ବ୍ୟାସ ବକ୍ତୃତାମାଳା: ‘କଳ୍ପନା ଓ କୌତୂହଳ ସୃଜନଶୀଳତାର ମୂଳ ଆଧାର’

ଯାଜପୁର/ବ୍ୟାସନଗର : ଜୀବନ ବଞ୍ଚିବା ଖାଲି ଗୁରୁତ୍ବପୂର୍ଣ୍ଣ ନୁହେଁ, ଜୀବନର ମୂଳ ଲକ୍ଷ୍ୟ ହେଉଛି ଏକ ଅର୍ଥପୂର୍ଣ୍ଣ ଜୀବନ ଜିଇବା। ସେଥିପାଇଁ ଆମେ ସବୁ କଥା, ବିଚାର ଓ ମତବାଦ ପ୍ରତି ଉନ୍ମୁଖ ଓ ଉନ୍ମୁକ୍ତ ରହିବା ଦରକାର। କଳ୍ପନା ଓ କୌତୂହଳ ହେଉଛି ସୃଜନଶୀଳତାର ମୂଳ ଆଧାର। କଳ୍ପନା ଓ କୌତୂହଳକୁ ବାଦ୍‌ ଦେଇ ସୃଜନଶୀଳତା କଥା ଚିନ୍ତା କରାଯାଇନପାରେ। ଆଜି ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ସଭାଗୃହରେ ଆୟୋଜିତ ‘ବ୍ୟାସ ବକ୍ତୃତାମାଳା’ର ଶେଷଦିବସରେ ‘ଜିଜ୍ଞାସା, କଳ୍ପନା ଓ କରୁଣା’ ଶୀର୍ଷକ ଉପରେ ବକ୍ତବ୍ୟ ରଖିଛନ୍ତି ବିଶିଷ୍ଟ କଥାକାର ତଥା ‘କଥା’ର ସଂପାଦକ ଡକ୍ଟର ଗୌରହରି ଦାସ ଏହା କହିଛନ୍ତି।

ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ, ଉଦ୍ଭଟ ପ୍ରଶ୍ନ ନପଚାରିଲେ କୌତୂହଳୀ ମନ ଶାନ୍ତ ହେବନାହିଁ। ସୃଜନଶୀଳ ମଣିଷ ଗୁଳାପକା ରାସ୍ତାରେ ଚାଲିପାରିବ ନାହିଁ। କାରଣ ନୂଆ ଚିନ୍ତା, ନୂଆ ‌କଳ୍ପନା ଓ ନୂଆ ଆବିଷ୍କାର ବିନା ମଣିଷ ସଭ୍ୟତା ସ୍ଥାଣୁ ହୋଇଯିବ। ସୃଜନଶୀଳତାର ଉଦାହରଣ ଦେବାକୁ ଯାଇ ଡକ୍ଟର ଦାସ ଓଡ଼ିଆ ଫେସନ ଡିଜାଇନର ବିଭୁ ମହାପାତ୍ରଙ୍କ କଥା ଅବତାରଣା କରିଥିଲେ। ରାଉ‌ରକେଲାରେ ପିଲାଦିନ ବିତାଇଥିବା ବିଭୁ ମହାପାତ୍ର କିପରି ତାଙ୍କ ମା’ଙ୍କଠାରୁ ସିଲେଇ ଶିଖିଥିଲେ ଏବଂ ତାଙ୍କ ପୁରୁଣା ଶାଢ଼ି କାଟି ନୂଆ ଡିଜାଇନର ପୋଷାକ ତିଆରି କରୁଥିଲେ। ସେ ଆମେରିକା ଯାଇଥିଲେ ଅର୍ଥନୀତି ପଢ଼ିବାକୁ; କିନ୍ତୁ ପାଲଟିଗଲେ ବିଖ୍ୟାତ ଡିଜାଇନର। ମା’ ହିଁ ତାଙ୍କର ସର୍ଜନଶୀଳତାକୁ ପ୍ରୋତ୍ସାହନ ଦେଇଥିଲେ। ସଫଳତାର ପରିଚୟ କେବଳ ଉପାର୍ଜନ ଯୋଗ୍ୟତା ନୁହେଁ ବୋଲି ସେ କହିଥିଲେ।

ସଭାପତି ଶ୍ରୀ ବିଶ୍ବାଳ କହିଥିଲେ ଯେ ବିଜ୍ଞାନର ମୂଳଭିତ୍ତି ପ୍ରଶ୍ନ କରିବା। ପ୍ରଶ୍ନ କରିବା ମୌଳିକ ଧର୍ମ ଏବଂ ଆମକୁ ବେଦ ଉପନିଷଦ ଏହି ଶିକ୍ଷା ଦେଇଛି। ଜିଜ୍ଞାସା ନରହିଲେ ଭଲ ଛାତ୍ରଛାତ୍ରୀ ହୋଇପାରିବା ନାହିଁ। ବର୍ତ୍ତମାନ ପ୍ରଶ୍ନ ପଚାରିବାର ଅଧିକାର ସଙ୍କୁଚିତ ହେଉଛି। ଏହା ଭୁଲ ପରମ୍ପରା ବୋଲି ସେ କହିଥିଲେ। ପ୍ରାରମ୍ଭିକ ସୂଚନା ଦେଇଥିଲେ ଅଧ୍ୟକ୍ଷ ଡକ୍ଟର କୁଶଚନ୍ଦ୍ର ପ୍ରଧାନ। ବକ୍ତୃତାମାଳାର ସଂଯୋଜକ କ୍ୟାପଟେନ୍ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଅତିଥି ପରିଚୟ ଦେଇଥିଲେ। ଶେଷରେ ଅର୍ଥନୀତି ଅଧ୍ୟାପିକା ପ୍ରମୋଦିନୀ ତରେଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର