କ୍ୟାବିନେଟ୍‌ ନିଷ୍ପତ୍ତି : ସରକାରୀ କାର୍ଯ୍ୟରେ ଓଡ଼ିଅା ବ୍ୟବହାର ନ କଲେ ଦଣ୍ଡବିଧାନ, ଭାଷା ଆଇନରେ ଅଣାଯିବ ସଂଶୋଧନ

ସଂସ୍କୃତି ବିଭାଗର ନାମ ହେବ ହେବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ପୁରୀ: ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ସହିତ ସରକାରୀ କାର୍ଯ୍ୟ ଓ ପ୍ରଶାସନରେ ଓଡ଼ିଆ ଭାଷାର ବ୍ୟବହାର ଉପରେ ଆଜି ରାଜ୍ୟ କ୍ୟାବେନେଟ୍‌ ମୋହର ମାରିଛି। ପୁରୀ ସର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଦୁଇଟି ବିଭାଗରେ ଭାଗ କରାଯାଇ ସଂସ୍କୃତି ବିଭାଗକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନାମରେ ନାମିତ କରିବା ପାଇଁ ଆଜିର କ୍ୟ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟ୍‌ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ବିବିଧତାରେ ପୂର୍ଣ୍ଣ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ଭାଷା ଓ ସାହିତ୍ୟର ସଂରକ୍ଷଣ ତଥା ପରିବର୍ତ୍ତନ ନିଶ୍ଚିତ କରିବା ପାଇଁ ଐତିହ୍ୟ କ୍ୟାବିନେଟ୍‌ ଗଠନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।


ଏତଦ୍‌ବ୍ୟତୀତ ସରକାରୀ ଭାଷା ଆଇନ୍‌ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ଓ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ। ଜିଲ୍ଲା, ରାଜସ୍ୱ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ୨୦୧୮ ଏପ୍ରିଲ ପହିଲା ଠାରୁ କାର୍ଯ୍ୟକାରୀ କରାଯିବ।

ସେହିପରି ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖା ଯିବାକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୭ରେ ଆବଶ୍ୟକ ସଂଶୋଧନ ଅଣାଯିବ। ଏହାର ଖିଲାପକାରୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା କରାଯିବ।

ସେହିପରି ପ୍ରତି ୫ ବର୍ଷରେ ଥରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ହୋଇଛି। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ କୌଣସି ପାଉଣା ଆଉ ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି ନିଷ୍ପତ୍ତିି ହୋଇଛି।

ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଠନ କରିବାକୁ କ୍ୟାବିନେଟ୍‌ ମୋହର ମାରିଛି। ରାଜ୍ୟ ଭିତରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓଡ଼ିଆ ଭାଷାରେ ପରିଚାଳନା କରିବା ପାଇଁ ନିଷ୍ପତ୍ତିି ହୋଇଛିି। ସେହିପରି ସରକାର ପୂର୍ବରୁ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ଦେଉଥିବା ଅନୁଦାନ ପରିମାଣକୁ ଦୁଇଗୁଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର