ଟ୍ବିଟ୍‌ ଯୁଦ୍ଧ, କଡ଼ା ଟିପ୍ପଣୀ ଦେଲେ ପିନାକୀ
କେନ୍ଦ୍ରମନ୍ତ୍ରୀ ପ୍ରତାପ, ବିଜୟ ବି ଅସନ୍ତୋଷ ଝାଡ଼ିଲେ
ବିଜେଡି ଓ କଂଗ୍ରେସ ନେତାଙ୍କ ଗର୍ଜନ ତର୍ଜନ
ଗ୍ରହଣ କରୁନାହାନ୍ତି ସେବାୟତ, ଆନ୍ଦୋଳନକୁ ଓହ୍ଲାଇଲେ
ସମନ୍ବୟ ଭିତ୍ତିରେ ବିକାଶ ହେଉ: ଛତିଶାନିଯୋଗ ନାୟକ

Advertisment

ପୁରୀ/ ଭୁବନେଶ୍ବର : କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନଏମଏ)ର ପ୍ରସ୍ତାବିତ ବାଇ-ଲ’ ବା ଉପନିୟମକୁ ନେଇ ସେବାୟତଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ସବୁଠାରେ ଅସନ୍ତୋଷର ବହ୍ନି ଜଳାଇଛି। ସେବାୟତମାନେ ଆଜି ସିଂହଦ୍ବାରରେ ଦୃଢ଼ ପ୍ରତିବାଦ ଜଣାଇବା ସହ ଏହା ଏକ ଘୃଣ୍ୟ ଷଡ଼ଯନ୍ତ୍ର ତଥା କୁତ୍ସିତ ରାଜନୀତି ବୋଲି ଅଭିଯୋଗ କରିଛନ୍ତି।

ଏପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ନେତା ବିଜୟ ମହାପାତ୍ର ବି କେନ୍ଦ୍ରର ନିୟମକୁ ପ୍ରତିବାଦ କରିଛନ୍ତି। ଶ୍ରୀ ମହାପାତ୍ର ଆଉ ପାଦେ ଆଗେଇ ଯାଇ ସିଧା ସିଧା ଧମକାଇଛନ୍ତି ଯେ ଏହି ନିୟମ ତୁରନ୍ତ ପ୍ରତ୍ୟାହାର ନହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ। କେବଳ ସେ ଏକା ନୁହନ୍ତି, କଂଗ୍ରେସ, ବିଜେଡି ନେତାମାନେ ମଧ୍ୟ ଗର୍ଜନ କରିଛନ୍ତି।

ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର କହିଛନ୍ତି, ଏହି ବାଇ-ଲ ଗ୍ରହଣୀୟ ନୁହେଁ। ଏଭଳି ବିବାଦ ଠିଆ ନକରି କେନ୍ଦ୍ର-ରାଜ୍ୟ ସମନ୍ବୟ ରଖିବା ଦରକାର। ସେ କହିଛନ୍ତି ଯେ ଶ୍ରୀଜଗନ୍ନାଥ ପରମ୍ପରା ଏବେ ବିପଦରେ। ଆଗରୁ ଶ୍ରୀମନ୍ଦିର ଚାରିପଟେ ଥିବା ସାତସାହି ଶ୍ରୀମନ୍ଦିରର ସୁରକ୍ଷାଦାତା ଥିଲେ। ଏଥିପାଇଁ ଚାରିପଟେ ଆଖଡ଼ାମାନ ବି ରହିଥିଲା। ମହାପ୍ରଭୁ ଯେତେବେଳେ ୧୮ଥର ପାତାଳୀ ହୋଇଛନ୍ତି, ସେତେବେଳେ ସେବକମାନେ ହିଁ ସୁରକ୍ଷା ଦେଇଥିଲେ। ପ୍ରତ୍ୟକ୍ଷ ହେଉ କି ପରୋକ୍ଷ, ମହାପ୍ରଭୁଙ୍କ ସେବା ସହ ସାତସାହି ଜଡ଼ିତ। ଶ୍ରୀମନ୍ଦିର ହେଉଛି

