୩୩ ପ୍ରସ୍ତାବରେ କ୍ୟାବିନେଟ୍ ମୋହର: ଫୋକସ୍‌ରେ ଜଳସେଚନ

୧୭୪୦ କୋଟିରେ ୪୦ ଉଠା ଜଳସେଚନ ପ୍ରକଳ୍ପ

ଭୁବନେଶ୍ବର : ‘ପାର୍ବତୀ ଗିରି ବୃହତ ଉଠାଜଳସେଚନ ଯୋଜନା’ ଅଧୀନରେ ୪୦ଟି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ୧୭୪୦ କୋଟି ଟଙ୍କାରେ ୪ଟି ଟେଣ୍ଡର୍ ଡକାଯିବ। ୧୫ ବର୍ଷ ରକ୍ଷଣାବେକ୍ଷଣ ପାଇଁ ଆଉ ୧୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଗୁଡ଼ିକ ୩୬ ମାସ ଭିତରେ ସରିବ। ଏହାଦ୍ବାରା ୧୦ଟି ଜିଲ୍ଲାର ଚାଷୀ ଉପକୃତ ହେବେ। ଗୁରୁବାର ଦିନ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ମୋଟ୍ ୩୩ଟି ପ୍ରସ୍ତାବ ପାରିତ ହୋଇଛି।

wle.cgiar.org

ଚାଷ ଉପଯୋଗୀ ଢିପ ଜମିଗୁଡ଼ିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ‘ପାର୍ବତୀ ଗିରି ବୃହତ ଉଠାଜଳସେଚନ ଯୋଜନା’ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଅଧୀନରେ କଳାହାଣ୍ଡି, ବରଗଡ଼, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ ମହାନଦୀ, ତେଲ, ଇନ୍ଦ୍ରାବତୀ, ଅଙ୍ଗ, ସୁକତେଲ ନଦୀ ଓ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ଉତ୍ତୋଳନ କରି ପ୍ରେସରାଇଜ୍‌ଡ୍‌ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ ମାଧ୍ୟମରେ ୧୩,୪୫୭ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ବାଦ୍ ଧର୍ମଦଣ୍ଡିନଳା ଓ ଗୁରଣ୍ଡିନଳାରେ ଉଠା ଜଳସେଚନ ଦ୍ବାରା ବରଗଡ଼ କେନାଲ ସିଷ୍ଟମର ପୁନରୁତ୍ପତ୍ତି ଜଳକୁ ବ୍ୟବହାର କରି ସୋନପୁର ଜିଲ୍ଲାର ୧୮୧୨ ହେକ୍ଟର ଜମିକୁ ଷ୍ଟାବିଲାଇଜ୍ କରିବା ସହିତ ପ୍ରକଳ୍ପଗୁଡ଼ିକର ବିଦ୍ୟୁତ ସଂଯୋଗୀକରଣ କରିବାକୁ ଯୋଜନା ରହିଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୪୩୦ କୋଟି ଟଙ୍କା ଓ ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୩୪ କୋଟି ୪୦ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିପରି ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଖରସୁଆ, କାଶୀ ଓ ବୈତରଣୀ ନଦୀରୁ ଜଳ ଉତ୍ତୋଳନ କରି ୧୨,୯୧୪ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ।

‘ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ ଯୋଜନା’ ଅଧୀନରେ କାର୍ଯ୍ୟକାରୀ ହେବ
ଉପକୃତ ହେବେ ୧୦ ଜିଲ୍ଲାର ଚାଷୀ
ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲ୍ଲୀ ରାସ୍ତା ଚଉଡ଼ା ହେବ

ଏହି ପ୍ରକଳ୍ପର କାର୍ଯ୍ୟ ପାଇଁ ୩୬୬.୭୭ କୋଟି ଟଙ୍କା ଓ ୧୫ ବର୍ଷ ରକ୍ଷଣ‌ାବେକ୍ଷଣ ପ‌ାଇଁ ୨୯ କୋଟି ୫୦ ଲକ୍ଷ ଟଙ୍କାର ଟେଣ୍ଡର୍‌କୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। କେନ୍ଦୁଝର ଜିଲ୍ଲାରେ ଆନନନ୍ଦପୁର ବାମ ମୁଖ୍ୟ କେନାଲ, ବିଦ୍ୟାଧରପୁର ଆନିକଟ, ହଦଗଡ଼ ଜଳଭଣ୍ଡାର, ଆନନ୍ଦପୁର ଆନିକଟ ଓ ବ୍ରାହ୍ମଣୀ ନଦୀରୁ ଜଳ ଉତ୍ତୋଳନ କରି ୧୭ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ୫୧୧.୩୦ କୋଟି ଟଙ୍କା ଓ ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ନିମନ୍ତେ ୪୧ କୋଟି ଟଙ୍କାର ଟେଣ୍ଡର୍ କ୍ୟାବିନେଟ୍ ଅନୁମୋଦନ ପାଇଛି। ସେହିପରି କଟକ ଓ ଅନୁଗୁଳ ଜିଲ୍ଲାରେ ଆଉ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ଦୁଇଟି ଜିଲ୍ଲାରେ ମହାନଦୀ ଓ ବ୍ରାହ୍ମଣୀ ନଦୀରୁ ଜଳ ଉତ୍ତୋଳନ କରି ୧୪,୩୩୨ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ୪୩୧.୪୭ କୋଟି ଓ ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୩୪ କୋଟି ଟଙ୍କାର ଟେଣ୍ଡର୍ କରାଯିବ। ଚାରିଟି ପ୍ରକଳ୍ପ ଦ୍ବାରା ୧୦ଟି ଜିଲ୍ଲାର କୃଷକମାନେ ଉପକୃତ ହେବା ସହିତ ଏହାର ଜଳସେଚନ ସୁବିଧା ଉପଯୋଗ କରି ପାରମ୍ପରିକ ଧାନ
ଫସଲ ବଦଳରେ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

The New Indian Express

ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ୨୦୧୯-୨୦ ମସିହାରେ ୧୧,୭୦୦ କୋଟି ଟଙ୍କା ବ୍ୟୟରେ ‘ନଦୀଗର୍ଭ ସୀମିତ ଜଳସଂରକ୍ଷଣ ଆନିକଟ ନିର୍ମାଣ’ ପ୍ରକଳ୍ପର ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ଏକ ନଦୀ ଗର୍ଭ ସୀମିତ ଜଳସଂରକ୍ଷଣ ନିମନ୍ତେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ୍ ଅଧୀନସ୍ଥ କୁଟୁରିଆ ଗ୍ରାମ ନିକଟରେ କୋଚିଲା ନଦୀରେ ଓ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅଧୀନସ୍ଥ ଧୋବାବିଲ ଗ୍ରାମ ନିକଟରେ ବୈତରଣୀ ନଦୀରେ ଏକ ମିଳିତ ଆନିକଟ ନିର୍ମାଣ ହେବ। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମିତ୍ତ ୨୦୦ କୋଟି ଟଙ୍କା ଓ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ଏକ କୋଟି ଟଙ୍କାର ଟେଣ୍ଡର୍‌କୁ ଅନୁମୋଦନ ମିଳିଛି। ପ୍ରକଳ୍ପଟିକୁ ୩୦ ମାସ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି। ଏହା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଓ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ର ଲୋକମାନଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବା ସହିତ ସେମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ।

Dailyhunt

ବଲାଙ୍ଗୀର ଜିଲ୍ଲାସ୍ଥିତ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପର ଜଳସେଚନ କ୍ଷମତା ବୃଦ୍ଧି, ଜଳର ସୁଷମ ବଣ୍ଟନ, ଅପେକ୍ଷାକୃତ କମ ଜମି ଅଧିଗ୍ରହଣ ଦ୍ବାରା ସମସ୍ତ କାର୍ଯ୍ୟ ସମ୍ପନ୍ନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଓପନ୍ କେନାଲ୍ ଫ୍ଲୋ ଜଳସେଚନ ପରିବର୍ତ୍ତେ ଭୂତଳ ପାଇପ ଦ୍ବାରା ଜଳସେଚନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ସଂକ୍ରାନ୍ତୀୟ ଏକ ପ୍ରକଳ୍ପର ନିର୍ମାଣ ଲାଗି ୬୩୪ କୋଟି ୧୪ ଲକ୍ଷ ଟଙ୍କା ଏବଂ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୩ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ ପ୍ରଦାନ କରାଯାାଇଛି। ପ୍ରକଳ୍ପଟି ୩୦ ମାସ ଭିତରେ ଶେଷ ହେବ। ଏହି ପ୍ରକଳ୍ପଟି ବଲାଙ୍ଗୀର ଜିଲ୍ଲାର ୧୩ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇବ।

ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲ୍ଲୀ ରାସ୍ତାର ୨୧.୮୦୦ କିମିରୁ ୫୪.୨୦୦୦ କିମି ଦୀର୍ଘ ରାସ୍ତାର ପ୍ରଶସ୍ତୀକରଣ କରାଯିବ। ଏହି ପ୍ରକଳ୍ପ ଦ୍ବାରା ସୁବର୍ଣ୍ଣପୁର ଜିଲ୍ଲାରେ ଯାତାୟତ ଜନିତ ଭିଡ଼ କମାଇବା ସହ ଉତ୍ତମ ଗମନାଗମନ ସୁବିଧା ମିଳିବ। ଏଥିପାଇଁ ପୂର୍ବରୁ ହୋଇଥିବା ଟେଣ୍ଡରରେ ୮୭ କୋଟି ୭ ଲକ୍ଷ ଟଙ୍କାରେ କାମ କରିବାକୁ ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ୍ କନ୍‌ଷ୍ଟ୍ରକ୍ସନ୍ ଲିମିଟେଡ୍ ଯୋଗ୍ୟ ବିବେଚିତ ହୋଇଛି। ସଂସ୍ଥାକୁ କାର୍ଯ୍ୟାଦେଶ ଦେବା ପାଇଁ ଆଜି କ୍ୟାବିନେଟ୍ ଅନୁମତି ଦେଇଛି ଓ ୧୮ ମାସ ମଧ୍ୟରେ କାମ ସମ୍ପୂର୍ଣ୍ଣ ହେବ।

ସମ୍ବନ୍ଧିତ ଖବର