କ୍ୟାବିନେଟ୍‌ ନିଷ୍ପତ୍ତି : ସଚିବାଳୟ ସେବା ବର୍ଗରେ ପୁନର୍ବିନ୍ୟାସ, ଗଠନ ହେଲା ଖଣି ଓ ଭୂତତ୍ବ ନିର୍ଦେଶାଳୟ

ସଚିବାଳୟ ବ୍ୟକ୍ତିଗତ ସଚିବ ସେବା ବର୍ଗରେ ପୁନର୍ବିନ୍ୟାସ
ଭୁବନେଶ୍ବର : ରାଜ୍ୟ ସରକାର ପୂର୍ବରୁ ସ୍ବରାଷ୍ଟ୍ର ବିଭାଗରେ ଓଡ଼ିଶା ସଚିବାଳୟ କାର୍ଯ୍ୟନିର୍ବାହୀ ସହାୟକ, ବ୍ୟକ୍ତିଗତ ସହାୟକ ଓ ବ୍ୟକ୍ତିଗତ ସଚିବ ସେବାବର୍ଗ ସୃଷ୍ଟି କରିଛନ୍ତି। ପ୍ରଶାସନର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସଚିବାଳୟରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସହ‌ଯୋଗ କରିବା ପାଇଁ ପୁନର୍ବିନ୍ୟାସ କରାଯାଇଛି। ସେବା ବର୍ଗରେ ବରିଷ୍ଠ ବ୍ୟକ୍ତିଗତ ସଚିବ ସ୍ତରରେ ୧୧, ପ୍ରମୁଖ ବ୍ୟକ୍ତିଗତ ସଚିବ ସ୍ତରରେ ୮, ବରିଷ୍ଠ ପ୍ରମୁଖ ବ୍ୟକ୍ତିଗତ ସଚିବ ସ୍ତରରେ ୫ ଓ ଅଧୀକ୍ଷକ ତଥା ପଦ-ପ୍ରଯୁକ୍ତ ଅତିରିକ୍ତ ଶାସନ ସଚିବ ସ୍ତରରେ ଗୋଟିଏ ପଦବିକୁ ମିଶାଇ ୨୫ଟି ପଦବିରେ ପ‌ାହ୍ୟାବୃଦ୍ଧି କରିଛନ୍ତି। ଏହା ବଦଳରେ ସେହି ସେବାବର୍ଗରୁ ଖାଲିଥିବା କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ୯, ବରିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ୯, ବ୍ୟକ୍ତିଗତ ସହାୟକ ୪ ଓ ବ୍ୟକ୍ତିଗତ ସଚିବ ସ୍ତରରେ ୩ଟି ପଦବି ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସଚିବାଳୟ ସେବାବର୍ଗର ୯୪ଟି ମୂଳ ପଦବିର ଉଚ୍ଛେଦ
ରାଜ୍ୟ ସରକାର ସଚିବାଳୟ ସେବାବର୍ଗର ୯୪ଟି ମୂଳ ପଦବିର ଉଚ୍ଛେଦ ପୂର୍ବକ ୧୨୦ଟି ପ୍ରଥମ ଶ୍ରେଣୀ ପାହ୍ୟାର ପଦବି ବୃଦ୍ଧି କରିଛନ୍ତି। ମୋ ସରକାର ଓ ୫-ଟିର ଆଦେଶନାମା ଅନୁସାରେ ସାର୍ବଜନୀନ ସେବାଗୁଡ଼ିକ ଉପଯୁକ୍ତ ସମୟରେ ପ୍ରଦାନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏବେ ଅନୁଶାସନ ସଚିବ ପଦବି ୨୫୭ ଥିବା ବେଳେ ନୂତନ ୭୦ ପଦବି ବଢ଼ି ଏହା ୩୨୭କୁ ବୃଦ୍ଧି ପାଇଛି। ସେହିପରି ଉପଶାସନ ସଚିବ ପଦବି ପୂର୍ବରୁ ୭୨ଟି ଥିବା ବେଳେ ୩୩ ବୃଦ୍ଧି ପାଇଁ ୧୦୫, ଯୁଗ୍ମ ଶାସନ ସଚିବ ୨୨ରୁ ୧୫ବୃଦ୍ଧି ପାଇ ୩୭, ଅତିରିକ୍ତ ଶାସନ ସଚିବ ୮ରୁ ୧୦କୁ ବୃଦ୍ଧି ପାଇଛି। ପୂର୍ବରୁ ଏସବୁ ପଦବି ସଂଖ୍ୟା ୩୫୯ ଥିବା ବେଳେ ଏବେ ତାହା ୪୭୯କୁ ବୃଦ୍ଧି ପାଇଛି।

ଓଡ଼ିଆ ଭାଷାରେ ପରୀକ୍ଷା ପ୍ରଶ୍ନ ଓ ଉତ୍ତର
ରାଜ୍ୟ ଓ ଜିଲ୍ଲାସ୍ତରରେ ହେଉଥିବା ବିଭିନ୍ନ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥାଏ। ମାତ୍ର ପ୍ରାର୍ଥୀମାନେ ଉତ୍ତର ଓ ସାକ୍ଷାତକାର ଇଂରାଜୀ ଭାଷାରେ ଦେଇଥାନ୍ତି। ମାତ୍ର ଏବେ ସମସ୍ତ ପ୍ରଶ୍ନପତ୍ର ଓ ଉତ୍ତର ଓଡ଼ିଆ ଭାଷାରେ ଲେଖାଯିବ। ମାତ୍ର ଯେଉଁ ପ୍ରାର୍ଥୀମାନେ ଇଂରାଜୀ ଭାଷାରେ ଉତ୍ତର ଲେଖିବା କିମ୍ବା ସାକ୍ଷାତକାରରେ ଭାଗ ନେବା ପାଇଁ ଇଚ୍ଛୁକ ଥିବେ ସେମାନେ ଆବେଦନପତ୍ରରେ ସେମାନଙ୍କର ଇଚ୍ଛାଧିକାର ଉଦ୍ଦିଷ୍ଟ କରିପାରିବେ। ଓଡ଼ିଆ ଭାଷାର ପ୍ରଗତି ପାଇଁ ନିଯୁକ୍ତି ଚୟନ ପ୍ରକ୍ରିୟାରେ ଭାଷାଗତ ବିଷୟ ବ୍ୟତୀତ ଅନ୍ୟ ବିଷୟଗୁଡ଼ିକରେ ପ୍ରାର୍ଥୀମାନେ ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବା ପାଇଁ ଏକ ସାଧାରଣ ନିୟମାବଳୀ ପ୍ରଣୟନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ନିୟମ ଫଳରେ ଗ୍ରାମାଞ୍ଚଳ ଓ ଓଡ଼ିଆ ଭାଷାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏଥିରେ ଉପକୃତ ହୋଇପାରିବେ।

ସରକାରୀ ଖ ଓ ଗ ବର୍ଗ ପଦବି ପାଇଁ ଏକକ ପରୀକ୍ଷା
ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଦ୍ବାରା ରାଜ୍ୟ ସରକାରଙ୍କ ଅଧୀନସ୍ଥ ଖ ଓ ଗ ବର୍ଗ ଅଧୀନ ବିଭିନ୍ନ ସେବା ଓ ପଦବିରେ ନିଯୁକ୍ତି ପାଇଁ ପରୀକ୍ଷାର୍ଥୀମାନଙ୍କୁ ଭିନ୍ନ ଭିନ୍ନ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଏବେ ପ୍ରାର୍ଥୀମାନେ ଏକକ ପରୀକ୍ଷା ପାଇଁ ଆବେଦନ କରିପାରିବେ। ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଓ ନି‌ର୍ଧାରିତ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ସମାପନ କରିବା ପାଇଁ ରାଜ୍ୟ ସରକାର ସମନ୍ବିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳି, ୨୦୨୨ର ପ୍ରଣୟନ କରିଛନ୍ତି। ଏହାଦ୍ବାରା ପରୀକ୍ଷାର୍ଥୀଙ୍କ ସମୟ ଓ ଅର୍ଥ ବ୍ୟୟ କମ୍ ହେବା ସହିତ ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ପାଇବ। ସମସ୍ତ ନିଯୁକ୍ତି ପ୍ରକ୍ରିୟା ପରିଚାଳନା ସମ୍ବନ୍ଧିତ ନିୟମାବଳି/ବିନିୟମ/ନିର୍ଦେଶନାମା କିମ୍ବା ପ୍ରଶାସନିକ ବିଭାଗ/ବିଭାଗୀୟ ମୁଖ୍ୟ ଦ୍ବାରା ଜାରି କରାଯାଇଥିବା ନିର୍ଦେଶ ଉପରେ ଅଧ୍ୟାରୋହୀ ପ୍ରଭାବ ରହିବ।

ଖଣି ନିଗମରେ ମିଶିଲା ଓଏମ୍‌ଇସିଏଲ୍‌
ଓଡ଼ିଶା ଖଣି ନିଗମ(ଓଏମ୍‌ସି)ରେ ମିଶିଛି ଓଡ଼ିଶା ମିନେରାଲ ଏକ୍ସପ୍ଲୋରେସନ୍ କର୍ପୋରେସନ୍ ଲିମିଟେଡ୍‌(ଓଏମ୍‌ଇସିଏଲ୍‌)। ଏହି ମିଶ୍ରଣ ଯୋଗୁଁ ନୂତନ ବ୍ଲକ୍ ଗୁଡ଼ିକର ଅନୁସନ୍ଧାନ କାର୍ଯ୍ୟ ତ୍ବରାନ୍ବିତ ହେବା ସହିତ ଅଧିକ ବ୍ଲକ୍ ନିଲାମ ପାଇଁ ଉପଲବ୍ଧ ହୋଇପାରିବ। ଯାହାଫଳରେ ରାଜ୍ୟର ରାଜସ୍ବ ବୃଦ୍ଧି ଘଟିବ। ଏଥିପାଇଁ ଓଏମ୍‌ସି ରାଜ୍ୟ ସରକାରଙ୍କଠାରୁ କୌଣସି ଆର୍ଥିକ ସହାୟତା ଆବଶ୍ୟକ କରିବ ନାହିଁ। ରାଜ୍ୟ କ୍ୟାବିନେଟ୍‌ରେ ଏହାକୁ ଅନୁମୋଦନ ଦିଆଯାଇଛି। ଏହି ମିଶ୍ରଣ ଫଳରେ ଓଏମ୍‌ସି ବ୍ରାଣ୍ଡରେ ଅଧିକ ସୁଦକ୍ଷ ବ୍ୟକ୍ତିଙ୍କୁ ନିଯୁକ୍ତି କରାଯାଇ ଅନୁସନ୍ଧାନ କାର୍ଯ୍ୟର ଦ୍ରୁତ ଅଗ୍ରଗତି କରାଯାଇପାରିବ। ଅଧିକ ସଂଖ୍ୟକ ବ୍ଲକ୍ ଅନୁସନ୍ଧାନ ପାଇଁ ନିଆଯାଇ ପାରିବ। ଏହାସହ ଭୁବନେଶ୍ବର ତହସିଲ ଅଧୀନ ଜଗନ୍ନାଥପ୍ରସାଦ ମୌଜାରେ ଥିବା ଓଏମ୍‌ଇସିଏଲ ଓ ୧୪.୮୧୬ ଜମି ଓଡ଼ିଶା ଖଣି ନିଗମକୁ ମିଳିବ। ଏହା ଡ୍ରିଲ୍ କୋର ଲାଇବ୍ରେରି ତଥା ମାଇନିଂ ଓ ଅନୁସନ୍ଧାନ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ବିନିଯୋଗ ହେବ। ମିଶ୍ରଣ ପରେ କମ୍ପାନି ଅଧିନୟମ, ୨୦୧୩ ଅନୁସାରେ ଆବଶ୍ୟକ ବୈଧାନିକ ଅନୁପାଳନଗୁଡ଼ିକର ପୁନରାବୃତ୍ତିକୁ ଏଡ଼ାଇ ଦିଆଯାଇ ପାରିବ। ଏହାଦ୍ବାରା ବରିଷ୍ଠ କାର୍ଯ୍ୟନିର୍ବାହୀମାନେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଧିକ ସମୟ ଓ ଧ୍ୟାନ ଦେଇପାରିବେ।

ଗଠନ ହେଲା ଖଣି ଓ ଭୂତତ୍ବ ନିର୍ଦେଶାଳୟ
ଖଣି ଓ ଇସ୍ପାତ ବିଭାଗ ଅଧୀନରେ ପୃଥକଭାବେ ଥିବା ଖଣି ନିର୍ଦେଶାଳୟ ଓ ଭୂତତ୍ତ୍ବ ନିର୍ଦେଶାଳୟର ମିଶ୍ରଣ କରାଯାଇଛି। ଦୁଇ ନିର୍ଦେଶାଳୟକୁ ମିଶାଇ ଖଣି ଓ ଭୂତତ୍ତ୍ବ ନିର୍ଦେଶାଳୟ ସୃଷ୍ଟି କରାଯାଇଛି। ରାଜ୍ୟ କ୍ୟାବିନେଟ୍‌ରେ ଆଜି ଏହାକୁ ଅନୁମୋଦନ ମିଳିଛି। ଏହି ନୂତନ ନିର୍ଦେଶାଳୟରେ ଏକକ ଖଣି ଓ ଭୂତତ୍ତ୍ବ, ନିର୍ଦେଶକ ପଦବି ସହିତ ୨ଟି ନୂତନ ଅତିରିକ୍ତ ନିର୍ଦେଶକ ପଦବି ସୃଷ୍ଟି କରାଯାଇଛି। ଏଥିରେ ଆଇଏଏସ୍‌/ଆଇଏଫ୍‌ଏସ୍‌, ଓଏଏସ୍‌ ଓ ଓଏଫ୍‌ଏସ୍‌ କ୍ୟାଡରରୁ ଅଫିସରମାନଙ୍କୁ ଅବସ୍ଥାପିତ କରାଯିବ। ଏହି ଅଧିକ୍ରମଣ ଦ୍ବାରା ନୂତନଭାବେ ଗଠିତ ଖଣି ଓ ଭୂତତ୍ବ ନିର୍ଦେଶାଳୟର ମାନବ ସମ୍ବଳ ସୁଦୃଢ଼ ହେବା ସହିତ ଖଣିଜ ପ୍ରଶାସନ ଓ ଖଣିଜ ଅନ୍ବେଷଣକୁ ଆଗାମୀ ଦିନରେ ଅଧିକ କ୍ରିୟାଶୀଳ ହେବ। ଏକକ ଖଣି ଓ ଭୂତତ୍ତ୍ବ ନିର୍ଦେଶାଳୟ ମାଧ୍ୟମରେ ଆଗାମୀ ଦିନରେ ଖଣିଜ ବିକାଶ ଓ ଖଣିଜ ଅନ୍ବେଷକୁ ସୁନିଶ୍ଚିତ କରିବା ସହିତ ରାଜ୍ୟରେ ଖଣି ରାଜସ୍ବ ବୃଦ୍ଧିରେ ସହାୟକ ହୋଇପାରିବ।

ସମ୍ବନ୍ଧିତ ଖବର