ବାଇପାପ୍‌ ମେସିନ୍‌ କିଣାରେ ବି ଦୁର୍ନୀତି: କଂଗ୍ରେସ

ବିଜେଡିକୁ ବିତର୍କ ପାଇଁ ଆହ୍ବାନ

ଭୁବନେଶ୍ବର : ମାସ୍କ କିଣା ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଥିବା କଂଗ୍ରେସ ଆଜି ପୁଣି ଆଉ ଗୋଟିଏ ସାଂଘାତିକ ଅଭିଯୋଗ ଆଣିଛି। ଓଡ଼ିଶା ରାଜ୍ୟ ଔଷଧ ନିଗମ ଦ୍ବାରା କରୋନା ରୋଗୀଙ୍କ ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ବାଇପାପ୍‌ ମେସିନ୍‌ କିଣାରେ ଦୁର୍ନୀତି ହୋଇଥିବା ନେଇ ଦଳ ଅଭିଯୋଗ କରିଛି।

ଏହାସହିତ ସରକାରଙ୍କୁ ପଚରାଯାଇଥିବା ପ୍ରଶ୍ନ ପାଇଁ ବିଜୁ ଜନତା ଦଳ ମୁଖପାତ୍ର ଯେପରି ଉତ୍ତର ରଖିଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ମତ ରଖି କଂଗ୍ରେସ ଖୋଲା ବିତର୍କ ପାଇଁ ବିଜେଡିକୁ ଆହ୍ବାନ କରିଛି।

କଂଗ୍ରେସ ନେତା ସୁଦର୍ଶନ ଦାସ ଆଜି ଏକ ପ୍ରେସ୍‌ ବିବୃତି ଜାରି କରି ଅଭିଯୋଗ କରିଛନ୍ତି, ବାଇପାପ୍‌ ନାମକ ଏକ ମେସିନ୍ କିଣିବା ପାଇଁ ଗୋଟିଏ ସଂସ୍ଥା ୟୁନିଟ୍‌ ପିଛା ଗତ ମାର୍ଚ୍ଚ ମାସ ୨୧ ତାରିଖରେ ଔଷଧ ନିଗମକୁ ୫୮ ହଜାର ଟଙ୍କାର କୋଟେସନ୍‌ ଦେଇଥିଲା। ସେହି ସମାନ ସପ୍ଲାୟର୍‌ ପୁଣି ଥରେ ଏହି ମେସିନ୍‌ ପାଇଁ ତାର ଦୁଇଦିନ ପରେ ଅର୍ଥାତ୍ ୨୩ ତାରିଖରେ ୟୁନିଟ୍‌ ପିଛା ୭୫ ହଜାର ଟଙ୍କା କୋଟେସନ୍‌ ଦେଲେ। ଏହାପରେ ଔଷଧ ନିଗମ ପକ୍ଷରୁ ୫୦୦ଟି ବାଇପାପ୍‌ ମେସିନ୍‌ କିଣିବା ପାଇଁ ଅର୍ଡ଼ର ଦିଆଗଲା। ସମ୍ପୃକ୍ତ ସପ୍ଲାୟର୍‌ ୩୨ଟି ମେସିନ୍‌ ଦେବା ପରେ ଆଉ ଦେଇପାରିବେନି ବୋଲି ମନା କରିଦେଲେ। କେଉଁ ପରିସ୍ଥିତିରେ ସପ୍ଲାୟର୍‌ ମେସିନ୍ କିଣିବାକୁ ମନା କଲେ? ଦୁଇ ଦିନ ଅନ୍ତରରେ ଗୋଟିଏ ମେସିନ୍‌ ପାଇଁ ଭିନ୍ନ ଭିନ୍ନ କୋଟେସନ୍‌କୁ କିପରି ଗ୍ରହଣ କରାଗଲା? ଏଥିରୁ ଏହି ମେସିନ୍‌ କିଣାରେ ବ୍ୟାପକ ଅନିୟମିତତା ଗନ୍ଧ ବାହାରୁଛି। ଏହାର ଉତ୍ତର କିଏ ଦେବ? ଖୋଦ୍‌ ସ୍ବାସ୍ଥ୍ୟ ମନ୍ତ୍ରୀ ନା ବିଜେଡି ମୁଖପାତ୍ର ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ସେହିପରି ରାପିଡ୍‌ ଟେଷ୍ଟିଂ କିଟ୍‌ କିଣିବା ପାଇଁ ଅଗ୍ରିମ ବାବଦରେ ସରକାର ୧୨ କୋଟି ଟଙ୍କା ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଆଇସିଏମ୍‌ଆର୍‌ ରାପିଡ୍‌ ଟେଷ୍ଟିଂ କିଟ୍‌ର ଆବଶ୍ୟକତା ନଥିବା କହିଥିଲା। ଏବେ କିଟ୍‌ ଦେଇଥିବା କମ୍ପାନି ଅଗ୍ରିମ ଅର୍ଥ ନିଗମକୁ ଫେରସ୍ତ କରୁନାହିଁ। ଏପରିକି ୬ କୋଟି ଟଙ୍କା ଆଦୌ ଫେରାଇବାକୁ ମନା କରୁଛି। ଏତେଗୁଡ଼ିଏ ଟଙ୍କା ଆଗୁଆ କାହିଁକି ଦିଆଯାଇଥିଲା ବୋଲି ସନ୍ଦେହ ହେବା ସ୍ବାଭାବିକ। ଏସବୁ ଅଭିଯୋଗର ପ୍ରମାଣ ପତ୍ର କଂଗ୍ରେସ ପାଖରେ ମହଜୁଦ୍‌ ଅଛି। ସରକାରଙ୍କୁ ପ୍ରଶ୍ନ ପଚାରିଲେ ବିଜେଡି ଉତ୍ତର ରଖିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଏହା ବିଲକ୍ଷଣ।

ଗତକାଲି ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ର କରିଥିବା ସାମ୍ବାଦିକ ସମ୍ମିଳନୀ ଉପରେ ଟିପ୍ପଣୀ କରି ଶ୍ରୀ ଦାସ କହିଥିଲେ, ମାସ୍କ୍‌ କିଣା ଦୁର୍ନୀତିରେ କଂଗ୍ରେସ ପଚାରିଥିବା ପ୍ରଶ୍ନର ଉତ୍ତର ବିଜେଡି ମୁଖପାତ୍ର ଦେଲେନାହିଁ। ଯାହା ବି କହିଲେ, ତାହା ମିଥ୍ୟା। ଅନ୍ୟରାଜ୍ୟମାନେ ଚଢ଼ା ଦରରେ ମାସ୍କ୍‌ କିଣିବା ନେଇ ସେ ଯେଉଁ ତଥ୍ୟ ରଖିଲେ ସେସବୁ ମାସ୍କ୍‌ କେଉଁ ତାରିଖରେ କିଣା ହୋଇଛି ତାର ସମ୍ପୂର୍ଣ୍ଣ ତଥ୍ୟ ବିଜେଡି ରଖିଥିଲେ ଭଲ ହୋଇଥାନ୍ତା। ସରକାର କାହିଁକି ଭାରତ ସରକାରଙ୍କ ଇ-ମାର୍କେଟିଂ ପୋର୍ଟାଲ୍‌ ଜିଇଏମ୍‌ରୁ ଅର୍ଡ଼ର୍‌ ବାତିଲ କଲେ ତାର ଉତ୍ତର ବି ମିଳିଲାନି। ଡିମାଣ୍ଡ୍‌ ଓ ସପ୍ଲାଇ ନେଇ ବିଜେଡି ମୁଖପାତ୍ର ରଖିଥିବା ଥିଓରି ବାସ୍ତବରେ କୌଣସି ପ୍ରକାର ସତ୍ୟ ଉପରେ ଆଧାରିତ ନୁହେଁ। ଏହା ଆଦୌ ଯୁକ୍ତିଯୁକ୍ତ ବି ନୁହେଁ। କଂଗ୍ରେସ ଏହି ଦୁର୍ନୀତି ନେଇ ଅଦାଲତକୁ ଯିବ ନା ଅନ୍ୟ କୌଣସି ଫୋରମ୍‌କୁ ଯିବ ସେ ନେଇ ପିସିସି ସଭାପତି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ଦାସ କହିଥିଲେ।

ସମ୍ବନ୍ଧିତ ଖବର