ଏଚ୍‌ଏଫ୍‌ଏମ୍‌ଡିର ୧୩ ନମୁନାରେ ସିଏ-୧୬: ପୁନେସ୍ଥିତ ଏନ୍‌ଆଇଭିରୁ ଆସିଲା ରିପୋର୍ଟ

ଭୁବନେଶ୍ବର : ରାଜ୍ୟରେ ପିଲାମାନଙ୍କଠାରେ ହ୍ୟାଣ୍ଡ, ଫୁଟ୍ ଓ ମାଉଥ୍ ଡିଜିଜ୍ ବା ଏଚ୍‌ଏଫ୍‌ଏମ୍‌ଡି ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ନମୁନା ସେରୋ ଟାଇପିଂ ପାଇଁ ନମୁନା ପୁନେସ୍ଥିତ ଏନ୍‌ଆଇଭିକୁ ପଠାଯାଇଥିଲା। ଆରଏମ୍‌ଆରସିକୁ ଏହାର ରିପୋର୍ଟ ଆସିଛି। ୧୭ଟି ନମୁନା ମଧ୍ୟରୁ ୧୩ଟିରେ କକ୍‌ସାକି ଏ-୧୬(ସିଏ-୧୬) ଚିହ୍ନଟ ହୋଇଛି। ରାଜ୍ୟରେ ଏଚ୍‌ଏଫ୍‌ଏମ୍‌ଡି ରୋଗ ବ୍ୟାପିବା ପଛରେ ସିଏ-୧୬ ରହିଥିବା ନମୁନା ପରୀକ୍ଷଣରୁ ସ୍ପଷ୍ଟ ହୋଇଛି। ଏଚ୍‌ଏଫ୍‌ଏମ୍‌ଡି ସହିତ କକ୍‌ସାକି ଏ-୧୬ ସାଧାରଣଭାବେ ଜଡ଼ିତ ରହିଥାଏ। ଏଥିରେ ଆକ୍ରାନ୍ତ ହେଉଥିବା ଶିଶୁଙ୍କଠାରେ ମଧ୍ୟମ ଧରଣର ‌ଲକ୍ଷଣ ଦେଖିବାକୁ ମିଳିଥାଏ। ଜ୍ବର ସହିତ ପାଟିରେ ଯନ୍ତ୍ରଣା, କୁଣ୍ଡେଇହେବା ଓ ହାତଗୋଡ଼ରେ ଫୋଟକା ହୋଇଥାଏ। ତେବେ ଏଣ୍ଟରୋଭାଇରସ ୭୧(ଇଭି-୭୧) ଘାତକ ହୋଇଥିବା ବେଳେ ଅନେକାଂଶରେ ମୃତ୍ୟୁ ମଧ୍ୟ ଆଣିଥାଏ। ମାତ୍ର ରାଜ୍ୟରେ ବର୍ତମାନସୁଦ୍ଧା ଏଚ୍‌ଏଫ୍‌ଏମ୍‌ଡିର ଇଭି-୭୧ ଚିହ୍ନଟ ହୋଇନାହିଁ।

କିଛି ରାଜ୍ୟରେ ଶିଶୁଙ୍କଠାରେ ନାଲି ଫୋଟକା ଦେଖାଦେବା ପରେ ଏହାକୁ ସାଧାରଣଭାବେ ଟମ‌ାଟୋ ଫ୍ଲୁ ବୋଲି କହିବାକୁ ଆରମ୍ଭ କରିଥିଲେ। ଏହି ସମୟରେ ରାଜ୍ୟରେ ମଧ୍ୟ କିଛି ସରକାରୀ ହସ୍ପିଟାଲକୁ ଏହି ସନ୍ଦିଗ୍ଧ ଚିକିତ୍ସା ପାଇଁ ଆସୁଥିବା ସୂଚନା ମିଳିବା ପରେ ରାଜ୍ୟ ସରକାର ଆଗୁଆ ସତର୍କ ହୋଇ ଉଠିଥିଲେ। ହସ୍ପିଟାଲକୁ ଆସୁଥିବା ଏହି ସନ୍ଦିଗ୍ଧମାନଙ୍କ ନମୁନାର ଆରଏମ୍‌ଆରସିକୁ ପଠାଇବାକୁ ନିର୍ଦେଶ ଦେଇଥିଲେ। ଫଳରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୪ଜଣ ଶିଶୁ ଏଚ୍‌ଏଫ୍‌ଏମ୍‌ଡିରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲେ। ପରବର୍ତୀ ସମୟରେ ଆଉ ୨ଟି ପର୍ଯ୍ୟାୟକୁ ମିଶାଇ ମୋଟ ୪୦ଜଣ ଶିଶୁ ଏଥିରେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର