ଉପନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ : ଖୁବ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା

ଡିଜିଟାଲ ରାଲି କରିପାରନ୍ତି ବିଜେଡି ସଭାପତି

ଭୁବନେଶ୍ୱର : ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୩ ପ୍ରମୁଖ ରାଜନୈତିକ ଦଳ ଚଳଚଞ୍ଚଳ ହୋଇଛନ୍ତି। ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଠିକ୍‌ ହୋଇସାରିଥିବା କଂଗ୍ରେସ ଓ ବିଜେପି କହିଥିବାବେଳେ ବିଜେଡି କହିଛି ଦଳ ସଭାପତି ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନେବେ। କୋଭିଡ୍‌ ମହାମାରୀ ସମୟରେ ଏହି ଉପନିର୍ବାଚନ ହୋଇଥିବାରୁ ରାଲି ଓ ପଦଯାତ୍ରା, ସାଧାରଣ ସଭା ହେବନାହିଁ। କିନ୍ତୁ ବିଜେଡି ସଭାପତି ନୀବନ ପଟ୍ଟନାୟକ ଡିଜିଟାଲ ରାଲି କରିବେ ବୋଲି ଜଣାପଡ଼ିଛି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଉଭୟ ଉପନିର୍ବାଚନ ପାଇଁ କିଏ ପ୍ରାର୍ଥୀ ହେବେ ଏଆଇସିସି ପକ୍ଷରୁ ଘୋଷଣା କରାଯିବ। ତେବେ ବାଲେଶ୍ବର ଆସନ ପାଇଁ ଦଳ ଜଣେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିସାରିଛି। ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇନାହିଁ। କିନ୍ତୁ ଖୁବଶୀଘ୍ର ହୋଇଯିବ। ଆସନ୍ତା ୧୦ ତାରିଖ ପରେ ପ୍ରାର୍ଥୀ ଘୋଷଣା ହେବ। ଏଥର ଦଳ ଦକ୍ଷ ଓ ଯୁବ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବ ବୋଲି ସେ ଦାବି କରିଛନ୍ତି। ସେହିପରି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆସନ୍ତା ଦୁଇଦିନ ଭିତରେ ପ୍ରାର୍ଥୀ ଘୋଷଣା ହେବ। ବିଜୟ ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ଦଳ ବାଛିବ। ଦଳର ସଂସଦୀୟ କମିଟି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ। ବିଜେଡିର ପ୍ରାର୍ଥୀ ଚୟନକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛିଟା ଅସନ୍ତୋଷ ରହିଛି। କିନ୍ତୁ ଦଳ ସଭାପତି ପ୍ରାର୍ଥୀ ଘୋଷଣା କରିବା ପରେ ସବୁ ଠିକ୍‌ ହୋଇଯିବ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି । ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ସହ ଖୁବଶୀଘ୍ର ଦଳୀୟ ଟିମ୍‌ ଘୋଷଣା ହେବ। ଏହି ଦୁଇଟି ଯାକ ଆସନରେ ବିଜେଡି ଜିତିବ ବୋଲି ଶ୍ରୀ ଦେବ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର