ବିବାଦରେ ବ୍ୟାସ ସରୋବର; ଯାଜପୁର ଜିଲ୍ଲାପାଳ ଓ କଟକ ଡିଏଫଓଙ୍କୁ ଏନଜିଟି ନୋଟିସ

କଟକ: ବ୍ୟାସସରୋବର ପ୍ରକଳ୍ପରେ ବିନା ଅନୁମତିରେ ଜଙ୍ଗଲ ଜମି ବ୍ୟବହାର ଅଭିଯୋଗକୁ ନେଇ ଦାଏର ମାମଲାକୁ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନଜିଟି) ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏ ସଂପର୍କିତ ମାମଲାକୁ ବିଚାର ପାଇଁ ଏନଜିଟି ଗ୍ରହଣ କରି ଯାଜପୁର ଜିଲ୍ଲାପାଳ ଓ କଟକ ଡିଏଫଓଙ୍କୁ ନୋଟିସ୍ ଜାରି କରିବା ସହିତ ୨ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡିଏଫଓ ଓ ଜିଲ୍ଲାପାଳ ଏହି ମାମଲାରେ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିବେ ବୋଲି ଏନଜିଟି କହିବା ସହିତ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର୍ଯ୍ୟ କରିଛନ୍ତି। ଦିଲୀପ କୁମାର ସାମନ୍ତରାୟଙ୍କ ଆବେଦନର ଶୁଣାଣି କରି ଏନଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି।

କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଅନ୍ତର୍ଗତ ଅଞ୍ଚଳରେ ବ୍ୟାସନଗର ପୌରପାଳିକା ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ନିଷ୍ପତ୍ତି ହୋଇଥିଲା। ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ ପାଇଁ ଏହି ପ୍ରକଳ୍ପ କରାଯାଇଥିବା କୁହାଯାଇଥିଲା। ବ୍ୟାସନଗର ତହସିଲ ଅନ୍ତର୍ଗତ ମୁଣ୍ଡମାଳ ମୌଜାର ୧୦୫ ଏକର ୪୫ ଡେସିମିଲ ଜମିରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଛି। ଏଥିମଧ୍ୟରେ ୩୩ ଏକର ୯୭ ଡେସିମିଲ ଜଙ୍ଗଲ କିସମ ଜମି ଓ ୩୭ ଏକର ଆର୍ଦ୍ରଭୂମି ରହିଛି। ପ୍ରାୟ ୨୦ ହଜାର ବର୍ଗଫୁଟ ଅଞ୍ଚଳରେ ବିଭିନ୍ନ ନିର୍ମାଣ କରାଯାଉଥିବାରୁ ଏଥିପାଇଁ ପରିବେଶ ମଞ୍ଜୁରି ଆବଶ୍ୟକ। ଜଙ୍ଗଲ କିସମ ଜମି ବ୍ୟବହାର ହେଉଥିବାରୁ ଜଙ୍ଗଲ ଅନୁମତି ମଧ୍ୟ ଆବଶ୍ୟକ। ଏଥିସହିତ ଆର୍ଦ୍ରଭୂମି ସୁରକ୍ଷା ପାଇଁ ରହିଥିବା ୱେଟଲ୍ୟାଣ୍ଡ (କଞ୍ଜରଭେସନ ମ୍ୟାନେଜମେଣ୍ଟ) ରୁଲ୍ସର ମଧ୍ୟ ଉଲ୍ଲଂଘନ କରାଯାଇ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର