ବାଲେଶ୍ବର ସଦର ଉପନିର୍ବାଚନ: ୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହେବ କାଲି

ମତଦାନ ଦେବେ ୨ ଲକ୍ଷ ୩୦ ହଜାର ୨୯୭ ଜଣ ଭୋଟର, ୩୪୬ଟି ବୁଥକେନ୍ଦ୍ରରେ ହେବ ଭୋଟଗ୍ରହଣ

ବାଲେଶ୍ବର: ବାଲେଶ୍ବର ସଦର ଆସନ ପାଇଁ ଆସନ୍ତାକାଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ମାସେ ହେଲା ପ୍ରମୁଖ ରାଜନୈତିକ ଦଳର ଛାମୁଆ ନେତା ଓ କର୍ମୀ ଝାଳବୁହା ପରିଶ୍ରମ କରି ପ୍ରଚାର ଅଭିଯାନରେ ମାତିଥିଲେ। ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥୀଙ୍କ ସହିତ ୩ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ମଙ୍ଗଳବାର ଇଭିଏମ୍‌ରେ ସିଲ୍‌ ହୋଇଯିବ।

ବାଲେଶ୍ବର ସଦର ଉପନିର୍ବାଚନରେ ବିଜେଡି ଜଣେ ନୂ୍ଆ ମୁହଁ ସ୍ବରୂପ ଦାସଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରିଥିଲା। ସ୍ବରୂପ ବାଲେଶ୍ବର ମ୍ୟୁନିସିପାଲିଟିର ଜଣେ ପୂର୍ବତନ କାଉନସିଲର। ୨୦୧୯ ସାଧାରଣ ନିର୍ବାଚନରେ ହାତରୁ ଖସିଯାଇଥିବା ଏହି ଆସନକୁ ପୁଣିଥରେ ନିଜ ଅକ୍ତିଆରକୁ ଆଣିବା ପାଇଁ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଦଳର ସଂଗଠନ ମୁଖ୍ୟ ପ୍ରଣବପ୍ରକାଶ ଦାସ, ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀପ୍ରସନ୍ନ ମିଶ୍ର, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ସମୀରରଂଜନ ଦାସ, ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ୧ ଡଜନରୁ ଅଧିକ ମନ୍ତ୍ରୀ ଏବଂ ୪୦ରୁ ଅଧିକ ବିଧାୟକ ଦୀର୍ଘ ୩ ସପ୍ତାହ ଧରି ଏଠାରେ ଶିବିର ପକାଇବା ସହ ଦଳୀୟକର୍ମୀଙ୍କୁ ଏକତ୍ରିତ କରି ଝାଳବୁହା ପରିଶ୍ରମ କରିଥିଲେ।

ସେପଟେ ବିଜେପି ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ଅନୁକମ୍ପା ଭୋଟକୁ ହାତେଇବା ପାଇଁ ତାଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା। ‌ବୟସରେ ସବୁ ପ୍ରାର୍ଥୀଙ୍କ ଠାରୁ ସେ ସାନ ହୋଇଥିଲେ ବି ନିଜର ରାଜନୈତିକ ଦକ୍ଷତା ଓ ଯୋଗ୍ୟତା ବଳରେ ଅନେକାଂଶରେ ସଫଳ ହୋଇଛନ୍ତି। ପ୍ରଚାରବେଳେ ନିଜ ବାପାଙ୍କ ଫଟୋଧରି ଏବଂ ବିଧବା ମା’ଙ୍କୁ ସାଙ୍ଗରେ ନେଇ ଲୋକଙ୍କ ମନରେ ଏକ ଭାବପ୍ରବଣତା ସୃଷ୍ଟି କରିପାରିଛନ୍ତି। ମାନସଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ପ୍ରଚାରର ମଙ୍ଗ ଧରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା‌ ଷଡ଼ଙ୍ଗୀ, ବିରୋଧୀଦଳ ନେତା ପ୍ରଦୀପ ନାଏକ, ଉପନେତା ବିଷ୍ଣୁ ସେଠୀ, କେଭି ସିଂଦେଓ, ସାଂସଦ ଜୁଏଲ ଓରାମ, ବିଶ୍ବେଶ୍ବର ଟୁଡୁ, ଅଶ୍ବିନୀ ବୈଷ୍ଣବ, ଗୋଲକ ମହାପାତ୍ର, ସୁରମା ପାଢ଼ୀ, ଲେଖା‌ଶ୍ରୀ ସାମନ୍ତସିଂହାରଙ୍କ ସମେତ ଦଳର ବରିଷ୍ଠ ନେତା ଓ ବିଧାୟକମାନେ ଜୋରଦାର ପ୍ରଚାର କରିଛନ୍ତି।

ସମାନ ଭାବରେ କଂଗ୍ରେସ ବି ପ୍ରଚାରରେ ପଛରେ ପଡ଼ିନଥିଲା। ପ୍ରଥମଥର ପାଇଁ ଦଳ ଏଠାରୁ ନୂଆ ମୁହଁ ଭାବେ ଜଣେ ମହିଳା ପ୍ରାର୍ଥୀ ଭାବେ ସମାଜସେବୀ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରି ଜନସାଧାରଣଙ୍କୁ ଚମକାଇଥିଲା। ଦଳର ରାଜ୍ୟ ପ୍ରଭାରୀ ତଥା ସାଂସଦ ଡକ୍ଟର ଏ ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ସୁର ରାଉତରାୟ, ବା‌ଲେଶ୍ବର ଲୋକସଭା ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ, କୋ‌ରାପୁଟ ସାଂସଦ ସପ୍ତଗିରି ଉଲାକା, ବିଧାୟକ ସନ୍ତୋଷ ସିଂସାଲୁଜା, ଅଧିରାଜ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସତ୍ୟ ନାୟକ, ପୂର୍ବତନ ସାଂସଦ ସୁଶୀଳା ତିରିଆ, ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ, ଜିଲ୍ଲା ସଭାପତି ସଂଜୀବ ଗିରି, ସତ୍ୟଶିବ ଦାସ ପ୍ରମୁଖ ମାରାଥନ ପ୍ରଚାର କରିଛନ୍ତି।

