ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ତିନିଟି ନୂଆ ନିର୍ଦ୍ଦେଶାଳୟର ବିଧିବଦ୍ଧ ଗଠନକୁ ଆଜି କ୍ୟାବିନେଟ୍ ସ୍ବୀକୃତି ମିଳିଛି। ଏଣିକି ସଂଗ୍ରହାଳୟ, ଗ୍ରନ୍ଥାଗାର ଓ ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ କାର୍ଯ୍ୟକ୍ଷମ ହେବ। ୨୦୧୮ ମସିହା ଓ ୨୦୨୦ ମସିହାରେ ହୋଇଥିବା ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ତିନି ନିର୍ଦ୍ଦେଶାଳୟ ଗଠନ ସମ୍ପର୍କରେ ଘୋଷଣା ହୋଇଥିଲା। କିନ୍ତୁ ବିଧିବଦ୍ଧ ପ୍ରକ୍ରିୟା ଆଗେଇ ନଥିଲା କି ନିର୍ଦ୍ଦେଶାଳୟ ଅସ୍ତିତ୍ବ ନଥିଲା। କେବଳ ନାମକୁ ମାତ୍ର ସଂଗ୍ରହାଳୟ ଓ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ସଂସ୍କୃତିକ ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଛି, ୨୭.୦୭.୨୦୧୮ରେ ପ୍ରଥମ ଐତିହ୍ୟ କ୍ୟାବିନେଟ୍ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ‘ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ’ ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହା ଦ୍ବାରା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ସମେତ ସବୁ ଜିଲ୍ଲା ଗ୍ରନ୍ଥାଗାର ଓ ବ୍ଲକ୍ ସ୍ତରୀୟ ଗ୍ରାମୀଣ ଗ୍ରନ୍ଥାଗାରଗୁଡ଼ିକର ସମନ୍ବୟ ଓ ସୁପରିଚାଳନା ହୋଇପାରିବ। ସେହିପରି ୨.୦୯.୨୦୨୩ରେ ଦ୍ବିତୀୟ ଐତିହ୍ୟ କ୍ୟାବିନେଟ୍ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ‘ସ୍ବତନ୍ତ୍ର ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ’ ଓ ‘ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ’ ଗଠନ ପ୍ରସ୍ତାବ ଆଜି କ୍ୟାବିନେଟ୍ରେ ପାରିତ ହୋଇଛି। ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ମାଧ୍ୟମରେ ଓଡ଼ିଶାର କୋଣ ଅନୁକୋଣରୁ ଆବିଷ୍କୃତ ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ସହଜରେ ହୋଇପାରିବ। ସେହିପରି ଓଡ଼ିଶାର ବିଭିନ୍ନ ସମୟରେ ଆବିଷ୍କୃତ ସମୃଦ୍ଧ ଐତିହାସିକ, ସାଂସ୍କୃତିକ, କଳା କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ଏବଂ ଏହା ଉପରେ ଗବେଷଣା ଓ ପ୍ରଚାର ନିମିତ୍ତ ସଂଗ୍ରହାଳୟ ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ତିନିଟି ଯାକ ନିର୍ଦ୍ଦେଶାଳୟ ପାଇଁ ତିନିଟି ନୂଆ କ୍ୟାଡର୍ ସୃଷ୍ଟି କରାଯିବା ସହ ବିଭିନ୍ନ ପଦପଦବିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହି କ୍ୟାଡର୍ଗୁଡ଼ିକ ହେଲା ‘ଗ୍ରନ୍ଥାଗାରିକ ସେବା’, ‘ପ୍ରତ୍ବତାତ୍ତ୍ବିକ ସଂଗ୍ରାହକ’ ଓ ‘ସଂଗ୍ରହାଳୟ ସେବା’। ପ୍ରତ୍ନତାତ୍ତ୍ବିକ ସଂଗ୍ରହାଳୟ ପାଇଁ ସ୍ବତନ୍ତ୍ର ଯାନ୍ତ୍ରିକ ଶାଖା ସୃଷ୍ଟି କରାଯାଇଛି।
ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ସରକାରଙ୍କୁ ସୁପାରିସ୍ ନିମନ୍ତେ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋ୍ଦନ ମିଳିଛି। ଏହା ଦ୍ବାରା ମୁଣ୍ଡା ଓ ମୁଣ୍ଡାରୀ ଜନଜାତିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଏହା ମୁଣ୍ଡାରୀ ଭାଷା ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର ଓ ପ୍ରସାରରେ ସହାୟକ ହେବା ସହ ମୁଣ୍ଡାରୀ ଭାଷାରେ ଲିଖିତ ସାହିତ୍ୟ ସୃଷ୍ଟି ବ୍ୟାପକ ହେବ। ମୁଣ୍ଡାରୀ ଭାଷାର ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ। ଏହା ଦ୍ବାରା ୬ ଲକ୍ଷରୁ ଅଧିକ ମୁଣ୍ଡାରୀ ଭାଷାଭାଷୀ ଜନଜାତି ଲୋକ ଉପକୃତ ହେବେ।