ଧାର୍ମିକ ଅନୁଷ୍ଠାନ। ଯାହା ବି କରାଯାଉଛି, ସେ ଉପରେ ସେବାୟତଙ୍କ ପରାମର୍ଶ ନିଆଯାଉ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେବାୟତଙ୍କ ପରାମର୍ଶଭିତ୍ତିରେ କାମ କରନ୍ତୁ।

ତୁରନ୍ତ ଏହି ବାଇ-ଲ ପ୍ରତ୍ୟାହାର ନ ହେଲେ, ସେବାୟତ ମହଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି। ଏହି ଉପନିୟମ ଜନବିରୋଧୀ। ଅଯଥା ରାଜନୀତି କରାଯାଉଛି। ଏଠି ବାହା-ବା ନେବାକୁ ପ୍ରତିଯୋଗିତା ଚାଲିଛି। ତୁରନ୍ତ ଏହି ବାଇ-ଲ’ ପ୍ରତ୍ୟାହାର ନ ହେଲେ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବ। ଏଥିପାଇଁ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି।

ଏତେ ଦିନ ଧରି ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ନିରବ ଥିବା ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ କାହିଁକି ତତ୍ପର ହୋଇଉଠିଛି ବୋଲି ସେବାୟତ ମହଲ ପ୍ରଶ୍ନ କରିଛନ୍ତି। ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ଯେଉଁ ବାଇ-ଲ ପ୍ରସ୍ତୁତ କରିଛନ୍ତି, ସେଥିରେ ବିକାଶ ତ’ ଅଟକିଯିବ, ଅଯଥାରେ ସେବାୟତ କଲବଲ ହେବେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୩୦୦ ମିଟର ଭିତରେ ନିର୍ମାଣ ସହ ଅନ୍ୟାନ୍ୟ କଟକଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅସନ୍ତୋଷ ଝାଡ଼ିଛନ୍ତି। ପ୍ଲାକାର୍ଡ଼ ଧରି ଏହି ଉପନିୟମ ବିରୋଧରେ ନାରାବାଜି ଦେଇଛନ୍ତି।

ଏହି ପ୍ରସଙ୍ଗ ଉପରେ ଟ୍ବିଟର ଯୁଦ୍ଧ ଆରମ୍ଭ ହୋଇଯାଇଛି। ପୁରୀ ସାଂସଦ ପିନାକୀ ମିଶ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଟ୍ବିଟ୍ କରି କଡା ଟିପ୍ପଣୀ ରଖିଛନ୍ତି। ପ୍ରକଳ୍ପରେ ବାଧା ନ ଉପୁଜାଇ ସହଯୋଗ କରିବାକୁ ନିବେଦନ କରିଛନ୍ତି। ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ବିଟରରେ କଟୁ ସମାଲୋଚନା ବି କରାଯାଇଛି। ଧର୍ମେନ୍ଦ୍ରଙ୍କୁ ଡାହାଣୀ-ଗୁଣିଆ ବୋଲି କହିବାକୁ ପଛାଇ ନାହାନ୍ତି।

