ତି ଏବଂ ନୁମାନ ଖାନ ଜଣେ ଚାଷୀ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ‌

ସମ୍ବନ୍ଧିତ ଖବର