ଭୁବନେଶ୍ବର : ରାଜ୍ୟ ଉପକୂଳବର୍ତ୍ତୀ ୧୭ଟି ଅବବାହିକା ଓ ୩ଟି ଅଣ ଅବବାହିକା ଅଞ୍ଚଳରେ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳକୁ ପୁନରୁଦ୍ଧାର ସହ ଡ୍ରେନେଜ୍ ଚ୍ୟାନେଲ୍‌ଗୁଡ଼ିକର ନବୀକରଣ ପାଇଁ ସରକାର ଯୋଜନା କରିଛନ୍ତି। ଏହା ସହିତ କିଛି ସହରାଞ୍ଚଳର ପ୍ରାକୃତିକ ଡ୍ରେନେଜ୍ ଚ୍ୟାନେଲ୍‌ଗୁଡ଼ିକରୁ ଜଳ ନିଷ୍କାସନ ମଧ୍ୟ କରାଯିବ। ଏହି ‘ଡ୍ରେନେଜ୍ ଉନ୍ନତି କାର୍ଯ୍ୟକ୍ରମ’ ପାଇଁ ଆଗାମୀ ୫ ବର୍ଷରେ ୧୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ବାରା ୬୯୬୯ କିଲୋମିଟର ଡ୍ରେନେଜ୍ ଚ୍ୟାନେଲ୍‌ର ଖନନ/ଉନ୍ନତି/ନବୀକରଣ କରାଯାଇ ୧,୦୫,୮୬୮ ହେକ୍ଟର ଚାଷ ଜମିକୁ ଜଳବନ୍ଦୀ ମୁକ୍ତ କରାଯିବ। ଆଜି ଏହି ପ୍ରସ୍ତାବରେ କ୍ୟାବିନେଟ୍‌ ଲାଗିଛି।

Advertisment

publive-image

ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ମୋଟ୍‌ ୧୫ଟି ପ୍ରସ୍ତାବ ପାରିତ ହୋଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଡ୍ରେନେଜ୍ ଉନ୍ନତି କାର୍ଯ୍ୟକ୍ରମ ଦ୍ବାରା ସମୁଦ୍ରକୁ ନିଷ୍କାସିତ ହେଉଥିବା ଡ୍ରେନେଜ୍ ଚ୍ୟାନେଲ୍‌ ଭିତରେ ଲୁଣି ପାଣିର ପ୍ରବେଶକୁ ନିୟନ୍ତ୍ରଣ କରାଯିବ। ପ୍ରଭାବିତ ହେଉଥିବା ଅଞ୍ଚଳରୁ ଅଧିକ ପ୍ରବାହିତ ଜଳସ୍ରୋତକୁ ନିଷ୍କାସନ କରାଯିବ। ଆବଶ୍ୟକ ସମୟରେ କିଛି ଚାଷଜମିରେ ଜଳସେଚନ ପାଇଁ ମଧ୍ୟ ଉପଲବ୍ଧ ହେବ। ଏହି ନୂଆ ଯୋଜନା ବାଦ୍ ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ‘ଡ୍ରେନେଜ୍ ଉନ୍ନତି କାର୍ଯ୍ୟକ୍ରମ’ର ପାଣ୍ଠି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ୨୦୨୨-୨୩ ଯାଏ ବୃଦ୍ଧି କରାଯାଇଥିଲା। ତେବେ ‌ଆନୁଷଙ୍ଗିକ ମୂଲ୍ୟ ବୃଦ୍ଧି ଯୋଗୁ ଯୋଗୁ ଏହି କାର୍ଯ୍ୟକ୍ରମର ପାଣ୍ଠି ୮୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ତୃତୀୟ ଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନ୍‌ସନ୍‌
ମୃତ ବନ୍ଦୀଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପାଇଁ ନିୟମ ଅାସିବ
ହାଇସ୍କୁଲ୍‌ରେ ସୃଷ୍ଟି ହେବ ୬୦୨୫ ଏଲ୍‌ଟିଆର୍‌ ପଦବି
ନୂଆ ଘରୋଇ ବିଶ୍ବବିଦ୍ୟାଳୟକୁ ଜଟଣୀରେ ୪୦ ଏକର ଜମି

କ୍ୟାବିନେଟ୍‌ରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଓଡ଼ିଶା ପେନ୍‌ସନ୍ ରୁଲ୍‌-୧୯୯୨ର ସଂଶୋଧନ କରାଯାଇଛି। ଏଣିକି ତୃତୀୟ ଲିଙ୍ଗୀ ସନ୍ତାନଙ୍କୁ ପରିବାର ପେନ୍‌ସନ୍ ମିଳିବ। ୧୦.୧.୨୦୨୦ ପରେ ମୃତ୍ୟୁବରଣ କରିଥିବା ଜଣେ ସରକାରୀ କର୍ମଚାରୀ/ପେନ୍‌ସନ୍ ଭୋଗୀଙ୍କ ତୃତୀୟ ଲିଙ୍ଗୀ ସନ୍ତାନ ଅବିବାହିତ କନ୍ୟା ଭାବେ ପରିଗଣିତ ହେବେ। ଯଦି ଉକ୍ତ ବ୍ୟକ୍ତିଙ୍କର ଅନ୍ୟ କୌଣସି ବୟସରେ ବଡ଼ ଅବିବାହିତ କିମ୍ବା ଦିବ୍ୟାଙ୍ଗ କନ୍ୟା ନଥା’ନ୍ତି, ତେବେ ସେହି ତୃତୀୟ ଲିଙ୍ଗୀ ସନ୍ତାନଙ୍କୁ ପରିବାର ପେନ୍‌ସନ୍ ମିଳିବ। ସେହିପରି ପରିବାର ପେନ୍‌ସନ୍ ପାଇବା ନିମନ୍ତେ ୨୫ ବର୍ଷରୁ ଅଧିକ ଅବିବାହିତା/ବିଧବା/ସ୍ବୀମୀ ପରିତ୍ୟକ୍ତା କନ୍ୟାଙ୍କ କ୍ଷେତ୍ରରେ ମାସିକ ଆୟ ସୀମା ୪,୪୪୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

publive-image Image Courtesy of The Times of India

ଓଡ଼ିଶା ଜେଲ୍‌ଗୁଡ଼ିକରେ ବନ୍ଦୀମାନଙ୍କ ମୃତ୍ୟୁ ହେଲେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦେବା ନିମନ୍ତେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ମାନବାଧିକାର କମିସନ୍‌ଙ୍କ ସୁପାରିସ୍ ଅନୁଯାୟୀ ମୃତ ବନ୍ଦୀଙ୍କ ନିକଟ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଏ। ହାଇକୋର୍ଟ ଓ ଜାତୀୟ ମାନବାଧିକାର କମିସନ୍‌ ଏଥି ପାଇଁ ଏକ ନୀତି ପ୍ରଣୟନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ ନିୟମାବଳୀ,୨୦୨୩ ପ୍ରଣୟନ କରିବେ। ଏହି ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ ମଞ୍ଜୁର ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ହାଇସ୍କୁଲ୍‌ଗୁଡ଼ିକରେ ୬୦୨୫ଟି ଏଲ୍‌ଟିଆର୍‌ ପଦବି ସୃଷ୍ଟି ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି। ଛୁଟି, ପ୍ରଶିକ୍ଷଣ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷକ ଅନୁପସ୍ଥିତିକୁ ଭରଣା ନିମନ୍ତେ ଆବଶ୍ୟକତା ମତେ ମୋଟ୍‌ ୪୦,୧୬୬ର ୧୫ ପ୍ରତିଶତ ହିସାବରେ ୬,୦୨୫ଟି ପଦବି ସୃଷ୍ଟି କରାଯିବ। ଏହା ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ କରିବାରେ ସହାୟକ ହେବ।

ଜଟଣୀରେ ‘ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଳ’ ନାମରେ ଏକ ବେସରକାରୀ ବିଶ୍ବବିଦ୍ୟାଳୟ ନିର୍ମାଣ ହେବ। ଏଥି ପାଇଁ ରାଜ୍ୟ ସରକାର ଲିଜ୍‌ ସୂତ୍ରରେ ୪୦ ଏକର ଜମି ଯୋଗାଇଦେବେ। ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏହି ବିଶ୍ବବିଦ୍ୟାଳୟରେ ବିଭିନ୍ନ ସୁବିଧାସୁଯୋଗରୁ ବଞ୍ଚିତ ମେଧାବୀ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ନିମନ୍ତେ ୩୦ ପ୍ରତିଶତ ସ୍ଥାନ ଆରକ୍ଷଣର ବ୍ୟବସ୍ଥା ରହିବ। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୭ଟି ୧୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ପ୍ରତ୍ୟେକ ହଷ୍ଟେଲ୍‌ରେ ୪.୨୨ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏକ ବର୍ଷ ମଧ୍ୟରେ କାମ ସରିବ। ମୋଟ୍‌ ୧୦୦୦.୧୪ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

publive-image Sambad

ଡ୍ରିମ୍‌ସ୍‌ ବିଶ୍ବବିଦ୍ୟାଳୟ ବିଲ୍‌ ୨୦୨୨ ଜୁଲାଇରେ ବିଧାନସଭାରେ ପାରିତ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯାଇଥିଲା। କିନ୍ତୁ ରାଜ୍ୟପାଳ ଏଥିରେ କିଛିଟା ସଂଶୋଧନ ପାଇଁ ପ୍ରସ୍ତାବ ଦେଇ ବିଲ୍‌ଟିକୁ ଫେରାଇ ଦେଇଛନ୍ତି। ରାଜ୍ୟପାଳଙ୍କ ପ୍ରସ୍ତାବ ମୁତାବକ ବିଲ୍‌ରେ କିଛିଟା ସଂଶୋଧନ କରାଯାଇ କ୍ୟାବିନେଟ୍‌ରେ ଉପସ୍ଥାପନ କରାଯାଇଥିଲା। ତାହାକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି।

ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ ଏବଂ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ନୀତି-୨୦୧୬ରେ ସଂଶୋଧନ ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି।