ବାଇ-ଲ’ ନେଇ ଦ୍ବନ୍ଦ୍ବ ବଢ଼ୁଛି

ନିଶ୍ଚିତ ପ୍ରତ୍ୟାହାର ହେବ: ପ୍ରତାପ ଷଡ଼ଙ୍ଗୀ
ଆଗ ମାଟି, ତା’ପରେ ପାର୍ଟି: ସୌମ୍ୟରଞ୍ଜନ
ପ୍ରତ୍ୟାହାର ଦାବିରେ ଘଣ୍ଟ ବଜାଇଲେ ସେବାୟତ

ଭୁବନେଶ୍ବର : ଏକାମ୍ର କ୍ଷେତ୍ରରେ ପ୍ରସ୍ତାବିତ ଐତିହ୍ୟ ବାଇ-ଲ’କୁ ନେଇ ଦ୍ବନ୍ଦ୍ବ ଜାରି ରହିଛି। ସ୍ଥାନୀୟ ସାଂସଦ ଅପରାଜିତା‌ ଷଡ଼ଙ୍ଗୀ ବାଇ-ଲ’ ପ୍ରତ୍ୟାହାର ଦାବିକୁ ଅପ୍ରାସଙ୍ଗିକ କହିବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ତାଙ୍କ ପୁରୁଣା କଥାକୁ ଦୋହରାଇଛନ୍ତି। ପ୍ରସ୍ତାବିତ ବାଇ-ଲ’ ଏକ ଅମଲାତନ୍ତ୍ରିକ ତ୍ରୁଟି ଓ ଏହା ନିଶ୍ଚିତ ପ୍ରତ୍ୟାହାର ହେବ ବୋଲି ସେ ଜୋର୍‌ ଦେଇ କହିଛନ୍ତି। ଗୋଟିଏ ଦଳର ମନ୍ତ୍ରୀ ଓ ସାଂସଦଙ୍କର ପରସ୍ପର ବିରୋଧୀ ମନ୍ତବ୍ୟ ଲଗାତର ଭାବେ ଜାରି ରହିଥିଲା ବେଳେ ବିଜେପିର ରାଜ୍ୟ ନେତୃତ୍ବ ଏହି ପ୍ରସଙ୍ଗରେ ଏ ଯାଏ ନିରବତା ଅବଲମ୍ବନ କରୁଛନ୍ତି।

ବାଲେଶ୍ବରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ତାଙ୍କ ପୁରୁଣା କଥାକୁ ଦୋହରାଇଛନ୍ତି। ସେ ଜୋର୍‌ ଦେଇ କହିଛନ୍ତି ଯେ ମୁଁ ଆତ୍ମବିଶ୍ବାସର ସହ କହୁଛି ଏହି ବାଇ-ଲ’ ପ୍ରତ୍ୟାହାର ହେବ। ଏଥି ପାଇଁ ନିର୍ଦ୍ଦେଶ ଦିଆସରିଛି। ପ୍ରସ୍ତାବିତ ବାଇ-ଲ’ ଏକ ଆଦେଶ ନୁହେଁ, ଅମଲାତନ୍ତ୍ରିକ ତ୍ରୁଟି। ପୁରୀ ମନ୍ଦିରରେ ଯେମିତି ପ୍ରତ୍ୟାହାର ହୋଇଛି, ଭୁବନେଶ୍ବରରେ ସେମିତି ହେବ। ମନ୍ଦିର, ସେବାୟତ, ଜନସାଧାରଣ, ସିଭିଲ୍‌ ସୋସାଇଟି ସହ ଆଲୋଚନା ଓ ପରାମର୍ଶ ନ କରି କିଛି କରାଯାଇପାରିବ ନାହିଁ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହେଉ କି ଶ୍ରୀଲିଙ୍ଗରାଜ ମନ୍ଦିର, ଏସବୁ ପ୍ରତି ଆମ ସରକାରଙ୍କର ବହୁତ ଶ୍ରଦ୍ଧା ଅଛି। ତେଣୁ ମଠ, ମନ୍ଦିର ପ୍ରତି କେନ୍ଦ୍ର ସରକାର କେବେ ଏମିତି କରିପାରିବେ ନାହିଁ।

ଅପରପକ୍ଷରେ ବିଜେଡି ଉପସଭାପତି ତଥା ବିଧାୟକ ‌ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ମାଟି ଆଗ ନା ପାର୍ଟି ଆଗ, ତାହା ବିଜେପି ନେତାମାନେ ଅଧିକ ଚିନ୍ତା କରିବା ଦରକାର। ଏମିତି କିଛି ପ୍ରସଙ୍ଗ ଅଛି ଯେଉଁଥିରେ ମାଟି ସବୁଠାରୁ ବଡ଼ ହେବା ଦରକାର। ରାଜ୍ୟ ସରକାର କ’ଣ ହଠାତ ଜଗନ୍ନାଥ ମନ୍ଦିର ସୌନ୍ଦର୍ଯ୍ୟକରଣ କଲେ? ନା ହଠାତ ଲିଙ୍ଗରାଜ ମନ୍ଦିର ସଂସ୍କାର ବିଷୟରେ ଚିନ୍ତା କଲେ? କେନ୍ଦ୍ର ମନ୍ତ୍ରୀ ଓ ସାଂସଦ କ’ଣ ଜାଣିନାହାନ୍ତି ଯେ ଏ ସରକାରଙ୍କ ନିର୍ବାଚନ ପରଠାରୁ ଗୋଟିଏ ମୌଳିକ ପ୍ରସଙ୍ଗ ହେଲା ଓଡ଼ିଶାରେ ଯେତେ ମନ୍ଦିର ଅଛି ସେସବୁର ସଂସ୍କାର କରାଯିବ! ପ୍ରଥମେ ଜଗନ୍ନାଥ, ପରେ ଲିଙ୍ଗରାଜଙ୍କ ପାଳି ପଡ଼ିଲା। ତାହା ପରେ ଅନ୍ୟ ମନ୍ଦିର ପାଳି ପଡ଼ିବ। ଆମେ କ’ଣ ମନ୍ଦିର ସଂସ୍କାର ନାଁରେ ଦେଶର ପ୍ରତ୍ନତାତ୍ତ୍ବିକ ସମ୍ପତ୍ତିକୁ ନଷ୍ଟ କରିଦେବୁ? ଆମର କ’ଣ ଦେଶପ୍ରୀତି ନାହିଁ ନା ଆମର ଐତିହ୍ୟ ପ୍ରତି ଆମର ଶ୍ରଦ୍ଧା ନାହିଁ? ଯେତେବେଳେ ଜଗନ୍ନାଥ ମନ୍ଦିରରେ କାର୍ଯ୍ୟ ଆରମ୍ଭ କରାଗଲା, ସେତେବେ‌ଳେ ଏଏସ୍‌ଆଇ କୋଉଠି ଥିଲା? ଏଏସ୍‌ଆଇ କ’ଣ ଓଡ଼ିଶାରେ ନ ଥିଲା କି? ଖାଲି ଶ୍ରେୟ ନେବା ପାଇଁ ଲଢ଼େଇ କଲେ କ’ଣ ହେବ। ଦୁଇ ଦଳ ହାତ ମିଳାଇ ମନ୍ଦିରର କଲ୍ୟାଣ କାର୍ଯ୍ୟ କରନ୍ତୁ। କିଏ ମନା କରିବ?

ବାଇ-ଲ’ ପ୍ରସଙ୍ଗରେ ବିଜେପିରେ ପ୍ରକାଶ ପାଉଥିବା ଭିନ୍ନ ଭିନ୍ନ ମତକୁ ନେଇ ସୌମ୍ୟରଞ୍ଜନ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହୁଛନ୍ତି ପ୍ରତ୍ୟାହାର ହେଲା ବୋଲି ଧରିନିଅ। ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ପ୍ରଶାସନିକ ଅଧିକାରୀ ଠିକ ଭାବେ ସୂଚନା ଦେଇନାହାନ୍ତି, ଯେଉଁଥିପାଇଁ ଭୁଲ ବୁଝାମଣା ହୋଇଛି। ଖୁବ୍‌ ଶୀଘ୍ର ତାହା ତୁଟିଯିବ। କିନ୍ତୁ ଅପରାଜିତା ମାଡାମ କହୁଛନ୍ତି ପ୍ରତ୍ୟାହାର ପ୍ରଶ୍ନ ଉଠୁନାହିଁ। ତେଣୁ ନେତୃମଣ୍ଡଳୀ ନିଜ ଦଳ ଭିତରେ ଆଗେ ବୁଝାମଣା ଠିକ ରଖନ୍ତୁ।

ଅନ୍ୟପକ୍ଷରେ ଆଜି ପୂର୍ବ ଘୋଷଣା ଅନୁଯାୟୀ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ବିଭିନ୍ନ ମନ୍ଦିର ସାମ୍ନାରେ ଘଣ୍ଟ ମାଡ଼ କରାଯାଇଥିଲା। ଲିଙ୍ଗରାଜ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିର ସାମ୍ନାରେ ସେବାୟତମାନେ ଘଣ୍ଟ ମାଡ଼ କରି ବାଇ-ଲ’ ପ୍ରତ୍ୟାହାର ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର