ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୪ରୁ ୭ ତାରିଖ ପର୍ଯ୍ୟନ୍ତ ଷୋଡ଼ଶ ଅର୍ଥ କମିସନ୍‌ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅର୍ଥ କମିସନ୍‌ର ସୁପାରିସ ୨୦୨୬-୨୦୩୧ ପର୍ଯ୍ୟନ୍ତ ଲାଗୁ ହେବ। ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ୧୨ଲକ୍ଷ ୫୬ହଜାର ୧୪୮କୋଟି ଟଙ୍କାର ବିଭିନ୍ନ ପ୍ରସ୍ତାବ ସମ୍ବଳିତ ଏକ ଦାବିପତ୍ର କମିସନଙ୍କୁ ପ୍ରଦାନ କରିବେ। ଆଜି ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ଦାବିପତ୍ରରେ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ, ରାଜ୍ୟର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ହୋଇଥିବା ଯୋଜନା ଏବଂ ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ବିଭିନ୍ନ ପ୍ରସ୍ତାବ ରହିଛି। ଏହି ପଞ୍ଚବାର୍ଷିକ ଯୋଜନାରେ ଆମ ରାଜ୍ୟର ଯେପରି ବିକାଶ ହେବ ତାହାକୁ ନଜରରେ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ୯ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ପୂର୍ବ ସରକାରରେ ୫ଟି ନାମରେ ହାଇସ୍କୁଲ ରୂପାନ୍ତରଣ କରାଯାଇଥିଲା, ସ୍ମାର୍ଟ ସ୍କୁଲ ହୋଇଥିଲା। ହେଲେ ଏଥିରେ ପୂର୍ବ ସରକାର ସ୍କୁଲରେ ଆବଶ୍ୟକ ଶିକ୍ଷକ ପଦବି ପୂରଣ ନ କରି, ଆବଶ୍ୟକୀୟ ଭିତ୍ତିଭୂମି ନ ସଜାଡ଼ି କେବଳ ଭଙ୍ଗା କାନ୍ଥରେ ରଙ୍ଗ ବୋଳିଥିଲେ। ଯେଉଁ ସ୍ମାର୍ଟ ସ୍କୁଲ ହେଲା ସେଠାକୁ ପଢ଼ିବାକୁ ଆସିବା ପାଇଁ ଫିଡର୍ ସ୍କୁଲ୍‌ର ଆବଶ୍ୟକତା ଅଛି। ତେଣୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ରାଜ୍ୟର ୬୭୯୪ଟି ପଞ୍ଚାୟତରେ ୬୭୯୪ଟି ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ଉନ୍ନତ ଓ ସୁଦୃଢ଼ କରାଯିବ। ୫ବର୍ଷରେ ଅର୍ଥାତ୍ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୧୧,୯୩୯.୪୧କୋଟି ଟଙ୍କା ଖର୍ଚ୍ଚ ହେବ। ବିଦ୍ୟାଳୟ ପିଛା ୧କୋଟିରୁ ୪କୋଟି ଟଙ୍କା ଖର୍ଚ୍ଚ ହେବ। ସ୍କୁଲ ପିଛା କେତେ ଅର୍ଥ ଖର୍ଚ୍ଚ ହେବ ତାହା ଡିପିଆର୍ ପ୍ରସ୍ତୁତ ହେଲେ ଜଣାପଡ଼ିବ। ଏଥିପାଇଁ ପରେ ଅଧିକ ଅର୍ଥ ଆବଶ୍ୟକ ପଡ଼ିଲେ ଅନୁମୋଦନ ହେବ। ଚଳିତ ଆର୍ଥିକ ବର୍ଷରେ ୧୧୪ଟି ସ୍କୁଲକୁ ଆଦର୍ଶ ସ୍କୁଲରେ ପରିଣତ କରାଯିବ।

ଫେବ୍ରୁଆରିରେ ଓଡ଼ିଶା ଆସୁଛନ୍ତି ଷୋଡ଼ଶ ଅର୍ଥ କମିସନ୍
୫ ବର୍ଷରେ ୬୭୯୪ଟି ପ୍ରାଥମିକ ସ୍କୁଲ ହେବ ଆଦର୍ଶ ସ୍କୁଲ
ବିକଶିତ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହେବ ୫ହଜାର କୋଟି

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ବିକଶିତ ଗାଁ ଓ ବିକଶିତ ଓଡ଼ିଶା’ ଯୋଜନା ୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ଏହା ବଢ଼ିବ କି ନାହିଁ ସରକାର ନିଷ୍ପତ୍ତି ନେବେ। ଏହି ଯୋଜନା ପାଇଁ ୫ବର୍ଷରେ ୫ହଜାର କୋଟି ଖର୍ଚ୍ଚ ହେବ। ୨୦୨୪-୨୫ ଆର୍ଥିକ ବର୍ଷରେ ହଜାରେ କୋଟି ଖର୍ଚ୍ଚ ହେବ। ଏହି ଯୋଜନାରେ ଗ୍ରାମାଞ୍ଚଳର ବିକାଶ କରାଯିବ। ଅପହଞ୍ଚ ଗାଁକୁ ରାସ୍ତା ନିର୍ମାଣ, ସର୍ବସାଧାରଣଙ୍କ ସୁବିଧା ପାଇଁ ଆବଶ୍ୟକୀୟ ସମ୍ପଦ ସୃଷ୍ଟି, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ ଆଦି କରାଯିବ। ଏହାସହ ଉଭୟ ଗ୍ରାମ ମଧ୍ୟସ୍ଥ ସଡ଼କ ଏବଂ ଗ୍ରାମଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାର ବିକାଶ କରାଯିବ। ଆବଶ୍ୟକତା ଭିତ୍ତିରେ ୫ବର୍ଷର ସମ୍ଭାବ୍ୟ ପ୍ରକଳ୍ପ ତାଲିକା ଏବଂ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ଗ୍ରାମସଭା ଦ୍ବାରା ପ୍ରସ୍ତୁତ ହେବ ଏବଂ ଗ୍ରାମପଞ୍ଚାୟତ ଦ୍ବାରା ବ୍ଲକ୍‌କୁ ସୁପାରିସ କରାଯିବ। ଏହାସହ ଗ୍ରହଣୀୟତା ଏବଂ ଆର୍ଥିକ ସୀମା ଆଧାରରେ ବ୍ଲକ୍‌ସ୍ତରରେ ବୈଷୟିକ କମିଟି ଦ୍ବାରା ପ୍ରକଳ୍ପ ତାଲିକା ଯାଞ୍ଚ କରାଯିବ। ପ୍ରକଳ୍ପର ତାଲିକା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ବାରା ଅନୁମୋଦିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଦୁଇଟି ଯୋଜନା ପାଇଁ ରାଜ୍ୟ ସରକାର ଚଳିତ ବଜେଟ୍‌ରେ ୭ମାସ ତଳେ ଅର୍ଥ ବରାଦ କରିଥିବାବେଳେ ଏବେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍‌ରେ କେବଳ ୫ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଆଜିର କ୍ୟାବିନେଟ୍ ବୈଠକରେ ଓଡ଼ିଶା ରାଜ୍ୟ ବିଧି ଆୟୋଗ ସମ୍ପର୍କିତ ୨୦୧୬ ମସିହାର ସଂକଳ୍ପକୁ ସଂଶୋଧନ କରାଯାଇଛି। ଏଥିପାଇଁ ଅଭିଜ୍ଞ ସଦସ୍ୟ ଚୟନରେ ବୟସ ବାଧକ ସାଜୁଥିବାରୁ ଏହି ସଂଶୋଧନରେ ବୟସ ପ୍ରତିବନ୍ଧକକୁ ଉଠାଇ ଦିଆଯାଇଛି। ଏହାସହ ସପ୍ତଦଶ ଓଡ଼ିଶା ବିଧାନସଭାର ତୃତୀୟ ଅଧିବେଶନ ଆହୂତ ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଉପସ୍ଥିତ ଥିଲେ।