ତିନିଦଳର ଏହି ହାଇଭୋଲଟେଜ ପ୍ରଚାର ମଧ୍ୟରେ ସ୍ବାଧୀନ ପ୍ରାର୍ଥୀ ଏବଂ ସବୁଠୁ ଗରିବ ଓ ବୟସ୍କ ପ୍ରାର୍ଥୀ ବେଣୁଧର ବାରିକଙ୍କ ଅଭିନବ ପ୍ରଚାର ବି ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। କେତେବେଳେ ପାଦରେ ଚାଲିଚାଲି ତ କେତେବେଳେ ଅଟୋରିକ୍ସାରେ ଏପରିକି ମର୍ସିଡିଜ୍‌ ଗାଡ଼ିରେ ମଧ୍ୟ ତାଙ୍କୁ ନେଇ ଜୋରଦାର ପ୍ରଚାର ମିଡିଆ ଓ ସୋସିଆଲ ମିଡିଆରେ ଛାଇଯାଇଥିଲା। ତାଙ୍କ ପାଇଁ ଜଲିଉଡ୍‌ର ରାନି ପଣ୍ଡା, ଦାମ ପଣ୍ଡାଙ୍କଠାରୁ ଆରମ୍ଭ କରି କିଛି ସାମାଜିକ ସଂଗଠନର କର୍ମୀମାନେ ସ୍ବତଃପ୍ରବୃତ୍ତ ଭାବେ ପ୍ରଚାର କରିଥିଲେ। ତାଙ୍କର ପ୍ରାର୍ଥିତ୍ବ, ବ୍ୟକ୍ତିତ୍ବ, ପ୍ରଚାରଶୈଳୀ ମଧ୍ୟ କିଛି ଜନସାଧାରଣଙ୍କୁ ଆକୃଷ୍ଟ କରିଛି।

ଅନ୍ୟପକ୍ଷରେ ବେଣୁଧର ଜଣେ ଗରିବ ଏବଂ ବୃତ୍ତିରେ ଜଣେ ବାରିକ ହୋଇଥିବାବେଳେ ତାଙ୍କର ଏହି ବ୍ୟୟବହୁଳ ତଥା ହାଇଟେକ ପ୍ରଚାର ପାଇଁ କେଉଁଠୁ ଟଙ୍କା ଆଣିଲେ ସେନେଇ ପ୍ରଶ୍ନ ଉଙ୍କିମାରିଥିବାବେଳେ ତାଙ୍କୁ ମୋହରା କରି ଅନୁକମ୍ପା ଭୋଟ ବିଭାଜନ କରିବାକୁ ଶାସକଦଳ ଏପରି ରଣନୀତି ପ୍ର‌ୟୋଗ କରିଥିବା କୁହାଯାଇଛି। ତେବେ ବେଣୁଧର ଏହାକୁ ଖଣ୍ଡନ କରି କହିଛନ୍ତି ଜନସାଧାରଣ ସ୍ବତଃ ତାଙ୍କ ପାଇଁ ପ୍ରଚାର କରୁଛନ୍ତି। ଏଥିପାଇଁ ସେ ନିଜଆଡ଼ୁ କାହାକୁ ସହଯୋଗ ମାଗିନଥିବା କହିଛନ୍ତି। ତେବେ ଆସନ୍ତାକାଲି ନିର୍ବାଚନ ଥିବାବେଳେ ରାଜନୈତିକ ଦଳମାନଙ୍କର ଏହି ଗୋଟିଚାଳନା କେତେଦୂର କାମ କରିବ ଏବଂ କାହାର ପଲା ଭାରି ରହିବ ତାହା ଜଣାପଡ଼ିବ।

ଏହି ନିର୍ବାଚନରେ ୨ଲକ୍ଷ ୩୦ ହଜାର ୨୯୭ଜଣ ମତଦାତା ୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ତନ୍ମଧ୍ୟରୁ ୧ ଲକ୍ଷ ୧୮ ହଜାର ୬୫୮ ଜଣ ପୁରୁଷ ମତଦାତା ଥିବାବେଳେ ୧ ଲକ୍ଷ ୧୧ ହଜାର ୬୩୦ ମହିଳା ଏବଂ ୯ ଜଣ ତୃତୀୟଲିଙ୍ଗ ମତଦାତା ରହିଛନ୍ତି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ୩୪୬ଟି ବୁଥକେନ୍ଦ୍ରରେ ଭୋଟଗ୍ରହଣ କରାଯିବ। ସମଗ୍ର ନିର୍ବାଚନମଣ୍ଡଳୀରେ ୮୫ଟି ସମ୍ବେଦନଶୀଳ ବୁଥ ଏବଂ ୧୬ଟି ମଡେଲ ବୁଥ୍‌ ରହିଥିବା ସୂଚନା ଦିଆଯାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଭୋଟ ଦେବାପାଇଁ ବିଭିନ୍ନ ଶିଳ୍ପସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ୩ ତାରିଖ ଭୋଟଗ୍ରହଣ ଦିବସକୁ ସବୈତନିକ ଛୁଟିଦିବସ ଭାବେ ଘୋଷଣା କରାଯାଇଛି। ଏହି ଦିନ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଶିଳ୍ପସଂସ୍ଥା, ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର