ଭୁବନେଶ୍ୱର : ଜାତୀୟ ରାଜପଥ ୨୬ ଓ ୫୭କୁ ସଂଯୋଗ ପାଇଁ ପ୍ରସ୍ତାବିତ ବଲାଙ୍ଗୀର ବାଇପାସ୍ ରାସ୍ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ବହୁ ପ୍ରତୀକ୍ଷିତ ଏହି ଓଭରବ୍ରିଜ୍-ବାଇପାସ୍ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବ୍ରୁଆରି ୨୦୧୪ ମସିହାରେ ଶୁଭ ଦେଇଥିଲେ ହେଁ ଏଯାଏ କାମ ଆରମ୍ଭ ହୋଇପାରିନାହିଁ। ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇ ନଥିବାରୁ ପ୍ରକଳ୍ପ ପାଇଁ ଟେଣ୍ଡର୍ ଡକାଯାଇ ପାରୁନାହିଁ। ଏକଥା ଖୋଦ୍ ରାଜ୍ୟ ସରକାର ସ୍ବୀକାର କରିଛନ୍ତି।
/sambad/media/post_attachments/wp-content/uploads/2018/09/narasingh-mishra-300x192.jpg)
ଗତ ବିଧାନସଭା ମୌସୁମୀ ଅଧିବେଶନରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏ ସଂକ୍ରାନ୍ତରେ ଲିଖିତ ପ୍ରଶ୍ନ କରିଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭାଗୀଦାରିତାରେ ଏହି ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ବିଳମ୍ବ ପାଇଁ ଦାୟୀ କିଏ ବୋଲି ସେ ପଚାରିଥିଲେ। ଗୃହରେ ଏହାର ଉତ୍ତର ରଖି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଥିଲେ ଯେ ବିଭିନ୍ନ କାରଣ ପାଇଁ ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ଏହି ସ୍ବପ୍ନ ପୂରଣ ହୋଇପାରିନାହିଁ। ମୁଖ୍ୟତଃ ଜମି ଅଧିଗ୍ରହଣ ପ୍ରକ୍ରିୟା ଏଥିରେ ବାଧକ ସାଜିଛି। ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପାଇଁ ପ୍ରଥମେ ୪୦ କୋଟି ୪୨ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା। କିନ୍ତୁ ଜମିର ଅସାମାନ୍ୟ ମୂଲ୍ୟବୃଦ୍ଧି ଯୋଗୁଁ ପରେ ଏହା ୨୪୧.୧୭ କୋଟିକୁ ବୃଦ୍ଧି ପାଇଥିଲା। ନୂତନ ଆକଳନର ଏକ ରିପୋର୍ଟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟକୁ ଅନୁମୋଦନ ପାଇଁ ପଠାଯାଇଥିଲା। କେନ୍ଦ୍ର ସରକାର ଏଥିପାଇଁ ୧୯୦.୨୩ କୋଟି ଟଙ୍କା ମଂଜୁର କରିଛନ୍ତି। ବର୍ତ୍ତମାନ କ୍ଷତିପୂରଣ ରାଶି ଦିଆଚାଲିଛି।
ମନ୍ତ୍ରୀ ଶ୍ରୀ ମଲ୍ଲିକ ଆହୁରି କହିଛନ୍ତି ଯେ ବାଇପାସ୍ ରାସ୍ତା(ପଶ୍ଚିମ ପାର୍ଶ୍ବ) ରାଜ୍ୟ ପୂର୍ତ୍ତ ବିଭାଗ କରିବ। ପୁରୁଣା ନକ୍ସା ଅନୁଯାୟୀ, ଜମି ଅଧିଗ୍ରହଣ ହୋଇଥିଲା। କିନ୍ତୁ ଡିଜାଇନ୍ ପ୍ଲାନିଂ ଓ ଇନଭେଷ୍ଟିଗେସନ୍ ଏବଂ ସଡ଼କ ବିଭାଗ (ଡିପିଆଇ ଆଣ୍ଡ ଆର୍) ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଛି। ଡିପିଆଇ ଆଣ୍ଡ ଆର୍ର ମୁଖ୍ୟ ଯନ୍ତ୍ରୀଙ୍କ ଦ୍ବାରା ଗତବର୍ଷ ୧୧ ଅକ୍ଟୋବରରେ ଏଥିପାଇଁ ନୂଆ ନକ୍ସା ପ୍ରସ୍ତୁତ କରାଯାଇଛି ଓ ତଦନୁଯାୟୀ ପୁଣିଥରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୨୪.୫୫ କୋଟି ଟଙ୍କା ମଂଜୁର କରିଛନ୍ତି। ୯୦ ପ୍ରତିଶତ ଜମି ଅଧିଗ୍ରହଣ ହେବା ପରେ କାମ ପାଇଁ ଟେଣ୍ଡର୍ ଆହ୍ବାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
ସୂଚନାଯୋଗ୍ୟ, ବଲାଙ୍ଗୀର ସହର କଡ଼ ଦେଇ ଦୁଇ ଦୁଇଟି ଜାତୀୟ ରାଜପଥ (୨୬ ଓ ୫୭) ଯାଇଛି। କିନ୍ତୁ ଏହି ଦୁଇ ରାଜପଥକୁ ସଂଯୋଗ ପାଇଁ କୌଣସି ସ୍ବତନ୍ତ୍ର ରାସ୍ତା ନଥିବାରୁ ଗାଡ଼ିଗୁଡ଼ିକ ବଲାଙ୍ଗୀର ସହର ମଧ୍ୟ ଦେଇ ଯା’ଆସ କରନ୍ତି। ଫଳରେ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ଉତ୍କଟ ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି। ଦୀର୍ଘ ଦିନର ଏ ସମସ୍ୟା ନେଇ ବଲାଙ୍ଗୀର ସହରବାସୀ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ସ୍ବର ଉଠାଇ ଆସୁଛନ୍ତି। କିନ୍ତୁ ସରକାରୀ କଳର ଦାଓପେଞ୍ଚ ମଧ୍ୟରେ ପ୍ରକଳ୍ପଟି ଫସି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/balangir-bandh.jpg)