ଶତାଧିକ ବ୍ୟଞ୍ଜନରେ ଅପ୍ୟାୟିତ ହେଲେ ସିଦ୍ଧ ଜଗନ୍ନାଥ

କେନ୍ଦୁଝର : କେନ୍ଦୁଝର ସିଦ୍ଧମଠସ୍ଥିତ ସିଦ୍ଧ ଜଗନ୍ନାଥ ମନ୍ଦିରରେ ରବିବାର ଦିନ ବ୍ୟଞ୍ଜନ ଦ୍ବାଦଶୀ ପାଳିତ ହୋଇଯାଇଛି । ପୁରାଣ ଅନୁଯାୟୀ ଆଜି ଦିନରେ କୃଷ୍ଣଙ୍କୁ ମା’ ଯଶୋଦା ପ୍ରଥମେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଖୁଆଇଥିଲେ । ଏହି ଦିନ ଅନୁସାରେ ଭାରତୀୟ ସଂସ୍କୃତି ଅନୁଯାୟୀ ବିଭିନ୍ନ ମଠ ମନ୍ଦିରରେ କୃଷ୍ଣଙ୍କୁ ବ୍ୟଞ୍ଜନ ଲାଗି ହୋଇଥାଏ । କଳି ଯୁଗରେ ଜଗନ୍ନାଥ ହେଉଛନ୍ତି କୃଷ୍ଣଙ୍କ ଅବତାର ବୋଲି ଧରାଯାଉଛି । ଏହି ଅବସରରେ କେନ୍ଦୁଝର ଜିଲ୍ଲାର ସ୍ଥାନୀୟ ସିଦ୍ଧ ମଠ ସ୍ଥିତ ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଇଥିଲା।

ଦୈନିକ ରୀତିନୀତି ପରେ ସିଦ୍ଧ ଜଗନ୍ନାଥଙ୍କ ଠାରେ ଏକ ଶହରୁ ଊର୍ଦ୍ଧ୍ବ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସାଦ ରୂପେ ପରିବେଷଣ କରାଯାଇଥିଲା। ଶୁଖିଲା ଭୋଗ ସହ ରନ୍ଧା ଖାଦ୍ୟ ଓ ବିଭିନ୍ନ ପ୍ରକାରର ଫଳ ମୂଳ ଜଗନ୍ନାଥଙ୍କୁ ପ୍ରସାଦ ଲାଗି କରାଯାଇଥିଲା । କେନ୍ଦୁଝରର ପ୍ରସିଦ୍ଧ କର୍ପୁର କେଳି ସହ ଫୁଲ ବଡି, ମଞ୍ଜି ବଢ଼ି, ଭଜା ଖିଚିଡି, ଦଳା ଖେଚୁଡ଼ି, ଡାଲମା, ଖଟା, ଲଡୁ, କାକରା, ରସଗୋଲା ସହିତ ଶତାଧିକ ବ୍ୟଞ୍ଜନ ପ୍ରସାଦ ଲାଗି ହୋଇଥିଲା। ସିଦ୍ଧ ଜଗନ୍ନାଥଙ୍କ ନବ କଳେବର ପରେ ଏହି ବ୍ୟଞ୍ଜନ ଦ୍ଵାଦଶୀ ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରରେ ପହଣ୍ଡିଆ ସେବକଙ୍କ ଦ୍ୱାରା ସଂପନ୍ନ ହୋଇଆସୁଅଛି। ଏହି ଅବସରରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ।

ସମ୍ବନ୍ଧିତ ଖବର