କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଜାତିଗତ ପ୍ରମାଣପତ୍ରରେ ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବା‌ଦରେ ପରାଜିତ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଆର୍‌ଆଇ ଅଫିସ୍‌ ଘେରାଉ କରିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ନୁର୍ପା ଗ୍ରାମର ରଂଜୁ ବେହେରା ମନମୁଣ୍ଡା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଜାତିରେ ସିମିଳି କେଉଟ। ଉକ୍ତ ଜାତି ଓବିସିରେ ଅନ୍ତର୍ଭୁକ୍ତ। ଚଳିତ ବର୍ଷ ଏହି ପଞ୍ଚାୟତର ସରପଞ୍ଚ ପଦ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା। ରଂଜୁ ମନମୁଣ୍ଡା ଆର୍‌ଆଇଙ୍କଠାରୁ ରିପୋର୍ଟ ପ୍ରସ୍ତୁତ କରି ତହସିଲ ଅଫିସ୍‌ରୁ ଅନୁସୂଚିତ ଜାତି ପ୍ରମାଣପତ୍ର ଆଣି ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ। ଏହା ଜାଣିବା ପରେ ପରାଜିତ ପ୍ରାର୍ଥୀ ଝୁନୁ ନାଗଙ୍କ ସ୍ୱାମୀ ଦେବସ୍ବ‌ାମୀ ନାଗ କଣ୍ଟାମାଳ ତହସିଲଦାରଙ୍କଠାରେ ଅଭିଯୋଗ କରିଥିଲେ।

ବୁଧବାର ଝୁନୁଙ୍କ ସହିତ ଶତାଧିକ ଅନୁସୂଚିତ ମହିଳା ଓ ପୁରୁଷ ୫୭ନଂ ଜାତୀୟ ରାଜପଥ ମନମୁଣ୍ଡା ଗାନ୍ଧୀ ଛକରୁ ଏକ ରାଲିରେ ଆସି ଆର୍‌ଆଇ ଅଫିସ୍‌ ଘେରାଉ କରିଥିଲେ। ଖବର ପାଇ ତହସିଲଦାର ରିନା ପ୍ରଧାନ ମନମୁଣ୍ଡା ଆର୍‌ଆଇ ଅଫିସରେ ପହଞ୍ଚି ଦାବିପତ୍ର ଗ୍ରହଣ କରିଥିଲେ। ଏ ସଂକ୍ରାନ୍ତରେ କଣ୍ଟାମାଳ ତହସିଲଦାର ଶ୍ରୀମତୀ ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ଜାତି ପ୍ରମାଣପତ୍ର ପ୍ରଦାନରେ କୌଣସି ତ୍ରୁଟି ନ ଥିବା କହିଛନ୍ତି।