ବ୍ୟୋମକେଶ ତ୍ରିପାଠୀ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର : ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି। ମଧ୍ୟପ୍ରଦେଶ ଅମରକଣ୍ଟକସ୍ଥିତ ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ଜନଜାତି ବିଶ୍ବବିଦ୍ୟାଳୟରେ ଇତିହାସ ବିଭାଗରେ କାର୍ଯ୍ୟରତ ପ୍ରଫେସର ତ୍ରିପାଠୀ ଆସନ୍ତା ଜାନୁଆରି ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ୨୭ ବର୍ଷର ଅଧ୍ୟାପନା ମଧ୍ୟରେ ସେ ୧୭ ବର୍ଷ ପ୍ରଫେସର ଭାବେ କାର୍ଯ୍ୟ କରିଥିବା ବେଳେ ସରକାର ତାଙ୍କୁ ବିଶ୍ବବିଦ୍ୟାଳୟର ଆଇନ ମୁତାବକ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି।

୧୯୬୪ ମସିହା ୧୫ ଜୁନ୍‌ରେ ଜନ୍ମ ଲାଭ କରିଥିବା ପ୍ରଫେସର ତ୍ରିପାଠୀ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ୧୯୯୪ରେ ପିଏଚ୍‌ଡି ଲାଭ କରିବା ପରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ଜନଜାତି ବିଶ୍ବବିଦ୍ୟାଳୟରେ ୩ ବର୍ଷ ୮ମାସ ବିଭାଗୀୟ ମୁଖ୍ୟ ରହିବା ସହ ୩ ବର୍ଷ ଏକାଡେମିକ ନିର୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି। ଇଟାନଗରସ୍ଥିତ ରାଜୀବ ଗାନ୍ଧି ବିଶ୍ବବିଦ୍ୟାଳୟରେ ମଧ୍ୟ ୩ ବର୍ଷ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଏତଦ୍‌ ବ୍ୟତୀତ ବୋର୍ଡ ଅଫ୍‌ ଷ୍ଟଡିଜ୍‌ର ୬ ବର୍ଷ ଅଧ୍ୟକ୍ଷ ରହିବା ସହ ୫ ବର୍ଷ ଡିନ୍‌ ଭାବ‌େ ଦାୟିତ୍ବ ନିର୍ବାହ କରିଛନ୍ତି। ଏକାଡେମିକ୍‌ ପରିଷଦରେ ୧୨ ବର୍ଷ ଓ କାର୍ଯ୍ୟନିର୍ବାହୀ ପରିଷଦରେ ୩ ବର୍ଷ ସଦସ୍ୟ ରହିସାରିଛନ୍ତି। ଇତିହାସ ଓ ପ୍ରତ୍ନତତ୍ତ୍ବ ପାଠ୍ୟକ୍ରମ ପ୍ରସ୍ତୁତିରେ ମଧ୍ୟ ସେ ରିସୋର୍ସ ପର୍ସନ ଭାବେ କାର୍ଯ୍ୟ କରିଛନ୍ତି। ୫ଟି ବହି ରଚନା ସମେତ ୧୩ଟି ବହିର ସମ୍ପାଦନା କରିଛନ୍ତି। ତାଙ୍କର ୬ଟି ଗବେଷଣାତ୍ମକ ପ୍ରକଳ୍ପ ମଧ୍ୟ ରହିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ସେ‌ପ୍ଟେମ୍ବର ୧୧ରେ ପ୍ରଫେସର କମଳକାନ୍ତ ମିଶ୍ରଙ୍କର କୁଳପତି ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଭାରପ୍ରାପ୍ତ କୁଳପତି ଦାୟିତ୍ବ ତୁଲାଉଛନ୍ତି।

ସମ୍ବନ୍ଧିତ ଖବର