କେବଳ ପୁରୀରେ ଯେ ପ୍ରତିକ୍ରିୟା ସୀମିତ ରହିଛି, ତା ନୁହେଁ, ଦଳମତ ନିର୍ବିଶେଷରେ ରାଜନେତାମାନେ ଏହା ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଖୋଦ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ହଜମ କରିପାରି ନାହାନ୍ତି। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ବାଇ-ଲ ଆଣିବା ପୂର୍ବରୁ ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ସେବାୟତ, ସେବାମଣ୍ଡଳୀ, ପ୍ରଶାସନ ସହ ଆଲୋଚନା କରି ନିଷ୍ପତ୍ତି ନେବାର ଆବଶ୍ୟକତା ଥିଲା। ରାଜ୍ୟର ସଂସ୍କୃତି ସୁରକ୍ଷା ଦୃଷ୍ଟିରୁ ଏ ନେଇ ବିଚାର କରାଯିବ। ଜଗନ୍ନାଥ ହେଉଛନ୍ତି ଆମର ପ୍ରାଣକେନ୍ଦ୍ର, ଆଶା ଓ ବିଶ୍ବାସର ପ୍ରତୀକ। ଅତୀତରୁ ଜଗନ୍ନାଥଙ୍କୁ ସେବାୟତମାନେ ସୈନିକ ଭଳି ସୁରକ୍ଷା ଦେଇଆସିଛନ୍ତି। ଖୁବଶୀଘ୍ର ବିଚାର ବିମର୍ଶ କରି ବିଜେପି ତରଫରୁ କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବ ବୋଲି ସେ କହିଛନ୍ତି।
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଛନ୍ତି, ପ୍ରସ୍ତାବିତ ଗାଇଡଲାଇନ୍‌ ପୁରୀ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ଏପରି ହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ। ପୁରୀ ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବିଚାର କରିବା ଆବଶ୍ୟକ ରହିଛି। ଭାରତ ବର୍ଷର ଅନ୍ୟ ମନ୍ଦିର ସହିତ ପୁରୀ ଜଗନ୍ନାଥଙ୍କ ମନ୍ଦିରକୁ ତୁଳନା କରିବା ଉଚିତ ନୁହେଁ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଚଳନ୍ତି ଠାକୁର। ଏଠି ଅନ୍ୟ କୌଣସି ଆଇନକାନୁନ୍‌ ଲାଗୁ ହେବା କଷ୍ଟକର।

ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ କାର୍ଯ୍ୟ କରୁଥିବାବେଳେ କେନ୍ଦ୍ର ସରକାର ଆଦୌ ବାଧା ଦେବା ଉଚିତ ନୁହେଁ। ଏହା ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେବ। କେନ୍ଦ୍ର ସରକାର ଏଥିରୁ କ୍ଷାନ୍ତ ରୁହନ୍ତୁ। ରାଜ୍ୟର କ୍ଷମତାକୁ ସମ୍ମାନ ଦିଅନ୍ତୁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଉଥିବା ଦଳ ଏପରି କରି ଓଡ଼ିଶାବାସୀଙ୍କ ଭାବାବେଗକୁ କେତେ ଆଘାତ ଦେଇଛି ତାକୁ କେନ୍ଦ୍ର ସରକାର ଅନୁଭବ କରିବା ଦରକାର। ପୁରୀର ସୌନ୍ଦର୍ଯ୍ୟ କାମ ରାତାରାତି ହୋଇନାହିଁ। ଯଦି କେନ୍ଦ୍ର ସରକାରଙ୍କ ଏପରି କରିବାର ଥିଲା ତାହେଲେ ଆଗରୁ କଲେ ନାହିଁ କାହିଁକି? ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଛି ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ କହିବା କଥା, ପୁରୀର ସୌନ୍ଦର୍ଯ୍ୟକରଣ କାମ ଅଧାରୁ ଅଧିକ ଆଗେଇଗଲାଣି। ମନ୍ଦିର ଚାରିପଟୁ ୭୫ ମିଟର ଖାଲି କରାଯାଇ ବିସ୍ଥାପିତ ଲୋକ ଓ ସେବାୟତମାନଙ୍କୁ ଅନ୍ୟତ୍ର ପୁନର୍ବାସ ପାଇଁ ରାଜ୍ୟ ସରକାର ମଧ୍ୟ ଜମି ଚିହ୍ନଟ କରି ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଏପରି ସମୟରେ କେନ୍ଦ୍ର ସରକାର ପୁଣି ଗୋଟିଏ ପେଞ୍ଚ ପୂରାଇବା ଅର୍ଥ କେବଳ ପୁରୀ ବିକାଶକୁ ନେଇ ରାଜନୈତିକ ଷଡ଼ଯନ୍ତ୍ର ଛଡ଼ା ଆଉ କିଛି ନୁହେଁ। ଏହାକୁ ଆଗାମୀ ଦିନରେ କଡ଼ା ବିରୋଧ କରାଯିବ।