ଭୁବନେଶ୍ବର: ରାଜ୍ୟ ସରକାର ଆହାର କାର୍ଯ୍ୟକ୍ରମକୁ ଯୋଜନାରେ ପରିଣତ କରିଛନ୍ତି। ପୂର୍ବରୁ ବିଭିନ୍ନ କର୍ପୋରେଟ୍‌ ସଂସ୍ଥାଙ୍କ ସିଏସ୍ଆର୍‌ ପାଣ୍ଠି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ଲୋକଙ୍କୁ ୫ ଟଙ୍କାରେ ଭାତ, ଡାଲମା ଦେଉଥିଲେ। ଏବେ ଏହାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଏକ ଯୋଜନା ଭାବେ ଘୋଷଣା କରାଯାଇଛି। ଏଣିକି ସରକାର ଏହି ଯୋଜନା ପାଇଁ ନିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବେ। ଏଥିପାଇଁ ୫ ବର୍ଷରେ ୫୧୨ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହା କେବଳ ସବ୍‌ସିଡି ବାବଦକୁ ଖର୍ଚ୍ଚ ହେବ। ରାଜ୍ୟ ସରକାର ଆହାରକୁ ଯୋଜନା ଭାବେ ଘୋଷଣା କରିଥିଲେ ବି ପୂର୍ବଭଳି ଯେଉଁ ସଂସ୍ଥା ଖାଦ୍ୟ ଯୋଗାଉଥିଲା ସେହି ସଂସ୍ଥା ଯୋଗାଇବ। କିନ୍ତୁ ଏଥିପାଇଁ କୌଣସି ଟେଣ୍ଡର ହୋଇନି। ଆଜି ଏହି ନୂଆ ଯୋଜନା ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।
ରାଜ୍ୟ ସରକାର ଏହି ନୂଆ ଯୋଜନା ଆରମ୍ଭ କରିଥିବାବେଳେ ଭାତ, ଡାଲମାର ପ୍ରତି ମିଲ୍‌ ଖର୍ଚ୍ଚ ୪ ଟଙ୍କା ବଢ଼ିଯାଇଛି। ଯଦିଓ ପୂର୍ବଭଳି ଲୋକମାନେ ଆହାର କେନ୍ଦ୍ରରେ ଭାତ, ଡାଲମା ଖାଇଲେ ୫ ଟଙ୍କା ଦେବେ, କିନ୍ତୁ ରାଜ୍ୟ ସରକାର ଏବେ ୨୩ ଟଙ୍କା ବଦଳରେ ୨୭ ଟଙ୍କା ଘରୋଇ ସଂସ୍ଥାକୁ ଦେବେ। ପ୍ରତି ମିଲ୍‌ ପିଛା ସବ୍‌ସିଡି ୧୮ ଟଙ୍କାରୁ ବଢ଼ି ୨୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନାର ଅବଧି ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ରଖାଯାଇଛି।

Advertisment

ସେହିପରି କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗର ବୃହତ୍‌ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକରେ ‘ଫସଲ ବିବିଧିକରଣ କାର୍ଯ୍ୟକ୍ରମ’ ପାଇଁ ୧୫୨୩.୯୮କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିରେ ୩ ବର୍ଷରେ ୩୦ଟି ଜିଲ୍ଲାରେ ମୋଟ ୧୧.୫୦ଲକ୍ଷ ହେକ୍ଟର ଧାନ ପରବର୍ତ୍ତୀ ପଡ଼ିଆ ଜମିରେ କରାଯିବ। ଏଥିରେ ୧.୯୫ ଲକ୍ଷ ହେକ୍ଟର ଉଚ୍ଚ ଓ ମଧ୍ୟମ ଜମିରେ ଧାନଚାଷକୁ ଅଣଧାନ ଓ ଉଚ୍ଚ ମୂଲ୍ୟଯୁକ୍ତ ଫସଲରେ ପରିବର୍ତ୍ତନ କରାଯିବ। ୧.୯୭ ଲକ୍ଷ ହେକ୍ଟର ନିୟମିତ ଧାନଚାଷ ଅଞ୍ଚଳକୁ ସ୍ବଦେଶୀ ସୁଗନ୍ଧିତ ଧାନଚାଷରେ ପରିବର୍ତ୍ତନ କରାଯିବ। 

ଏହାବ୍ୟତୀତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିରେ ୪ ବର୍ଷରେ ମୋଟ ୨୯୪.୩୬ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଏହି ଯୋଜନା ଦ୍ବାରା ପ୍ରାୟ ୨୩୭୩୫ କୃଷକଙ୍କ ସହିତ ମହିଳା ଏସ୍‌ଏଚ୍‌ଜି ଉପକୃତ ହେବେ। ଏଥିରେ ରାଜ୍ୟରେ ଅତିରିକ୍ତ ଭାବେ ବାର୍ଷିକ ୧୨.୨୫ ‌ଟିଏମ୍‌ଟି ମାଂସ ଉତ୍ପାଦନ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି ଦୁଇଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।