ସୁନ୍ଦରଗଡ଼ରେ ସିଏଏ ତାତି: ମୁଢ଼ିରୁ ମହାଭାରତ, ଗୋଷ୍ଠୀ ସଂଘର୍ଷରେ ୩ ଆହତ

ଉତ୍ତେଜନା, ପୁଲିସକୁ ଟେକାମାଡ଼ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଶାନ୍ତି କମିଟି ବୈଠକ

ସୁନ୍ଦରଗଡ଼: ସିଏଏକୁ ନେଇ ସୁନ୍ଦରଗଡ଼ରେ ସୃଷ୍ଟି ହୋଇଥିବା ବିବାଦ ଆଜି ପୁଣି ନୂଆ ରୂପରେ ପଦାକୁ ଆସିଛି। ମୁଢ଼ି କିଣାରୁ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ସୃଷ୍ଟି ହୋଇଛି ମହାଭାରତ। ଦୁଇ ଗୋଷ୍ଠୀ ହୋଇଥିଲେ ମୁହାଁମୁହିଁ। ମାଡ଼ପିଟ ଓ ଇଟା ପଥର ମାଡ଼ରେ ସେ ଅଞ୍ଚଳ ବହୁ ସମୟ ଧରି ଅଶାନ୍ତ ହୋଇପଡ଼ିଥିଲା। ଇଟା ମାଡ଼ରେ ଗାନ୍ଧୀନଗରର ୩ ଜଣ ବ୍ୟକ୍ତି ଆହତ ହେବା ପରେ ସ୍ଥିତି ଜଟିଳ ହୋଇପଡ଼ିଥିଲା। ଉଭୟ ପକ୍ଷରୁ ଲୋକେ ତାତି ଉଠିଥିଲେ। ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀ ଓ ଓଏସ୍‌ଏଏଫ୍‌ ସହ ବ୍ୟାପକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷର ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ମଧ୍ୟ ଟେକାମାଡ଼ କରିଥିଲେ। ଫଳରେ ଦୁଇ ପୁଲିସ ଅଧିକାରୀଙ୍କ ସମେତ ୩ କର୍ମଚାରୀଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଥିଲା।

ଖବର ପାଇ ଆରକ୍ଷୀ ଅଧିକ୍ଷକ ସୌମ୍ୟ‌ା ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ପୁଲିସ ଗାଡ଼ିରେ ଡାକ୍ତରଖାନା ନିଆଯାଇଥିଲା। ସନ୍ଧ୍ୟାରେ ଦୁଇ ପଡ଼ାରେ ୧୫ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିବା ବେଳେ ଏସ୍‌ପିଙ୍କ ନେତୃତ୍ବରେ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି। ଅଭିଯୋଗ ଅନୁସାରେ, ଆଜି ସକାଳୁ ଗାନ୍ଧୀନଗରର ଗୋଲୁ ନାମକ ଜଣେ ପିଲା ପଡ଼ାରେ ଥିବା ଗୋଟିଏ ଦୋକାନକୁ ମୁଢ଼ି କିଣିବାକୁ ଯାଇଥିଲେ। ଦୋକାନୀ ଗୁଟଖା ଜରିରେ ମୁଢ଼ି ଦେଇଥିଲା। ଗୁଲୁ ମୁଢ଼ି ନେଇ ଘରକୁ ଯିବା ପରେ ଘର ଲୋକେ ଗୁଟଖା ଜରି ଦେଖି ଦୋକାନକୁ ଆସି ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଦୋକାନୀ ନିଜ ପଡ଼ାକୁ ଯାଇ ଘଟଣା ସମ୍ପର୍କରେ ଜଣାଇବା ପରେ ପଡ଼ା ଲୋକେ ଉତ୍ତ୍ୟକ୍ତ ହୋଇ ମାଡ଼ି ଆସିଥିବା କୁହାଯାଉଛି। ଏହା ପରେ ଗଣ୍ଡଗୋଳ, ମାରପିଟ, ଇଟାପଥର ମାଡ଼ ହୋଇଥିଲା।

ତେବେ ମୁଢ଼ି କେବଳ ଏକ ବାହାନା, ପ୍ରକୃତରେ ଏହା ପଛରେ ଗତକାଲି ନାଗରିକତା ସଂଶୋଧନ ଆଇନ ବିରୋଧରେ କଂଗ୍ରେସର ଶୋଭାଯାତ୍ରାକୁ ନେଇ ଆଇନ ସପକ୍ଷବାଦୀଙ୍କ ଗଣ୍ଡଗୋଳର ସଂଯୋଗ ରହିଥିବା ବିଭିନ୍ନ ମହଲରେ ପ୍ରକାଶ ପାଇଛି। ଗତକାଲି କଂଗ୍ରେସ ଶୋଭାଯାତ୍ରା ସମୟରେ କିଛି ସିଏଏ ସପକ୍ଷବାଦୀ ଯୁବକ ଅଚାନକ ବିଭିନ୍ନ ସ୍ଳୋଗାନ ଦେଇ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଥିଲେ। କଂଗ୍ରେସ କର୍ମୀମାନେ ପ୍ରତି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। କିନ୍ତୁ ପୁଲିସ ଉଭୟ ପକ୍ଷର ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିବାରୁ ଉତ୍ତେଜନା ଥମିଥିଲା। କିନ୍ତୁ ରାତିରେ ରିଜେଣ୍ଟ ମାର୍କେଟ ପଡ଼ାର ଜଣେ ବିଧବାଙ୍କ ଘରେ ସିଏଏ ସପକ୍ଷବାଦୀ ଯୁବକ ପଥର ମାଡ଼ କରିଥିଲେ। ବିଧବାଙ୍କ ପୁଅ କଂଗ୍ରେସ ଶୋଭାଯାତ୍ରାରେ ଯୋଗ ଦେଇ ସପକ୍ଷବାଦୀଙ୍କୁ କଟାକ୍ଷ କରିଥିବା ଅଭିଯୋଗ ହୋଇଥିଲା। ରାତିରେ ଏସ୍‌ପି ଶ୍ରୀମତୀ ମିଶ୍ର ଘଟଣାସ୍ଥଳକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇଥିଲେ। ଏହା ସହ ରାତିରେ ପୁଲିସ ମୁତୟନ କରାଯାଇଥିଲା। କିନ୍ତୁ ରାତିର ତାତି ସକାଳୁ ବାହାରି ପଡ଼ିଲା ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏସ୍‌ପି ଏହାକୁ ଅସ୍ବୀକାର କରିଛନ୍ତି। ଆଜିର ଘଟଣା ସହ କଂଗ୍ରେସ ଶୋଭାଯାତ୍ରା ଗଣ୍ଡଗୋଳର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ସନ୍ଧ୍ୟାରେ ଏସ୍‌ପିଙ୍କ ଉପସ୍ଥିତିରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି ଏବଂ ପୁଲିସ ଉଭୟ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର