୫୫୦ କୋଟି ଟଙ୍କାର ଡିଲ୍ ହୋଇଛି: ମୋହନ
ପାରିତ ହେଲେ ଆଗାମୀ ଅଧିବେଶନରେ ଧାରଣା ଦେବି: ତାରା
ଭୁବନେଶ୍ବର : ଆଜି ବିଧାନସଭାରେ ବିରୋଧୀଙ୍କ କଡ଼ା ବିରୋଧ ସତ୍ତ୍ବେ ଘରୋଇ ବିଶ୍ବବିଦ୍ୟାଳୟ ସି.ଭି ରମଣ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟ, ଓଡ଼ିଶା ବିଲ୍ ୨୦୧୯ ପାରିତ ହୋଇଛି। ବିରୋଧୀଙ୍କ ଅଭିଯୋଗ ଥିଲା, ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଅତୀତରେ ଛାତ୍ରଛାତ୍ରୀଙ୍କଠାରୁ ଅହେତୁକ ଫି ଆଦାୟ କରି ବିବାଦୀୟ ହୋଇଥିଲେ। ଏଭଳି ଗୋଟିଏ ବିବାଦୀୟ କଲେଜକୁ ରାଜ୍ୟ ସରକାର ଅନୁକମ୍ପା ଦେଖାଇ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଯାଉଛନ୍ତି। ସି.ଭି ରମଣ କଲେଜକୁ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ୫୫୦ କୋଟି ଟଙ୍କାର କାରବାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ସେହିପରି ଏହି ବିଲ୍ ପାରିତ ହେଲେ ବିଧାନସଭାର ଆଗାମୀ ଅଧିବେଶନରେ ଧାରଣା ଦେବେ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ଚେତାବନୀ ଦେଇଥିଲେ।
ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ, ପ୍ରସ୍ତୁତ ବିଲ୍ ଅନୁଯାୟୀ ବିଶ୍ବବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସରକାରୀ ନିୟନ୍ତଣରୁ ମୁକ୍ତ କରାଯାଇଛି। ଅତୀତରେ ବହୁ ଏପରି ଘରୋଇ କଲେଜ ଓ ଶିକ୍ଷାନୁଷ୍ଠାନ ସରକାରୀ ନିୟନ୍ତ୍ରଣ ମୁକ୍ତର ସୁବିଧା ନେଇ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଶୋଷଣ କରିଥିବା ନଜିର ରହିଛି। ଏହାସହିତ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମରେ ଅସଂଗତି ଥିବା ନେଇ ଶ୍ରୀ ସେଠୀ ଆପତ୍ତି ଉଠାଇଥିଲେ। ଅଧିକ ଅନୁଧ୍ୟାନ ପାଇଁ ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ ସେ ଗୃହରେ ଦାବି କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଭିଯୋଗ କରି କହିଥିଲେ, ସି.ଭି ରମଣ କଲେଜ ଅତୀତରେ ଛାତ୍ରଛାତ୍ରୀଙ୍କଠାରୁ ଫି ବାବଦରେ ଅହେତୁକ ଟଙ୍କା ଆଦାୟ କରିଥିଲେ। ଏହି ପରିମାଣ ପ୍ରାୟ ୧୦୦ କୋଟି ହେବ। ଆଇନ ବିଭାଗ ମଧ୍ୟ ଏହି ବିଲକୁ ନେଇ ଆପତ୍ତି ଉଠାଇଛନ୍ତି। ଏହି ବିଶ୍ବବିଦ୍ୟାଳୟ ଗଠନ ନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ କଲା ବେଳେ ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କେତୋଟି ସ୍ପଷ୍ଟୀକରଣ ମାଗିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କଠାରୁ ତାହା ମିଳିନଥିଲା। ଏବେ ଏହାକୁ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟ କରିବା ପାଇଁ ରାଜନେତା ଓ ଅଧିକାରୀ ୫୫୦ କୋଟି ଟଙ୍କାର କାରବାର କରିଛନ୍ତି। ଏହାକୁ ତରବରିଆ ଭାବେ ପାରିତ ନ କରି ସିଲେକ୍ଟ କମିଟିକୁ ପଠାଇବାକୁ ଶ୍ରୀ ମାଝୀ ଦାବି କରିଥିଲେ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ସମ୍ପୃକ୍ତ କଲେଜ ଛାତ୍ରଛାତ୍ରୀଙ୍କଠାରୁ ୮୦ କୋଟି ଟଙ୍କା ସଂଗ୍ରହ କରିଥିଲା। ଯାହା ଉପରେ ଆପତ୍ତି ଉଠିବାରୁ ତଦନ୍ତ କମିସନ ବି ବସିଥିଲା। ତଦନ୍ତ କମିସନଙ୍କ ରିପୋର୍ଟ ବି ପ୍ରକୃତ ଦୁର୍ନୀତି ଧରିପାରିନଥିବା ଅଭିଯୋଗ ହୋଇଛି। ବିଲରେ ୧୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ତାକୁ ଅନ୍ୟନ ୧୦୦ କୋଟି ଟଙ୍କାକୁ କରିବା ଦରକାର। ସେହିଭଳି ଓଡ଼ିଶା ପିଲାଙ୍କ ପାଇଁ ନାମଲେଖାରେ ୫୦% ସଂରକ୍ଷଣ ରହିଥିବା ବେଲେ କାହିଁକି ବାହାର ରାଜ୍ୟର ପିଲାଙ୍କ ପାଇଁ ଆଉ ୫୦% ସଂରକ୍ଷଣ ରହିବ ତାହାକୁ ନେଇ ଶ୍ରୀ ବାହିନୀପତି ପ୍ରଶ୍ନ ଉଠାଇଥିଲେ। ଯଦି ଏହି ବିଲ୍ ଗୃହରେ ପାରିତ ହେବ ତା ହେଲେ ସେ ଆଗାମୀ ଅଧିବେଶନରେ ଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ। ତେବେ କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ ବିଲ୍କୁ ସମର୍ଥନ କରିଥିଲେ।
ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ, ଗତ ୪ ବର୍ଷ ଧରି ସି ଭି ରମଣ ଅନୁଷ୍ଠାନ ଦେଶର ଶ୍ରେଷ୍ଠ ୧୦୦ ତାଲିକାରେ ରହୁଛି। ୱାର୍ଲଡ୍ ସ୍କିଲ୍ରେ ଏହି ଅନୁଷ୍ଠାନ ସ୍ବର୍ଣ୍ଣ ପଦକ ପାଇଛି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହି ବିଲ୍ରେ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଛି।
ଓଡ଼ିଶା ବୃତ୍ତିଗତ ଚିକିତ୍ସା ଓ ଫିଜିଓଥେରାପି ରାଜ୍ୟ ପରିଷଦ ଅଧିନିୟମ,୨୦୧୯ ପାରିତ
ଭୁବନେଶ୍ବର : ରାଜ୍ୟରେ ବୃତ୍ତିଗତ ଚିକିତ୍ସା ଓ ଫିଜିଓଥେରାପି ପାଠ୍ୟକ୍ରମରେ ଶିକ୍ଷା ଦାନ କରୁଥିବା ଅନୁଷ୍ଠାନଗୁଡ଼ିକୁ ଆପତ୍ତି ବିହୀନ ପ୍ରମାଣପତ୍ର ବା ସ୍ବୀକୃତି ପ୍ରଦାନ କରିବା ପାଇଁ ଗଠନ ହେବ ପରିଷଦ। ଏ ନେଇ ଆଜି ବିଧାନସଭାରେ ଓଡ଼ିଶା ବୃତ୍ତିଗତ ଚିକିତ୍ସା ଓ ଫିଜିଓଥେରାପି ରାଜ୍ୟ ପରିଷଦ ଅଧିନିୟମ, ୨୦୧୯ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ବିଲ ସପକ୍ଷରେ ବିରୋଧୀ ଓ ଶାସକଦଳର ସଦସ୍ୟମାନେ ମତ ରଖିଥିଲେ। ବିଲ ଆଲୋଚନାର ଉତ୍ତର ରଖି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଥିଲେ, ଏହି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଗୁଣାତ୍ମକ ଶିକ୍ଷାଦାନ ସହିତ ସର୍ବନିମ୍ନ ମାନ ରକ୍ଷା କରିବା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନୈତିକ ପ୍ରାକ୍ଟିସକୁ ରୋକିବାକୁ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଉପଯୁକ୍ତ ଚାକିରି ପାଇବା ପାଇଁ ଏହି ବିଲ୍ ସହାୟକ ହେବ। ପରିଷଦ ଗଠନ ହେଲେ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଫିଜିଓଥେରାପି ଚିକିତ୍ସାରେ ଶୃଙ୍ଖଳିତ ତାଲିମ ଓ ଗବେଷଣା କାର୍ଯ୍ୟକୁ ସୁନିଶ୍ଚିତ କରାଯାଇପାରିବ ବୋଲି ଶ୍ରୀ ଦାସ କହିଥିଲେ।