ଲଗାଣ ବର୍ଷା ପରେ ଝାଉଁଳିଲାଣି କୋବିଗଛ, ଚିନ୍ତାରେ ଚାଷୀ

ରସୁଲପୁର : ଲଗାଣ ବର୍ଷା ପରିବା ଚାଷର ବହୁ କ୍ଷତି କରିଛି। ୩ ଦିନ ବର୍ଷା ପରେ ଏବେ ଖରା ପାଗ ହେବାରୁ କୋବି ଗଛ ଝାଉଁଳି ପଡ଼ିଛି। ମୂଳଶଢ଼ା ରୋଗରେ ଆକ୍ରାନ୍ତ ହୋଇଯାଇଛି। ଚାଷୀମାନେ ଯଥାସମ୍ଭବ ଉପଚାର ବ୍ୟବସ୍ଥା କରୁଛନ୍ତି। ଗଛ ମରିଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବହୁ କୋବିଚାଷୀ ମତ ଦିଅନ୍ତି। ଏହି ବ୍ଲକ୍‌ର ବଡ଼କଇଁଚି ପଞ୍ଚାୟତ ଗୋପୀନାଥପୁରର ଜଣେ କୋବିଚାଷୀ ସଦାନନ୍ଦ ମଲିକ ୧ ଏକର ଜମିରେ କୋବି ଚାଷ କରିଛନ୍ତି। ସେ ଲଗାଇଥିବା ଫୁଲ କୋବି ଓ ବନ୍ଧାକୋବି ଗଛ ବର୍ଷା ପରେ ଖରା ହେବାରୁ ଝାଉଁଳି ପଡ଼ିଛି। ବନ୍ଧାକୋବି ବେଶି ଝାଉଁଳି ପଡ଼ିଛି। ସଦାନନ୍ଦ ମୂଳଶଢ଼ା ରୋଗ ପାଇଁ ରାସାୟନିକ ଔଷଧ ସିଞ୍ଚ‌ନ କରୁଛନ୍ତି। ତଥାପି ଗଛଗୁଡ଼ିକ ବ‌ଞ୍ଚିବା ଆଶା କମ୍ ବୋଲି ସଦାନନ୍ଦ କୁହନ୍ତି। ଯଦି ଦୁଇତିନିଦିନ ପର୍ଯ୍ୟନ୍ତ ଗଛଗୁଡ଼ିକ ବଞ୍ଚିଗଲା ତାହେଲେ ତା’ର ଅଧିକ ଉପଚାର କରାଯିବ। ଯଦି ମରିଗଲା ତାହେଲେ ମୂଳ ବୁଡ଼ିବ।

ଗରୁଆଳ, ଗୋପୀନାଥପୁର, ନାଉପାଳ, ବଡ଼କଇଁଚି ଗ୍ରାମର ଶହଶହ ଚାଷୀ କୋବିଫସଲ କରିଛନ୍ତି। ବାତ୍ୟା ଜୱାଦ ପ୍ରଭାବରେ ହୋଇଥିବା ବର୍ଷା କୋବି ଫସଲର ଖୁବ୍ କ୍ଷତି କରିବ ବୋଲି ଚାଷୀମାନେ କହିଛନ୍ତି। ଏପର୍ଯ୍ୟନ୍ତ ପାଗ ସୁଧୁରି ନାହିଁ। ଯଦି ପୁଣି ବର୍ଷା ହେଲା ତାହେଲେ ସବୁ କୋବି ପଚିଯିବ। ତେବେ ପରିବା ଚାଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନଥିବାରୁ କ୍ଷତି ହେଲେ ଚାଷୀମାନଙ୍କୁ କୌଣସି କ୍ଷତିପୂରଣ ବ୍ୟବସ୍ଥା ନାହିଁ। ଏହି ଅଞ୍ଚଳରେ କୋବିଚାଷ ଖୁବ୍ ପ୍ରସିଦ୍ଧ। ବର୍ଷରେ ଚାଷୀମାନେ ୩ ଥର କୋବି ବାହାର କରି ବିକ୍ରି କରିଥାନ୍ତି। ଅନିୟମିତ ପାଣିପାଗ ଦ୍ବାରା ବାରମ୍ବାର କ୍ଷତି ହୋଇ ଚାଷୀମାନଙ୍କ ମନବଳ ଭାଙ୍ଗି ଦେଉଛି। ପରିବା ଚାଷକୁ ବୀମାଭୁକ୍ତ କରାଗଲେ ବହୁ ଚାଷୀ ଉପକୃତ ହୋଇପାରିବେ ବୋଲି ଚାଷୀମାନେ ମତ ଦିଅନ୍ତି।

ସମ୍ବନ୍ଧିତ ଖବର